fbpx

୩୦ ବର୍ଷ ପରେ ଏହି ସବୁ ଠାରୁ ଦୂରେଇ ରୁହନ୍ତୁ, ନଚେତ ଦେଖାଦେଇଥାଏ ବାର୍ଦ୍ଧକ୍ୟର ଲକ୍ଷଣ

ଓଡ଼ିଶା ଭାସ୍କର: ଆଜିକାଲି କାର୍ଯ୍ୟବ୍ୟସ୍ତତା ଯୋଗୁଁ ବ୍ୟକ୍ତିର ଖାଦ୍ୟପେୟ ଏବଂ ଜୀବନଶୈଳୀରେ ଅନେକ ପରିବର୍ତ୍ତନ ଦେଖାଦେଇଛି । ବୃତ୍ତିଗତ ଏବଂ ବ୍ୟକ୍ତିଗତ ଜୀବନରେ କାର୍ଯ୍ୟ ଚାପ ଏବଂ ଦାୟିତ୍ୱ ଭାରରେ ବ୍ୟକ୍ତି ସବୁବେଳେ ଚିନ୍ତାଗ୍ରସ୍ତ ରହିଥାଏ । ଏଥିପାଇଁ ଅଧିକାଂଶ କ୍ଷେତ୍ରରେ ବ୍ୟକ୍ତିଙ୍କ ମଧ୍ୟରେ ଶୀଘ୍ର ବୟସର ଛାପ ଦେଖାଦେଇଥାଏ । ବୟସ ବୃଦ୍ଧି ହେବା ସାଙ୍ଗକୁ ଦାୟିତ୍ୱ ବି ବଢ଼ିଥାଏ । କ୍ୟାରିୟର ଏବଂ ପରିବାର ମଧ୍ୟରେ ଘାଣ୍ଟି ହୋଇ ଆମେ ନିଜର ଯତ୍ନ ନେବାକୁ ଭୁଲିଯାଇଥାଉ । ବିଶେଷ କରି ୩୦ ବର୍ଷ ପରେ ସୁସ୍ଥ ଶରୀର ଏବଂ ମାନସିକ ଦୁଶ୍ଚିନ୍ତାରୁ ଦୂରେଇ ରହିବା ପାଇଁ ଜୀବନଶୈଳୀରେ କିଛିଟା ପରିବର୍ତ୍ତନ ଲୋଡ଼ା ଥାଏ । ତେବେ ଆସନ୍ତୁ ଜାଣିବା କେଉଁ ୩୦ ବର୍ଷ ପରେ କେଉଁ ସବୁ ଅଭ୍ୟାସ ଆପଣାଇବା ଦ୍ୱାରା ଜୀବନଶୈଳୀରେ ସୁଧାର ଆଣିପାରିବା ।

୧. ଖାଦ୍ୟରେ ସାମିଲ କରନ୍ତୁ ନାହିଁ ଏହି ଜିନିଷ: ବୟସ ବଢ଼ିବା ସାଙ୍ଗକୁ ଖାଦ୍ୟ ପେୟରେ ଲୁଣ, ଚିନି ଏବଂ ମଇଦାର ସେବନ ଯେତେଦୂର ସମମ୍ଭ କମ୍ କରିବା ଉଚିତ । ଏହା ପରିବର୍ତ୍ତେ ସତେଜ ଫଳ, ପନିପରିବା, ଡ୍ରାଇ ଫ୍ରୁଟ୍ସ ଇତ୍ୟାଦି ଡାଏଟ୍ ଚାର୍ଟରେ ସାମିଲ କରିପାରିବା ।

୨. ଓଜନ ନିୟନ୍ତ୍ରଣ ରହିବା: ସାଧାରଣତଃ କିଛି ବ୍ୟକ୍ତିଙ୍କ ଓଜନ ୩୦ ବର୍ଷ ପୂର୍ବରୁ ବଢ଼ିଥାଏ ଏବଂ କେତେ ଜଣଙ୍କର ୩୦ ବର୍ଷ ପରେ । ତେଣୁ ଏହି ବୟସ ପରେ ଓଜନ ବୃଦ୍ଧି ଉପରେ ନିୟନ୍ତ୍ରଣ ରହିବା ଉଚିତ । କାରଣ ଏକ ନିର୍ଦ୍ଦିଷ୍ଟ ବୟସ ପରେ ଓଜନ ହ୍ରାସ କରିବା କଷ୍ଟକର ହୋଇପଡ଼େ । ମେଦବହୁଳତା କାରଣରୁ ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇଥାଏ ।

୩. ସକାଳୁ ଶୀଘ୍ର ଉଠିବା: ଜୀବନଶୈଳୀରେ ପରିବର୍ତ୍ତନ ଆଣିବାର ପ୍ରଥମ ପର୍ଯ୍ୟାୟ ହେଉଛି ସକାଳୁ ଶୀଘ୍ର ଉଠିବା । ତାଜା ବାତାବରଣରେ ପ୍ରାତଃଭ୍ରମଣ, ଯୋଗାସନ, ବ୍ୟାୟାମ କରିବା ଦ୍ୱାରା ଶରୀର ସୁସ୍ଥ ରହିଥାଏ । ସକାଳର ସୂର୍ଯ୍ୟ କିରଣ ମଧ୍ୟ ଲାଭଦାୟକ ହୋଇଥାଏ । ଏହା ଦ୍ୱାରା ଜୀବନରେ ଅନୁଶାସନ ରହିଥାଏ ।

୪. ଷ୍ଟ୍ରେସ୍ ମ୍ୟାନେଜମେଣ୍ଟ: ସାଧାରଣତଃ ୩୦ ବର୍ଷ ପରେ କ୍ୟାରିୟର ଏବଂ ପରିବାର ଦାୟିତ୍ୱ ବୃଦ୍ଧି ପାଇଥାଏ । ତେଣୁ ଚିନ୍ତା କରିବା ସ୍ୱାଭାବିକ । କିନ୍ତୁ ସବୁବେଳେ ଚିନ୍ତାଗ୍ରସ୍ତ ରହିବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ । ମନରେ ନକାରାତ୍ମକ ଚିନ୍ତାଧାରା ବୃଦ୍ଧି ପାଇବା ସହ ଆତ୍ମବିଶ୍ୱାସ ହ୍ରାସ ହୋଇଥାଏ । ତେଣୁ ନିଜକୁ ଚିନ୍ତାମୁକ୍ତ ରଖିବା ପାଇଁ ନିଜକୁ ସୃଜନଶୀଳ କାର୍ଯ୍ୟରେ ବ୍ୟସ୍ତ ରଖନ୍ତୁ ।

୫. କାଫେନ୍ ଯୁକ୍ତ ଖାଦ୍ୟପେୟ ଠାରୁ ଦୂରେଇ ରୁହନ୍ତୁ: ୩୦ ବର୍ଷ ପରେ ଯେତେଦୂର ସମ୍ଭବ କାଫେନ ଯୁକ୍ତ ଖାଦ୍ୟପେୟ ଠାରୁ ଦୂରେଇ ରୁହନ୍ତୁ । ଏହା ଦ୍ୱାରା ତ୍ୱଚାରେ ଶୀଘ୍ର ବୟସର ଛାପ ଦେଖାଯିବା ସହ ନିଦ୍ରାହୀନତା, ପାଚନ ପ୍ରକ୍ରିୟାରେ ଅସନ୍ତୁଳନ ଇତ୍ୟାଦି ସମସ୍ୟା ଦେଖାଦେଇଥାଏ ।

Get real time updates directly on you device, subscribe now.