ନୂଆଦିଲ୍ଲୀ: ଏକ ରୋଚକ ଘଟଣା ବିଷୟରେ କହିଛନ୍ତି କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ। ତାଙ୍କୁ ଥରୁଟିଏ ଉଦ୍ୟୋଗପତି ରତନ ଟାଟା ପ୍ରଶ୍ନ କରିଥିଲେ ଯେ, କଣ ଆରଏସଏସର ହସ୍ପିଟାଲ କେବଳ ହିନ୍ଦୁଙ୍କ ଚିକିତ୍ସା ପାଇଁ ଉଦ୍ଦିଷ୍ଟ। ଏହାର ଜବାବରେ ଗଡକରୀ କହିଥିଲେ, ରାଷ୍ଟ୍ରୀ ସ୍ଵଂୟ ସେବକ ସଂଘ ଧର୍ମ ଆଧାରରେ କେବେ ବି ଭେଦଭାବ କରିନଥାଏ। ବିଜେପିର ବରିଷ୍ଠ ନେତା ଗଡକରୀ ପୁଣେର ସିଂହଗଢ ଅଞ୍ଚଳରେ ଏକ ଧର୍ମାର୍ଥ ହସ୍ପିଟାଲର ଉଦଘାଟନ ସମୟରେ ଏହି ଘଟଣା ବିଷୟରେ କହିଛନ୍ତି।
ଯେଉଁ ସମୟରେ ରତନ ଟାଟା ତାଙ୍କୁ ଏହି ପ୍ରଶ୍ନ କରିଥିଲେ, ସେତେବେଳେ ଗଡକରୀ ମହାରାଷ୍ଟ୍ରରେ ଶିବସେନା-ବିଜେପି ସରକାରରେ ମନ୍ତ୍ରୀ ଥିଲେ। ଆଜି ସେ କେନ୍ଦ୍ର ମନ୍ତ୍ରୀ ଏବଂ ସଡକ ପରିବହନ ଏବଂ ରାଜମାର୍ଗ ମନ୍ତ୍ରଣାଳୟ ପରି ଗୁରୁତ୍ଵପୂର୍ଣ୍ଣା ଦାୟିତ୍ଵ ସମ୍ଭାଳୁଛନ୍ତି।
ଗଡକରୀ କହିଛନ୍ତି, ଔରଙ୍ଗାବାଦରେ ଦିବଙ୍ଗତ ଆରଏସଏସ ପ୍ରମୁଖ କେବି ହେଡଗେଓ୍ଵାରଙ୍କ ନାମରେ ଏକ ହସ୍ପିଟାଲର ଉଦଘାଟନ କରାଯାଉଥିଲା। ସେହି ସମୟରେ ମୁଁ ରାଜ୍ୟ ସରକାରରେ ମନ୍ତ୍ରୀ ଥିଲି। ଆରଏସଏସର ଜଣେ ବରିଷ୍ଠ ପଦାଧିକାରୀ ଇଚ୍ଛା ବ୍ୟକ୍ତ କରିଥିଲେ ଯେ, ହସ୍ପିଟାଲର ଉଦଘାଟନ ରତନ ଟାଟାଙ୍କ ହାତରେ କରାଯାଉ। ଏଥିରେ ସାହାଯ୍ୟ କରିବାକୁ ସେ ମୋତେ ଅନୁରୋଧ କରିଥିଲେ। ଏହା ପରେ ମୁଁ ରତନ ଟାଟାଙ୍କ ସହ ଯୋଗାଯୋଗ କରିଥିଲି। ଦେଶରେ ଗରିବଙ୍କୁ କ୍ୟାନସର ରୋଗର ଚିକିତ୍ସା ପାଇଁ ଟାଟା କ୍ୟାନ୍ସର ହସ୍ପିଟାଲର ଯୋଗଦାନ ଉଲ୍ଲେଖ କରି ତାଙ୍କୁ ହସ୍ପିଟାଲର ଉଦଘାଟନ କରିବା ପାଇଁ ରାଜି କରାଇଥିଲି।
ହସ୍ପିଟାଲ ପହଞ୍ଚିବା ପରେ ରତନ ଟାଟା ପଚାରିଥିଲେ ଯେ, କଣ ଏହି ହସ୍ପିଟାଲ କେବଳ ହିନ୍ଦୁ ସମୁଦାୟର ଲୋକଙ୍କ ପାଇଁ। ମୁଁ ପଚାରିଥିଲି ଆପଣ ଏମିତି କାହିଁକି ଚିନ୍ତା କରୁଛନ୍ତି। ସେ ତୁରନ୍ତ ଉତ୍ତର ଦେଇଥିଲେ ଯେ, କାରଣ ଏହା ଆରଏସଏସର ହସ୍ପିଟାଲ।
ଏହା ପରେ ମୁଁ ତାଙ୍କୁ କହିଥିଲି, ଏହି ହସ୍ପିଟାଲ ସବୁ ସମୁଦାୟଙ୍କ ପାଇଁ ଉଦ୍ଦିଷ୍ଟ। ଆରଏସଏସ ଧର୍ମ ଆଧାରରେ ଭେଦଭାବ କରେ ନାହିଁ। ପୁଣି ସେ ରନତ ଟାଟାଙ୍କୁ ଅନେକ ବିଷୟରେ ଅବଗତ କରାଇଲି। ଏହା ଶୁଣି ଟାଟା ବହୁତ ଖୁସି ହୋଇଥିଲେ ବୋଲି ଗଡକରୀ କହିଛନ୍ତି।