୨ ମାସର ଗର୍ଭବତୀ ପତ୍ନୀକୁ ଛାଡି ସ୍ୱାମୀ ଫେରାର, ଥାନାର ଦ୍ୱାରସ୍ଥ ହେଲେ ସ୍ତ୍ରୀ

ବୌଦ୍ଧ: ଫେସବୁକରୁ ହେଲା ପ୍ରେମ ଆଉ ତାପରେ ବିବାହ । ବେଶ୍ ହସ ଖୁସିରେ ଚାଲିଥିଲା ତାଙ୍କ ସଂସାର । କିନ୍ତୁ ସ୍ତ୍ରୀ କ’ଣ ଜାଣିଥିଲା ଯାହା ହାତ ଧରି ବାଟ ଚାଲିବାର ସ୍ୱପ୍ନ ସେ ଦଖିଥିଲା, ସେ ମଣିଷଟି ତାକୁ ଏମିତି ଦିନେ ପର କରିଦେବ ବୋଲି ତା’ ପୁଣି ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ । ଆଉ ସ୍ୱାମୀ ଫେରାର ହେବା ପରେ ପୂରା ଏକା ହୋଇଯାଇଛି ସ୍ତ୍ରୀ । କାରଣ ପତ୍ନୀ ହେଉଛନ୍ତି ୨ ମାସର ଗର୍ଭବତୀ ।

ସପେଟେ ସ୍ୱାମୀ କେଉଁଆଡେ ଚାଲି ଯିବାପରେ ବୋହୁକୁ ଆପଣାଇବାକୁ ମଧ୍ୟ ନାରାଜ ଶାଶୁ ଘର ଲୋକେ । ବାପଘର ଲୋକେ ବି ତାଙ୍କୁ ପର କରି ଦେଇଛନ୍ତି । ଏତେ ବଡ଼ ଦୁନିଆରେ ସେ ଏବେ ସମ୍ପୂର୍ଣ୍ଣର୍ ଏକା, ଏପରି ପରିସ୍ଥିତିରେ ସେ ବଞ୍ଚିବେ କିପରି । ଏଭଳି ସ୍ଥିତିରେ ଏବେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ୨ମାସର ଗର୍ଭବତୀ ମହିଳା ।

ସୂଚନା ଅନୂଯାୟୀ, ବୌଦ୍ଧ ଜିଲ୍ଲା ବଢି ଗାଁର ଝୁମି ବେହେରା । ଏକ ବର୍ଷ ତଳେ ସୁବର୍ଣ୍ଣପୁର ଜିଲ୍ଲା କୁମରକେଲି ଗ୍ରାମର ଜିତୁ ଖୁରାଙ୍କ ସହ ଫେସବୁକରେ ଗଢ଼ି ଉଠିଥିଲା ପ୍ରେମ ସଂପର୍କ । ଏହାପରେ ଉଭୟ ବୌଦ୍ଧ ଜିଲ୍ଲାର ଏକ ମନ୍ଦିରରେ ବିବାହ କରି ୪ମାସ ହେବ ଭୁବନେଶ୍ୱରରେ ରହି ଆସୁଥିଲେ । କିନ୍ତୁ ହଠାତ୍ ଦିନେ ମାଆଙ୍କ ଦେହ ଖରାପ ଅଛି କହି ଗାଁକୁ ଚାଲି ଆସିଥିଲେ । ଏହାପରେ ପରିବାର ଲୋକଙ୍କ ସହ କଥାବାର୍ତ୍ତା ହୋଇ ଝୁମିଙ୍କୁ ତାଙ୍କ ଘରକୁ ନେବାକୁ କହିଥିଲେ । କିନ୍ତୁ ଜିତୁ ଝୁମିଙ୍କୁ ଘରକୁ ନେବା ବାଟରେ ରେଳ ଷ୍ଟେସନରେ ଛାଡି ଚାଲିଯାଇଥିଲେ । ଯାହାକୁ ନେଇ ବୀରମହାରାଜପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ ଝୁମି । ଏହାପରେ ଥାନାରେ ମାମଲା ସମାଧାନ ହେବା ପରେ ଉଭୟ ପୁଣି ଏକାଠି ରହୁଥିଲେ ।

ମାତ୍ର ଏକାଠି ରହିବାର ଠିକ୍ ୨ମାସ ପରେ ପୁଣି ସ୍ତ୍ରୀ ଝିମିଙ୍କୁ ଛାଡି କେଉଁଆଡେ ଚାଲିଯାଇଛନ୍ତି ସ୍ୱାମୀ ଜିତୁ । ବର୍ତ୍ତମାନ ଝୁମି କିନ୍ତୁ ୨ମାସର ଗର୍ଭବତୀ । ସ୍ୱାମୀ ଜିତୁକୁ ପାଇବା ଆଶାରେ ପ୍ରଥମେ ବୀରମହାରାଜାପୁର ଥାନା ପରେ ବୌଦ୍ଧ ଥାନା ଓ ଆଜି ସୋନପୁର ଥାନାର ଦ୍ୱାରସ୍ଥ ହେବା ସହ ଆତ୍ମହୁତିର ଧମକ ଦେଇଛନ୍ତି ଝୁମି ।