fbpx

ମୋହନ ସରକାର ନିଷ୍ପତ୍ତି : ଡିସେମ୍ବର ସୁଦ୍ଧା ଖାଲି ଥିବା ସରକାରୀ ପଦବୀରେ ମିଳିବ ନିଯୁକ୍ତି, ଜାଣନ୍ତୁ କେତେ

ଭୁବନେଶ୍ୱର: ସଂକଳ୍ପପତ୍ରରେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବେ ସରକାର । ଏଥିପାଇଁ ଅଣ୍ଟା ଭିଡ଼ିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆସନ୍ତା ମାସରେ ନିଯୁକ୍ତି ମେଳା ଆୟୋଜନ କରି ସରକାର ନିଯୁକ୍ତିପତ୍ର ବଣ୍ଟନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାଛଡ଼ା ଖାଲି ପଡ଼ିଥିବା ପଦବିକୁ ଦୃଷ୍ଟିରେ ରଖି ବିଜ୍ଞାପନ ଜାରି କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ସେପଟେମ୍ବର ମାସରେ ନିଯୁକ୍ତି ମେଳାରେ ବିଭିନ୍ନ ବର୍ଗର ୨୨ ହଜାର ପଦବିର ନିଯୁକ୍ତି ପତ୍ର ବଣ୍ଟନ କରିବାକୁ ସରକାର ନୀତିଗତ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି ।

ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ୩ ଲକ୍ଷ ୯୯ ହଜାର ୬୬୬ଟି ମୂଳ ପଦବିରୁ ୧ ଲକ୍ଷ ୩୨ ହଜାର ୪୫୯ଟି ପଦବି ପୂରଣ ପାଇଁ ସରକାର ପ୍ରସ୍ତୁତ କରିଛନ୍ତି କାର୍ଯ୍ୟ ଖସଡ଼ା । ୯୨ ହଜାର ୨୦୩ଟି ପଦବି ପୂରଣ ନିମନ୍ତେ କ୍ଷମତାପ୍ରାପ୍ତ କମିଟି ଅନୁମୋଦନ ଦେଇସାରିଛି । ଡିସେମ୍ବର ସୁଦ୍ଧା ଖାଲି ପଡ଼ିଥିବା ସମସ୍ତ ସରକାରୀ ପଦବୀ ନିମନ୍ତେ ବିଜ୍ଞାପନ ଜାରି କରିବାକୁ ରାଜ୍ୟ ସରକାରଙ୍କ ନିଯୁକ୍ତି ଏଜେନ୍ସୀଗୁଡ଼ିକୁ କୁହାଯାଇଛି । ଆସନ୍ତା ସେପ୍ଟେମ୍ବର ମାସରେ ରାଜ୍ୟ ସରକାର ନିଯୁକ୍ତି ମେଳା ମାଧ୍ୟମରେ ୧୮ ହଜାର ୭୮୮ ଜଣ କନିଷ୍ଠ ଶିକ୍ଷକଙ୍କ ସହ ଅନ୍ୟ ବର୍ଗକୁ ମିଶାଇ ୨୧, ୯୧୮ ଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତି ଦେବେ ।

ସରକାରୀ ଭାବେ ଖାଲି ଥିବା ୧ଲକ୍ଷ ୩୨ହଜାର ୪୫୯ ପଦବିରୁ ବାକି ଥିବା ୪୦୨୫୬ଟି ପଦବିକୁ ଅନୁମୋଦନ ପ୍ରକ୍ରିୟା ଆସନ୍ତା ମାସ ସୁଦ୍ଧା ସାରିବାକୁ ବିଭାଗଗୁଡ଼ିକୁ ତୃତୀୟ ମହଲାରୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁ ୯୨, ୨୦୩ ପଦବି କ୍ଷମତାପ୍ରାପ୍ତ କମିଟି ଅନୁମୋଦନ କରିଛନ୍ତି ସେଥିରୁ ୭୮,୯୧୯ଟି ପୂରଣ ପାଇଁ ସରକାରଙ୍କ ବିଭିନ୍ନ ନିଯୁକ୍ତି ଏଜେନ୍ସୀକୁ ନିର୍ଦ୍ଦେଶ ଜାରି ହୋଇଛି । ବଳକା ୧୩, ୨୮୪ ପଦବି ପୂରଣ ପାଇଁ ଚଳିତମାସ ସୁଦ୍ଧା ନିଯୁକ୍ତି ଏଜେନ୍ସୀକୁ ଅବଗତ କରାଇବାକୁ ସଂପୃକ୍ତ ବିଭାଗକୁ ନିର୍ଦ୍ଦେଶ ଜାରି ହୋଇଛି ।

ଆସନ୍ତା ମାସରୁ ଡିସେମ୍ବର ମଧ୍ୟରେ ରାଜ୍ୟ ସରକାର ପ୍ରାୟ ୪୬ଟି ନିଯୁକ୍ତି ମେଳା ଆୟୋଜନ କରିବେ । ୩୪,୬୮୬ଟି ସରକାରୀ ପଦବୀର ଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟିବେ । ଏଥିରେ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ, ଟିଜିଟି, କନଷ୍ଟେବଳ(କମ୍ୟୁନିକେସନ), ଜୁନିୟର ଏମଭିଆଇ, ମାଇନିଂ ଅଫିସର, ପୁଲିସ ଏସଆଇ, ବିଭିନ୍ନ ବାଟାଲିୟନ ପାଇଁ ୧୫୧୩ଜଣ କନେଷ୍ଟବଳ, ୨୭୧୨ ପ୍ରାଣୀଧନ ନିରୀକ୍ଷକ, ଫରେଷ୍ଟର ଓ ଫରେଷ୍ଟ ଗାର୍ଡ, ୫୬୯ଜଣ କ୍ଲାସିକାଲ ଶିକ୍ଷକ ଆଦି ଅଛନ୍ତି । ଖାଲି ସରକାରୀ ପଦବି ପୂରଣକୁ ମୋହନ ସରକାର ସର୍ବାଧିକ ଫୋକସ୍ କରି ସମସ୍ତ ବିଭାଗ ଏହାକୁ ତ୍ୱରିତ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି ।

Get real time updates directly on you device, subscribe now.