ଭୁବନେଶ୍ୱର: ଉତ୍ତର ବିହାରର ମଧ୍ୟ ଭାଗରୁ ଝାଡ଼ଖଣ୍ଡ ଦେଇ ଓଡ଼ିଶା ପର୍ଯ୍ୟନ୍ତ ଏକ ଟ୍ରଫ୍ ଲାଇନ୍ ରହିଛି। ମୌସୁମୀ ଟ୍ରଫ୍ ଲାଇନ୍ ବର୍ତ୍ତମାନ ପଶ୍ଚିମ ରାଜସ୍ଥାନ ଓ ସଂଲଗ୍ନ ପାକିସ୍ତାନ, ଚୁରୁ, ଆୟାନଗର, ଶାହଜାହାନପୁର, ଲକ୍ଷ୍ନୌ, ପାଟନା, ବାଙ୍କୁରା, ଦୀଘା ଓ ସେଠାରୁ ପୂର୍ବ ଦିଗରେ ଉତ୍ତର-ପୂର୍ବ ବଙ୍ଗୋପସାଗର ଉପରେ ଚିହ୍ନିତ ନିମ୍ନ ଚାପ କ୍ଷେତ୍ରର କେନ୍ଦ୍ର ଦେଇ ଗତି କରୁଛି। ପ୍ରଭାବରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।
ସେହିପରି ଜୁଲାଇ ୨୪ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାଦ୍ବାରା ୨୩ ଓ ୨୪ ତାରିଖରେ ମୟୂରଭଞ୍ଜ, ବାଲେଶ୍ବର ଓ କେନ୍ଦୁଝର ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା, ଘଡ଼ଘଡ଼ି, ବିଜୁଳି ସହ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ହେବାକୁ ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି।
ବାକି ଜିଲ୍ଲାଗୁଡ଼ିକରେ ମଧ୍ୟ ବର୍ଷାର ପ୍ରଭାବ ରହିବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ୨୫ ଓ ୨୬ ତାରିଖରେ ଅଧିକାଂଶ ଜିଲ୍ଲାରେ ହାଲୁକାରୁ ମଧ୍ୟମ ବର୍ଷା ସହ ଘଡ଼ଘଡ଼ି ହୋଇପାରେ।
୨୪ ତାରିଖରେ ଓଡ଼ିଶା ଉପକୂଳ, ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳ ଏବଂ ସଂଲଗ୍ନ ଅଞ୍ଚଳରେ ୩୫ରୁ ୪୫ କିମି ବେଗରେ ପବନ ବହିବ। ସ୍ଥଳ ବିଶେଷରେ ପବନର ବେଗ ୫୫ କିମି ଛୁଇଁପାରେ। ଯାହାଦ୍ବାରା ସମୁଦ୍ର ଅଶାନ୍ତ ରହିବାକୁ ଥିବାରୁ ୨୪ ତାରିଖରେ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ଗତ ୨୪ ଘଣ୍ଟାରେ ବରଗଡ଼ ଜିଲ୍ଲା ଅତାବିରାରେ ୧୦ ସେମି, ନବରଙ୍ଗପୁରର ଝରିଗାଁ, ଅନୁଗୁଳର ଛେଣ୍ଡିପଦା, ଜଗତ୍ସିଂହପୁରର ଆଳିପିଙ୍ଗଳରେ ୯ ସେମି ବର୍ଷା ହୋଇଛି।