fbpx

ମୁଣ୍ଡକା ଅଗ୍ନିକାଣ୍ଡ: ୨୭ ଜଣଙ୍କ ମୃତ୍ୟୁ ପାଇଁ ବିଜେପିର ୩ ଜଣ ବଡ଼ନେତା ଦାୟୀ: AAP, ଏହି ଅଭିଯୋଗ କ’ଣ ସତ

ନୂଆଦିଲ୍ଲୀ: ଗତ ୧୪ ତାରିଖରେ ଦିଲ୍ଲୀର ମୁଣ୍ଡକା ଅଗ୍ନିକାଣ୍ଡରେ ୨୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଥିଲେ । ଉକ୍ତ ଘଟଣା ପରେ ବର୍ତ୍ତମାନ ପୋଲିସ ପ୍ରଶାସନ ଡିଏନଏ ଟେଷ୍ଟ କରିବା ସହ ବାୟୋ ପ୍ରୋଫାଇଲିଂ କରିବାକୁ ନିଷ୍ପତ୍ତି ନେଇଛି । ଏଥିପାଇଁ ଫରେନସିକ୍ ବିଶେଷଜ୍ଞମାନେ ୨୬ ପରିବାରଙ୍କଠାରୁ ସାମ୍ପୂଲ ନେଇଛନ୍ତି । ତେବେ ଏହି ଘଟଣାକୁ ନେଇ ବିଜେପି ଉପରେ ଦୋଷ ଲଦିଛି ଆମ୍ ଆଦମୀ ପାର୍ଟି (ଆପ) ।

ଅଗ୍ନିକାଣ୍ଡକୁ ନେଇ ଆପ୍ ପ୍ରବକ୍ତା ସୌରଭ ଭରଦ୍ୱାଜ କହିଛନ୍ତି, ଏହି ଘଟଣା ପାଇଁ ବିଜେପିର ପ୍ରଦେଶ ଅଧ୍ୟକ୍ଷଙ୍କ ସହ ଦୁଇ ପୂର୍ବତନ ପ୍ରଦେଶ ଅଧ୍ୟକ୍ଷ ଦାୟୀ । ଏହି ଘଟଣାର ଦୋଷ ଦିଲ୍ଲୀ ସରକାରଙ୍କ ଉପରେ ଲଦିବା ପାଇଁ ଏହି ନେତାମାନେ ୩ ଦିନ ଧରି ପ୍ରୟାସ ଚଳାଇ ଆସୁଥିଲେ । ଯେଉଁ ବିଲଡିଂରେ ନିଆଁ ଲାଗିଥିଲା, ତାହା ରାସ୍ତା କଡ଼ରେ ରହିଥିଲା । ବିଜେପି, ଏମସିଡିକୁ ଏହି ଘଟଣା ପଛର ସତ୍ୟତା ଜଣାଥିଲେ ହେଁ ସେମାନେ ଲାଞ୍ଚ ଖାଇ ଚୁପଚାପ୍ ବସିଯାଇଛନ୍ତି ।

ସେ ପୁଣି କହିଛନ୍ତି, ୨୦୧୬ରେ ନରେଲା ଜୋନର ଆସିଷ୍ଟାଣ୍ଟ କମିଶନର ଏହି ବିଲଡିଂକୁ ଏନଓସି ଦେଇଥିଲେ । ଉକ୍ତ ବିଲଡିଂର କୌଣସି ନକ୍ସା କି ଲାଇସେନ୍ସ ନଥିଲା, ତଥାପି କମର୍ସିଆଲ ଅଥରାଇଜେସନ ପ୍ରଦାନ କରାଯାଇଥିଲା । ୨୦୧୭ରେ ହୋଇଥିବା ଅଭିଯୋଗ ପରେ ଏମସିଡି ବିଲଡିଂର ଲାଇସେନ୍ସ ବାତିଲ କରିଥିଲା । ପୁଣି ୨୦୧୯ରେ ସୁପ୍ରିମକୋର୍ଟର ମନିଟରିଂ କମିଟି ଉକ୍ତ ବିଲଡିଂକୁ ସିଲ୍ କରିଦେଇଥିଲା । ତେବେ ସିଲିଂ ହେବା ପରେ ଉକ୍ତ ବିଲଡିଂରେ କିପରି କମର୍ସିଆଲ କାର୍ଯ୍ୟ ଜାରି ରହିଥିଲା ତାହା ହିଁ ମୁଖ୍ୟ ପ୍ରଶ୍ନ । ଏହି ବିଲଡିଂ ନିର୍ମାଣ ହେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ବିଜେପିର ୩ ଜଣ ପ୍ରଦେଶ ଅଧ୍ୟକ୍ଷ ସତୀଶ ଉପାଧ୍ୟାୟ, ମନୋଜ ତିୱାରୀ ଓ ଆଦେଶ ଗୁପ୍ତା ରହିଛନ୍ତି ।

Get real time updates directly on you device, subscribe now.