ଦେଶରେ CAA ଲାଗୁ ହେବା ପାଇଁ କାହିଁକି ଲାଗିଲା ୪ ବର୍ଷ? ବିଜେପି ଦେଲା ଉତ୍ତର

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ମୋଦୀ ସରକାର ନାଗରିକତା ସଂଶୋଧନ ଅଧିନିୟମ ଲାଗୁ କରିଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ନୋଟିଫିକେସନ ଜାରି ହେବା ପରେ ଆଜିଠାରୁ ଏହି ନିୟମ ଲାଗୁ ହେବ । ଏହା ଲାଗୁ ହେବା ପରେ ଶାହୀନ ବାଗ ସମେତ ଅନେକ ସମ୍ବେଦନଶୀଳ ସ୍ଥାନର ସୁରକ୍ଷାକୁ ବଢାଇ ଦିଆଯାଇଛି ।

ହେଲେ ଗୋଟିଏ ପ୍ରଶ୍ନ ଉଙ୍କି ମାରୁଛି ଯେ, ଯେଉଁ ଆଇନକୁ ୨୦୧୯ ମସିହାରେ ମୋଦୀ ସରକାର ପାସ କରିଥିଲେ, ତାକୁ ଲାଗୁ କରିବା ପାଇଁ ଏତେ ସମୟ କାହିଁକି ଲାଗିଲା? ଏହି ପ୍ରଶ୍ନର ଉତ୍ତର ବିଜେପି ଦେଇଛି । ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜମାଲ ସିଦ୍ଦିକି ମିଡିଆ ସହ କଥା ହେବା ସମୟରେ କହିଛନ୍ତି ଯେ, ଏହା ମୋଦୀ ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ।

ସେ କହିଛନ୍ତି ଯେ, ପଡୋଶୀ ଦେଶରୁ ଆସିଥିବା ନିର୍ଯାତିତ ଲୋକଙ୍କୁ ସରକାର ସମ୍ମାନ ଜଣାଇଛନ୍ତି । ସେମାନଙ୍କୁ ନାଗରିକତା ଦିଆଯାଇଛି । ସେ ଏହି ନିୟମ ଲାଗୁ ହେବାରେ କାହିଁକି ବିଳମ୍ବିତ ହୋଇଛି ସେହି ବିଷୟରେ ମଧ୍ୟ ଉତ୍ତର ଦେଇଛନ୍ତି । କହିଛନ୍ତି ଯେ, ଅନେକ ଲୋକ ଏହି ନିୟମ ଲାଗୁ ହେବାରେ ବାଧା ସୃଷ୍ଟି କରିବାକୁ ଚାହୁଁଥିଲେ । କିଛି ଲୋକେ ଭୋଟ ରାଜନୀତି ଏବଂ ଆବେଦନ ପାଇଁ ମୁସଲମାନମାନଙ୍କୁ ବିଭ୍ରାନ୍ତ କରିବାକୁ ଚାହୁଁଥିଲେ । କିନ୍ତୁ ମୁସଲିମ ଭାଇମାନେ ବୁଝିବା ପରେ ଏହି ପଦକ୍ଷେପ ନିଆଯାଇଥିଲା ଯେ, ଏହା ନାଗରିକତ୍ୱ ଗ୍ରହଣ କରିବା ନୁହେଁ ବରଂ ନାଗରିକତ୍ୱ ଦେବା ପାଇଁ ଏହା ଏକ ନିୟମ ।

ସେ କହିଛନ୍ତି ଯେ, ଦେଶରେ ମୁସଲମାନ ଭାଇମାନେ ବର୍ତ୍ତମାନ ସଂପୂର୍ଣ୍ଣ ଭାବେ ବୁଝିସାରିଛନ୍ତି ଯେ, ସିଏଏ ନିୟମରେ ତାଙ୍କ ପାଇଁ କୌଣସି ବିପଦ ନାହିଁ । ଏହା ଏକ ଖୁସିର ଅବସର । ଏହାକୁ ବୁଝିବା ପାଇଁ କିଛି ସମୟ ଲାଗେ । ଏହାକୁ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଏବଂ ପ୍ରଧାନମନ୍ତ୍ରୀ ମୋଦୀ କାର୍ଯ୍ୟକାରୀ କରିଛନ୍ତି, ଏହା ଦେଶ ପାଇଁ ଏକ ଖୁସିର ଘଟଣା ଅଟେ ।

Get real time updates directly on you device, subscribe now.