ଭିଜିଲାନ୍ସ ଟିମ୍‌କୁ ଦେଖି ଛାତ ଡ଼େଇଁ ଛୁ ମାରିଲେ କନିଷ୍ଠ ଯନ୍ତ୍ରୀ: ଧରା ପଡିବା ପରେ କହିଲେ…

ଓଡିଶା ଭାସ୍କର: ଭିଜିଲାନ୍ସ ଟିମ୍‌କୁ ଦେଖି ପଡ଼ୋଶୀଙ୍କ ଛାତକୁ ଡେଇଁ କନିଷ୍ଠ ଯନ୍ତ୍ରୀ ସୁନୀଲ କୁମାର ପାଢ଼ୀ ଫେରାର ହୋଇ ଯାଇଥିବା ଖବର ଆଜି ସକାଳୁ ପ୍ରଚାରିତ ହୋଇଥିଲା। ତେବେ ସେଠାରେ ସେ ପ୍ରାୟ ୯ ଘଣ୍ଟା ଲୁଚି ରହିବା ପରେ ଅପରାହ୍ନ ପ୍ରାୟ ଦେଢ଼ଟା ପରେ ସେ ସେଠାରୁ ବାହାରିଛନ୍ତି। ପଡ଼ୋଶୀଙ୍କ ଘରୁ ଭିଜିଲାନ୍ସ ଅଧିକାରୀମାନେ ସୁନୀଲଙ୍କୁ କାବୁ କରି ନିଜ ହେପାଜତକୁ ନେଇଛନ୍ତି।

ସୂଚନା ଅନୁଯାୟୀ, ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଭୋର ପ୍ରାୟ ୪ଟା ବେଳେ ସୁନୀଲଙ୍କ ଜାଗମରାସ୍ଥିତ ଘରେ ଭିଜିଲାନ୍ସ ଟିମ୍‌ ପହଞ୍ଚିଥିଲା। ମାତ୍ର ଭିଜିଲାନ୍ସ ଟିମ୍‌କୁ ଦେଖି ସୁନୀଲ ପଡ଼ୋଶୀଙ୍କ ଛାତକୁ ଡେଇଁ ଫେରାର ହୋଇ ଯାଇଥିଲେ। ମାତ୍ର ଚଢ଼ାଉ କ୍ରମଶଃ ଜୋରଦାର ହେଉଥିବା ଜାଣି ପାରି ସୁନୀଲ ପଡ଼ୋଶୀଙ୍କ ଘରୁ ବାହାରିବାକୁ ସ୍ଥିର କଲେ। ଶେଷରେ ବହୁ ଘଣ୍ଟାର ଛକାପଞ୍ଝା ପରେ ତାଙ୍କୁ ଭିଜିଲାନ୍ସ ଅଧିକାରୀମାନେ ଧରିଛନ୍ତି। ଭିଜିଲାନ୍ସ ଅଧିକାରୀ ପହଞ୍ଚିବା ପରେ ପଡ଼ୋଶୀଙ୍କ ଘରୁ ସୁନୀଲ ବାହାରିବାରୁ ତାଙ୍କୁ ତୁରନ୍ତ ଭିଜିଲାନ୍ସ ଅଧିକାରୀମାନେ କାବୁ କରି ନେଇଥିଲେ। ଫେରାର ସମ୍ପର୍କରେ ସୁନୀଲଙ୍କୁ ପଚାରିବାରୁ ସେ ଏହାକୁ ସମ୍ପୂର୍ଣ୍ଣ ଏଡ଼ାଇ ଯାଇଥିଲେ। ଏପରିକି ଭିଜିଲାନ୍ସ ଚଢ଼ାଉ ବିଷୟରେ ଜାଣି ନ ଥିବା କହିଥିଲେ। ମୁଁ କାହିଁକି ଫେରାର ହେବି ବୋଲି ପଚାରିଥିଲେ। ତେବେ ପଡ଼ୋଶୀଙ୍କ ଘରେ କ’ଣ କରୁଥିଲେ ପଚାରିବାରୁ ହଡ଼ବଡ଼େଇ ଯାଇଥିଲେ ସୁନୀଲ। ମାତ୍ର ଭିଜିଲାନ୍ସକୁ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ବି ପ୍ରତିଶ୍ରୁତି ଦେଇଛନ୍ତି।

Get real time updates directly on you device, subscribe now.