ଆଜିଠୁ ଶ୍ରୀମନ୍ଦିର ‘ପରିକ୍ରମା’ ଯଜ୍ଞ ଆରମ୍ଭ, ଜାଣନ୍ତୁ ଏଥିପାଇଁ କ’ଣ ସବୁ ରୀତିନୀତି ରହିଛି

ଓଡିଶା ଭାସ୍କର: ଆଉ ଦୁଇ ଦିନ ପରେ ଅର୍ଥାତ ୧୭ ତାରିଖ ଦିନ ଲୋକାର୍ପିତ ହେବ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ଏହାକୁ ନେଇ ଚଳଚଞ୍ଚଳରେ ହୋଇ ଉଠିଛି ଶ୍ରୀକ୍ଷେତ୍ରଧାମ। ଯଜ୍ଞ ମଣ୍ଡପ ସହ ମନ୍ତ୍ରୋପୋଚାରଣରେ ଶ୍ରୀକ୍ଷେତ୍ର କମ୍ପୁଛି। ଚାରିଆଡେ କେବଳ “ଜୟ ଜଗନ୍ନାଥ” ଧ୍ୱନି ଗୁଞ୍ଜରିତ ହେଉଛି। ତେବେ ଆଜି ହେଉଛି ପବିତ୍ର ମକର ସଂକ୍ରାନ୍ତି ଅର୍ଥାତ୍‌ ପୌଷ ଶୁକ୍ଳ ପଞ୍ଚମୀ ତିଥି। ଏହି ଦିନରୁ ହିଁ ଲୋକାର୍ପଣ ପାଇଁ ଆରମ୍ଭ ହେବ ତ୍ରିଦିନାତ୍ମକ ଯଜ୍ଞ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଯଜ୍ଞ ପ୍ରକ୍ରିୟାର ତୃତୀୟ ଦିବସରେ ରବିବାର ଅଙ୍କୁରପୂଜନ ସମାପ୍ତ ହେବା ପରେ ଯଜ୍ଞ ମଣ୍ଡପରେ ସମସ୍ତ ମଣ୍ଡଳ ସ୍ଥାପନ ଶେଷ ହୋଇଛି।

ସୂଚନା ଅନୁଯାୟୀ, ନିକଟସ୍ଥ ମଠ କୂଅରୁ ଜଳ ଆଣି ଅଧିବାସ କାର୍ୟ୍ୟ ସରିଛି। ଆଜି ସକାଳ ସାଢେ ୭ଟାରୁ ଅପରାହ୍ନ ୧ଟା ମଧ୍ୟରେ ଅଖଣ୍ଡ ଦୀପ ସ୍ଥାପନ ହେବ। ଏହା ସହ ପଞ୍ଚକର୍ମ, ଆଚାର୍ୟ୍ୟଙ୍କ ଦ୍ୱାରା ବ୍ରାହ୍ମଣ ବରଣ, ମଣ୍ଡଳପୂଜନ ମଧ୍ୟ ହେବ। ଅନ୍ୟପଟେ ସକାଳ ସାଢେ ୭ରୁ ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ ଶ୍ରୀମନ୍ଦିର ଚାରିଦ୍ୱାରରେ ବେଦ ପାରାୟଣ, ଅନ୍ତଃ ପ୍ରଦକ୍ଷିଣ ପଥରେ ନାମ ସଙ୍କୀର୍ତ୍ତନ କରାଯିବ। ଅପରାହ୍ନ ୩ଟାରେ ଶ୍ରୀମନ୍ଦିର ରୋଷଶାଳାରୁ ଅଗ୍ନି ଆସି ଯଜ୍ଞ ଆରମ୍ଭ ହେବ। ସେହିପରି ସନ୍ଧ୍ୟା ୬ଟା ମଧ୍ୟରେ ବୈଷ୍ଣବାଗ୍ନି ସଂସ୍କାର, ହବନ, ଆରତି, ପୁଷ୍ପାଞ୍ଜଳି ଓ ପ୍ରଦିକ୍ଷଣ କରାଯିବ। ମହାପ୍ରଭୁଙ୍କ ସ୍ମରଣ କରି ଏହି ଯଜ୍ଞ ଆରମ୍ଭ ହେବ। ଯଜ୍ଞ ମଣ୍ଡପ ପରି ଶ୍ରୀମନ୍ଦିର ଚାରି ଦ୍ୱାରରେ ବେଦ ପାଠ ପାଇଁ ସ୍ୱତନ୍ତ୍ର ଭାବେ ମଣ୍ଡପ ପ୍ରସ୍ତୁତ କରାଯାଇଛି। ପ୍ରତି ଦ୍ୱାରରେ ୧୫ ଜଣ ଲେଖାଏଁ ୬୦ ଜଣ ବେଦଜ୍ଞ ପଣ୍ଡିତ ବେଦ ପାଠ କରିବେ। ପୂର୍ବ ବା ସିଂହଦ୍ୱାରରେ ଋକ୍‌ ବେଦ, ପଶ୍ଚିମ ଦ୍ୱାରରେ ସାମ୍‌ ବେଦ, ଉତ୍ତର ଦ୍ୱାରରେ ଅଥର୍ବ ବେଦ, ଦକ୍ଷିଣ ଦ୍ୱାରରେ ଯଜୁର୍ବେଦ ପାଠ କରାଯିବ।

ସୂଚନା ଥାଉକି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଐତିହ୍ୟ ପ୍ରକଳ୍ପର ଲୋକାର୍ପଣ କରିବେ। ରବିବାର ଲୋକାର୍ପଣ ପାଇଁ ଥିବା ପଥରକୁ ଖୋଦେଇ କରାଯାଇ ଅଷ୍ଟଧାତୁ ଲେଖା ଫଳକ ଲଗାଯାଇଛି। ଏହି ଫଳକରେ ‘ଶ୍ରୀ ଶ୍ରୀ ଜଗନ୍ନାଥାୟ ନମଃ’। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶୁଭ ପ୍ରତିଷ୍ଠା ଓ ଲୋକାର୍ପଣ, ପୌଷ ଶୁକ୍ଳ ସପ୍ତମୀ, ୧୭ ତାରିଖ ବୁଧବାର’ ଲେଖାଯାଇଛି। ଶିଳାନ୍ୟାସ ଫଳକର ଦକ୍ଷିଣ ପାର୍ଶ୍ୱରେ ରହିଛି ଏହି ଲୋକାର୍ପଣ ପଥର ଫଳକ। ସେପଟେ ବଡ଼ଦାଣ୍ଡରୁ ବେଳାଭୂମି ପୁଣି ସିଂହଦ୍ୱାରରୁ ଶରଧାବାଲିକୁ ସୁସଜ୍ଜିତ କରାଯାଇଛି। ବଡ଼ଦାଣ୍ଡରେ ଏକରଙ୍ଗୀ କୋଠା, ଆଖି ଝଲସାଇବା ଦେବାଭଳି ଆଲୋକୀକରଣ, ରାସ୍ତାଘାଟ, କାନ୍ଥ ଓ ପ୍ରାଚୀରେ ରଙ୍ଗ ବେରଙ୍ଗର ଚିତ୍ର ସବୁ ଅଙ୍କାଯାଇଛି। ଅନ୍ୟପଟେ ପୁରୀ ଆସିବା ପାଇଁ ଶ୍ରଦ୍ଧାଳୁ ମାନେ ଆଜିଠାରୁ ପ୍ରସ୍ତୁତ ହେଲେଣି। ଭକ୍ତଙ୍କ ଯାତାୟାତ ସୁବିଧା ପାଇଁ କାଲିଠାରୁ ‘ଜଗନ୍ନାଥ ଏକ୍ସପ୍ରେସ’ ବସ୍ ଚଳାଚଳ କରିବ। ସବୁ ଜିଲ୍ଲା ମୁଖ୍ୟାଳୟରୁ ପୁରୀକୁ ଗଡ଼ିବ ଏହି ‘ଜଗନ୍ନାଥ ଏକ୍ସପ୍ରେସ’ ବସ୍। ଏହା ଦ୍ୱାରା ଭକ୍ତର ଜଗା ଦର୍ଶନ ଇଚ୍ଛା ହେଲେ ସେ ସୁବିଧାରେ ଆସି ପୁରୀରେ ପହଞ୍ଚି ପାରିବେ ବୋଲି କୁହାଯାଇଛି।