fbpx

ଇସ୍ତଫା ଦେଲେ ଦିଲ୍ଲୀ ଉପରାଜ୍ୟପାଳ

ନୂଆଦିଲ୍ଲୀ: ଦିଲ୍ଲୀ ଉପରାଜ୍ୟପାଳ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ବ୍ୟକ୍ତିଗତ କାରଣ ପାଇଁ ସେ ଇସ୍ତଫା ଦେଇଥିବା ଦର୍ଶାଇଛନ୍ତି । ଉପରାଜ୍ୟପାଳ ଅନିଲ ବୈଜଲ ନିଜର ଇସ୍ତଫା ପତ୍ର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟକୁ ପଠାଇ ଦେଇଛନ୍ତି । ଗତ ବର୍ଷ ଡିସେମ୍ବର ମାସ ୩୧ ତାରିଖରେ ଅନିଲଙ୍କର କାର୍ଯ୍ୟକାଳ ସମାପ୍ତ ହୋଇଥିଲା । ଅନେକ ମାମଲାକୁ ନେଇ ଦିଲ୍ଲୀର ଅରବିନ୍ଦ କ୍ରେଜିୱାଲ ସରକାର ଓ ଉପରାଜ୍ୟପାଳଙ୍କ ମଧ୍ୟରେ ବିବାଦ ଦେଖିବାକୁ ମିଳିଥିଲା ।

ଜଣାପଡ଼ିଛି ଯେ, ଦିଲ୍ଲୀ ସରକାରଙ୍କ ଦ୍ୱାରା ଏକ ହଜାର ବସ କିଣିବା ପ୍ରକ୍ରିୟାର ଯାଞ୍ଚ ପାଇଁ ଅନିଲ ଏକ ତିନି ଜଣିଆ କମିଟି ଗଠନ କରିଥିଲେ । ଏହି ଘଟଣାର ସିବିଆଇ ଯାଞ୍ଚ ପାଇଁ ବିଜେପି ବାରମ୍ବାର ଅପିଲ କରିଆସୁଥିଲା । ଉପରାଜ୍ୟପାଳଙ୍କ ଦ୍ୱାରା ଗଠିତ ଉକ୍ତ ପ୍ୟାନେଲରେ ଜଣେ ଅବସରପ୍ରାପ୍ତ ଆଇଏଏସ ଅଧିକାରୀ, ଭିଜିଲାନ୍ସ ବିଭାଗର ପ୍ରିନ୍ସପାଲ ସେକ୍ରେଟାରୀ, ଦିଲ୍ଲୀ ସରକାରଙ୍କ ଟ୍ରାନ୍ସପୋର୍ଟ କମିଶନର ସାମିଲ ଥିଲେ । ଏହି ମାମଲାକୁ ନେଇ ଅନିଲ ଓ କେଜ୍ରିୱାଲ ସରକାର ମୁହାଁମୁହିଁ ହୋଇଥିଲେ ।

ଗତ ୨୦୧୬ ମସିହା ଡିସେମ୍ବର ମାସରେ ଅନିଲ ଦିଲ୍ଲୀର ୨୧ତମ ଉପରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ୩୭ ବର୍ଷର କ୍ୟାରିୟର ମଧ୍ୟରେ ଅନିଲ ଅନେକ ଗୁରୁତ୍ୱପୂର୍ଣ୍ଣ ପଦରେ ରହି କାର୍ଯ୍ୟ କରିଥିଲେ । ସେ କେନ୍ଦ୍ର ଗୃହ ସଚିବ, ସହର ବିକାଶ ସଚିବ, ଜିଓଆଇ, ଡିଡିଏର ଭାଇସ-ଚେୟାରମ୍ୟାନ, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ମୁଖ୍ୟ ସଚିବ ଦାୟିତ୍ୱରେ ରହିଥିଲେ । ଏଥିସହିତ ସେ ଇଣ୍ଟିଗ୍ରେଟେଡ ଡେଭଲପମେଣ୍ଟ ଅଫ୍ ପାୱର, କୋଲ ଆଣ୍ଡ ରେନୁଏବଲ ଏନର୍ଜିର ଆଡଭାଇଜରୀ ଗ୍ରୁପର ଜଣେ ସଦସ୍ୟ ରହିଥିଲେ । ରେଳମନ୍ତ୍ରୀ ଏସପି ପ୍ରଭୁ ବର୍ତ୍ତମାନ ଏହି ଗ୍ରୁପର ଅଧ୍ୟକ୍ଷ ରହିଛନ୍ତି ।

Get real time updates directly on you device, subscribe now.