fbpx

ଅର୍ଜୁନ ନୁହେଁ, ଏହି ଯୋଦ୍ଧାଙ୍କୁ ପ୍ରେମ କରୁଥିଲେ ଦ୍ରୌପଦୀ: ବିବାହ କରିବାକୁ ଚାହୁଁଥିଲେ

ପାଞ୍ଚାଳି ଦ୍ରୌପଦୀଙ୍କ ପାଇଁ ଦ୍ୱାପର ଯୁଗରେ ହୋଇଥିଲା ମହଭାରତ ଯୁଦ୍ଧ । ପାଣ୍ଡବ ପାଞ୍ଚ ଭାଇଙ୍କର ଏକମାତ୍ର ପତ୍ନୀ ଥିଲେ ଦ୍ରୌପଦୀ । ଦ୍ରୌପଦୀ ନିଜ ମନର କଥା ପାଣ୍ଡବମାନଙ୍କୁ କହୁଥିଲେ । ଏହାମଧ୍ୟରେ ଦ୍ରୌପଦୀଙ୍କ ଜୀବନର ଏମିତି ଗୋଟିଏ ସତ କହିଥିଲେ, ଯାହାକୁ ଜାଣିବା ପରେ ପାଣ୍ଡବମାନେ ବିଚଳିତ ହୋଇଯାଇଥିଲେ ।

ମହାରାଜ ଯୁଧିଷ୍ଠିର ରାଜମହଲ ଛାଡିବା ପରେ ପାଞ୍ଚ ଭାଇ ଓ ଦ୍ରୌପଦୀ ଜଙ୍ଗଲକୁ ଚାଲି ଯାଇଥିଲେ । କିନ୍ତୁ ଦିନେ ଦ୍ରୌପଦୀଙ୍କୁ ଭୋକ ଲାଗିବାରୁ ପାଖରେ ଥିବା ଜାମୁ ଗଛର ଡାଳରୁ ଜାମୁ କୋଳି ପେନ୍ଥା ତୋଳୁଥିଲେ । ଏହି ସମୟରେ ସେଠାରେ ପହଞ୍ଚି ଯାଇଥିଲେ ପ୍ରଭୁ ଶ୍ରୀକୃଷ୍ଣ । ଏହି ଜାମୁ କୋଳି ପେନ୍ଥାକୁ କିଛି ଦିନ ଭିତରେ ଏକ ଋଷି ଖାଦ୍ୟ ଭାବେ ଗ୍ରହଣ କରିଥାନ୍ତେ ତେଣୁ ଏଥିପାଇଁ ଦ୍ରୌପଦୀଙ୍କୁ ଋଷିଙ୍କ ଅଭିଶାପ ପଡିପାରେ ବୋଲି ଶ୍ରୀକୃଷ୍ଣ କହିଥିଲେ । ଋଷିଙ୍କ ଅଭିଶାପରୁ ରକ୍ଷା ପାଇବା ପାଇଁ ଜାମୁକୋଳି ପେନ୍ଥାକୁ ଗଛ ଡାଳରେ ପୁଣି ଲଗାଇବା ପାଇଁ ଚାହୁଁଥିଲେ ଦ୍ରୌପଦୀ । ଏହି ଅଭିଶାପରୁ ବର୍ତ୍ତିବା ପାଇଁ ଶ୍ରୀକୃଷ୍ଣ ତାଙ୍କୁ ଏକ ଉପାୟ କହିଥିଲେ । ଯେଉଁଥିରେ ଶ୍ରୀକୃଷ୍ଣ କହିଲେ ଯେ ଏହି ଜାମୁ ଗଛ ସାମ୍ନାରେ ପାଣ୍ଡବ ଓ ଦୌପଦୀ ଉଭୟଙ୍କ ଜୀବନର ଏକ ନିରାଟ ସତ କଥା କହିଲେ ଜାମୁ ପେନ୍ଥା ପୂର୍ବଭଳି ଡାଳରେ ଲାଗିଯିବ । ତେବେ ଶ୍ରୀକୃଷ୍ଣଙ୍କ ଠାରୁ ଏକଥା ଶୁଣିବା ପରେ ପଞ୍ଚୁପାଣ୍ଡବ ଏବଂ ଦ୍ରୌପଦୀ ଜଣ ଜଣ କରି ସେମାନଙ୍କ ଜୀବନର ସତ କାହାଣୀ କହିଥିଲେ ।

ପ୍ରଥମେ ଯୁଧିଷ୍ଠିର କହିଥିଲେ ମହାଭାରତ ଯୁଦ୍ଧ କେବଳ ଦ୍ରୌପଦୀଙ୍କ ପାଇଁ ହୋଇଥିଲା । ଯଦି ସେମାନେ ଦ୍ରୌପଦୀଙ୍କୁ ବିବାହ କରିନଥାନ୍ତେ ତେବେ ତାଙ୍କ କୌରବ ଭାଇମାନେ ଆଜି ବି ବଞ୍ଚିଥାନ୍ତେ ବୋଲି ସେ କହିଥିଲେ । ସେଥିପାଇଁ ତାଙ୍କୁ ବହୁତ ଆଘାତ ମଧ୍ୟ ଲାଗିଛି । ଦ୍ରୌପଦୀଙ୍କୁ କେବେ କ୍ଷମା ଦେବେ ନାହିଁ ବୋଲି ଯୁଧିଷ୍ଠିର କହିଥିଲେ । ଏହି କଥା ପରେ ଜାମୁ ପେନ୍ଥାଟି ଟିକେ ପବନରେ ଉଡିବାକୁ ଲାଗିଲା । ଆଉ ତାପରେ ଭୀମ କହିଥିଲେ ତାଙ୍କୁ ବହୁତ ଖାଦ୍ୟ ଖାଇବାକୁ ଭଲ ଲାଗେ । ଅତି କମ ସମୟରେ ଭୀମ ରାଗି ଯାଆନ୍ତି । ୧୦୦ ଭାଇଙ୍କୁ ହତ୍ୟା କରିଥିବାରୁ ସେ ବହୁତ ଦୁଃଖ ଅନୁଭବ କରୁଛନ୍ତି ବୋଲି କହିଥିଲେ । ଭୀମଙ୍କ ସତ୍ୟ ପରେ ଜାମୁ ପେନ୍ଥାଟି ଆଉ ଟିକେ ଅଧିକ ପବନରେ ଉପରକୁ ଉଠିବାରେ ଲାଗିଲା ।

ଆଉ ତାପରେ ଥିଲା ଅର୍ଜୁନଙ୍କ ପାଳି, ଜୀବନର ସତ୍ୟ କଥା କହିଥିଲେ ଅର୍ଜୁନ । ସେ କହିଥିଲେ ଜୀବନରେ ସର୍ବଶ୍ରେଷ୍ଠ ଧନୁର୍ଦ୍ଧର ହେବା ତାଙ୍କର ଲକ୍ଷ୍ୟ । ଆଜି ପର୍ଯ୍ୟନ୍ତ ସେ ଜଣେ ଭଲ ଧନୁର୍ଧର ହୋଇ ପାରିଲେ ନାହିଁ । ଅର୍ଜୁନ କହିଥିଲେ ଯେ, ସେ ହତ୍ୟା କରିଥିବା କର୍ଣ୍ଣ ତାଙ୍କ ବଡ ଭାଇ ଥିଲେ ଏକଥା ଜାଣିବାପରେ ସେ ଦୁଃଖ ଅନୁଭବ କରୁଛନ୍ତି । କର୍ଣ୍ଣ ତାଙ୍କଠାରୁ ବି ଅଧିକ ବଳଶାଳୀ ଥିଲେ ।

ଏହିଭଳି ଭାବେ ପାଣ୍ଡବମାନେ ଜୀବନର ସତ୍ୟ କହିବା ପରେ ଦ୍ରୌପଦୀଙ୍କ ପାଳି ମଧ୍ୟ ଆସିଥିଲା । ଦୌପଦୀ କହିଥିଲେ ମହାଭାରତ ଯୁଦ୍ଧ ତାଙ୍କ ପାଇଁ ହୋଇଥିଲା । ମହାଭାରତ ଯୁଦ୍ଧରେ ହୋଇଥିବା ରକ୍ତପାତ ପାଇଁ ତାଙ୍କୁ ବହୁତ କଷ୍ଟ ହୋଇଥିଲା । ସେଥିପାଇଁ ସେ ନିଜକୁ କେବେ କ୍ଷମା କରିପାରିବେନି ବୋଲି ଦ୍ରୌପଦୀ କହିଥିଲେ । ଦ୍ରୌପଦୀଙ୍କ ଏହି ସତ କଥାରେ ଜାମୁ ପେନ୍ଥା ଆଉ ଉପରକୁ ଗଲା ନାହିଁ । ଦ୍ରୌପଦୀଙ୍କ କଥା ମିଥ୍ୟା ହୋଇଥିବାରୁ ଜାମୁ ପେନ୍ଥା ରହିଗଲା । ଶ୍ରୀକୃଷ୍ଣ କହିଥିଲେ ଯେପର୍ଯ୍ୟନ୍ତ ଦ୍ରୌପଦୀ ସତ କହିବେନି ସେପର୍ଯ୍ୟନ୍ତ ଜାମୁ ପେନ୍ଥା ଗଛ ଡାଳରେ ଲାଗିବ ନାହିଁ । ଶ୍ରୀକୃଷ୍ଣଙ୍କ କଥା ଶୁଣିବା ପରେ ଦ୍ରୌପଦୀ ସତ କହିବା ଆରମ୍ଭ କରିଥିଲେ ।

ଦ୍ରୌପଦୀ କହିଥିଲେ ଯେ, କର୍ଣ୍ଣଙ୍କୁ ସେ ପ୍ରେମ କରୁଥିଲେ । ଯଦି ତାଙ୍କ ଜୀବନରେ କର୍ଣ୍ଣଙ୍କୁ ବିବାହ କରିଥାନ୍ତେ ତାଙ୍କୁ ଏତେ କଷ୍ଟ ସହିବାକୁ ପଡିନଥାନ୍ତା । ଯଦି କର୍ଣ୍ଣଙ୍କୁ ବିବାହ କରିଥାନ୍ତେ ତେବେ ସେ ଆରାମରେ ଜୀବନ ବିତାଇ ପାରିଥାନ୍ତେ । କର୍ଣ୍ଣଙ୍କୁ ବିବାହ କରିପାରିଲେ ନାହିଁ ବୋଲି ତାଙ୍କ ଜୀବନରେ ଗୋଟିଏ ବଡ ଦୁଃଖ ରହିଗଲା ବୋଲି ଦ୍ରୌପଦୀ କହିଥିଲେ । ଦ୍ରୌପଦୀଙ୍କ ଏହି କଥା ପରେ ଜାମୁ ପେନ୍ଥା ଗଛ ଡାଳରେ ପୂର୍ବଭଳି ଲାଗିଯାଇଥିଲା । କିନ୍ତୁ ଏହି କଥା ଜାଣିବାପରେ ପାଣ୍ଡବମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

Get real time updates directly on you device, subscribe now.