ବାଲେଶ୍ୱରରେ ବାତ୍ୟା ମୁକାବିଲା ନେଇ ପ୍ରସ୍ତୁତି ଚଲାଇଛି ଓଡିଆରଏଏଫ୍ ଟିମ୍

ବାଲେଶ୍ୱର(ଓଡ଼ିଶା ଭାସ୍କର): ମାଡି ଆସୁଛି ବାତ୍ୟା ୟଶ୍ । ବର୍ତ୍ତମାନ ଏହାର ପ୍ରସ୍ତୁତିରେ ଲାଗିପଡିଛନ୍ତି ରାଜ୍ୟ ସରକାର । ଏହି ପରିପ୍ରେକ୍ଷୀରେ ବାଲେଶ୍ୱରରେ ବାତ୍ୟା ପ୍ରଭାବ ଅଧିକ ରହିବାକୁ ଥିବା ସେଠାରେ ଏବେ ହାଇ ଆଲର୍ଟ ଜାରି ହୋଇଛି । ଏହାର ମୁକାବିଲା ପାଇଁ ଜିଲ୍ଳାରେ ବର୍ତ୍ତମାନ ପହଞ୍ଚିଛନ୍ତି ୧୨ ଓଡିଆରଏଏଫ୍ ଟିମ୍ । ବାତ୍ୟା ପରେ ଲୋକମାନଙ୍କୁ ରିଲିଫ୍ ଠାରୁ ଆରମ୍ଭ କରି ସବୁପ୍ରକାରର ସାହାଯ୍ୟ ପହଞ୍ଚାଇବା ପାଇଁ ସେମାନେ ଆଜି ଆସି ପହଞ୍ଚିଯାଇଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ବାତ୍ୟା ସମୟରେ ଅତି କମ୍ ରେ ତିନି ଦିନ ପାଇଁ ଘରେ ପାନୀୟ ଜଳ ମହଜୁଦ ରଖିବାକୁ କୁହାଯାଇଛି । ଏଥିସହ ଜିଲ୍ଳାରେ ବାତ୍ୟା ପୂର୍ବ ସ୍ଥିତି ସମୀକ୍ଷା କରିଛନ୍ତି ଆଇନ୍ ଶୃଙ୍ଖଳା ଏଡିଜି ଯଶୱନ୍ତ ଜେଠୱା । ଯେଉଁ ମାନେ କଚ୍ଚା ଘରେ ଅଛନ୍ତି ସେମାନେ ତୁରନ୍ତ ସାଇକ୍ଲୋନ୍ ସେଣ୍ଟରକୁ ଯିବାକୁ କହିଛନ୍ତି । ସେହିପରି ପାଖାପାଖି ୧ଲକ୍ଷ ୨୦ ହଜାର ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ବାତ୍ୟା ବର୍ତ୍ତମାନ ବାଲେଶ୍ୱରଠାରୁ ଦକ୍ଷିଣ-ପଶ୍ଚିମ ପୂର୍ବରୁ ୬୩୦ କିମି ଦୂରରେ ରହିଛି । ତେବେ ବାଲେଶ୍ୱର ସମେତ ଜଗତସିଂହପୁର, ଭଦ୍ରକ, କେନ୍ଦାପଡାରେ ଉଚ୍ଚ ଜୁଆର ଉଠିବ ବୋଲି ଆଇଏମଡି ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।