ସୀମାରେ ମାର୍ଶଲ ଲ’ ଲାଗୁ କଲା ଥାଇଲାଣ୍ଡ, ଚୀନର ମଧ୍ୟସ୍ଥତାକୁ ପ୍ରତ୍ୟାଖ୍ୟାନ କରି କହିଲା…

ବ୍ୟାଙ୍କକ୍,୨୫ା୭: ଥାଇଲାଣ୍ଡ-କାମ୍ବୋଡିଆ ସୀମାରେ ବର୍ତ୍ତମାନ ଉତ୍ତେଜନା ପରିସ୍ଥିତି ଲାଗି ରହିଛି। ଉଭୟ ଦେଶ ସୀମା ଚାରିପାଖରେ ସେମାନଙ୍କର ସାମରିକ ବାହିନୀ ମୁତୟନ କରିଛନ୍ତି। ଶୁକ୍ରବାର ଦୁଇ ଦେଶ ମଧ୍ୟରେ ପ୍ରବଳ ଗୁଳିବର୍ଷଣ ହୋଇଥିଲା । ଯାହାକୁ ଦୃଷ୍ଟିରେ ରଖି ଥାଇଲାଣ୍ଡ ସୀମାନ୍ତବର୍ତ୍ତୀ ୮ଟି ଜିଲ୍ଲାରେ ମାର୍ଶଲ ଲ’ ବା ସାମରିକ ଆଇନ ଘୋଷଣା କରିଛି।

ଚାନ୍ଥାବରୀ ଏବଂ ତ୍ରାଟ୍ ପ୍ରଦେଶରେ ସେନାର କମାଣ୍ଡର ଆପିଚାର୍ଟ ସାପ୍ରାସେର୍ଟ ଏକ ବିବୃତ୍ତିରେ କହିଛନ୍ତି, ଚାନ୍ଥାବରୀର ସାତଟି ଜିଲ୍ଲା ଏବଂ ତ୍ରାଟର ଗୋଟିଏ ଜିଲ୍ଲାରେ ସାମରିକ ଆଇନ ଏବେ ବଳବତ୍ତର ଅଛି। ସାମରିକ ସୀମା କମାଣ୍ଡର କହିଛନ୍ତି, କାମ୍ବୋଡିଆ ଏବେ ଅସ୍ତ୍ରଶସ୍ତ୍ର ଏବଂ ବଳ ବ୍ୟବହାର କରୁଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି।

ଥାଇଲାଣ୍ଡ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, କାମ୍ବୋଡିଆ ସହିତ ସୀମା ବିବାଦର ସମାଧାନ ପାଇଁ କୌଣସି ତୃତୀୟ ପକ୍ଷ ଦ୍ୱାରା ମଧ୍ୟସ୍ଥତା ପରିବର୍ତ୍ତେ ଦ୍ୱିପାକ୍ଷିକ ଆଲୋଚନା ହେବା ଜରୁରୀ ଅଟେ ।

ଉଲ୍ଲେଖନୀୟ ଯେ, ଦୁଇ ଦେଶ ମଧ୍ୟରେ ମଧ୍ୟସ୍ଥତା ସମ୍ପର୍କରେ ଚୀନ୍ ପକ୍ଷରୁ ଏକ ବିବୃତ୍ତି ଆସିବା ପରେ ଥାଇଲାଣ୍ଡ ବୈଦେଶିକ ମନ୍ତ୍ରଣାଳୟ ଏପରି କହିଛି ।