ବୁର୍ଖା ନ ପିନ୍ଧିବାରୁ ୨୧ ବର୍ଷୀୟ ମହିଳାଙ୍କୁ ଗୁଳି କରି ମାରିଦେଲେ ତାଲିବାନ ଆତଙ୍କବାଦୀ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନୀ ଆତଙ୍କବାଦୀଙ୍କ ଆତଙ୍କ ଜାରି ରହିଛି । ଦେଶର ଅଧିକାଂଶ ରାଜ୍ୟ ଉପରେ ତାଲିବାନ ମାନେ କବଜା କରିସାରିଲେଣି । ଫଳରେ ଦେଶରେ ଯୁଦ୍ଧ ପରିସ୍ଥିତି ଜାରି ରହିଛି । ଇତି ମଧ୍ୟରେ ଅନେକ ଲୋକଙ୍କ ଜୀବନ ମଧ୍ୟ ଚାଲିଗଲାଣି । ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଏବଂ ପିଲା ରହିଛନ୍ତି । ଦିନକୁ ଦିନ ସେମାନଙ୍କ ଅତ୍ୟାଚାର ବଢ଼ିଚାଲିଛି । ଏନେଇ ନିକଟରେ ଜାତିସଂଘ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଥିଲା । ବର୍ତ୍ତମାନ ଆଉ ଏକ ଅଭାବନୀୟ ଘଟଣା ସାମନାକୁ ଆସିଛି । ତାଲିବାନ ଆତଙ୍କବାଦୀ ମାନେ ଜଣେ ୨୧ ବର୍ଷୀୟ ଯୁବତୀଙ୍କୁ ବୁର୍ଖା ନ ପିନ୍ଧିବାରୁ ଗୁଳି କରି ମାରିଦେଇଛନ୍ତି ।

ରିପୋର୍ଟ ଅନୁସାରେ, ଜଣେ ୨୧ ବର୍ଷୀୟା ଯୁବତୀଙ୍କ ନାଜନୀନ ବଲ୍ଖ ଜିଲ୍ଲା କେନ୍ଦ୍ରକୁ ଯାଉଥିଲେ । ଏହି ସମୟରେ ଆତଙ୍କବାଦୀ ମାନେ ତାଙ୍କୁ କାର୍ ଭିତରୁ ବାହାରକୁ ଟାଣି ଆଣି ଗୁଳି କରିଦେଇଥିଲେ । ତାଲିବାନ ମାନେ ଏହିଭଳି ଭାବରେ ଆଫଗାନିସ୍ତାନର ନାଗରିକଙ୍କ ଉପରେ ଅତ୍ୟାଚାରର ମାତ୍ରା ବଢ଼ାଇଚାଲିଛନ୍ତି । ଯେଉଁ ଯେଉଁ ଅଞ୍ଚଳକୁ କାବୁ କରୁଛନ୍ତି ସେହି ଅଞ୍ଚଳ ମାନଙ୍କ ରେ ନିଜର ହୁକୁମ୍ କରିଚାଲିଛନ୍ତି । ସେମାନଙ୍କ ନିୟମକାନୁନ୍ କୁ ଲାଗୁ କରିବାରେ ଲାଗି ପଡ଼ିଛନ୍ତି । ମହିଳା ମାନଙ୍କୁ ଶରୀର ଘୋଡାଇ ରଖିବାକୁ କୁହାଯାଉଛି । ଏକୁଟିଆ ବାହାରକୁ ଯିବାକୁ ଦିଆଯାଉନାହିଁ । ତେବେ ଯୁବତୀଙ୍କୁ ଗୁଳି କରିବା କଥାକୁ ନେଇ ତାଲିବାନ ପ୍ରବକ୍ତା ଜବୀହୁଲ୍ଲା ମୁଜାହିଦ୍ ଖଣ୍ଡନ କରିଛନ୍ତି ।

ବିଦେଶୀ ସୈନ୍ୟ ପ୍ରତ୍ୟାହାର ପରଠାରୁ ତାଲିବାନ ମାନେ କଠୋର ହୋଇଯାଇଛନ୍ତି । ଅଫାଗାନ୍ ମାନଙ୍କ ଉପରେ ତୀବ୍ର ଆକ୍ରମଣ କରିବା ସହିତ ଇସଲାମ୍ ନିୟମ ମାନିବାକୁ ବାଧ୍ୟ କରାଯାଉଛି । ଏହି ପରିପ୍ରେକ୍ଷୀରେ ଝିଅ ମହିଳା ମାନଙ୍କୁ ସ୍କୁଲ୍ ଯିବାକୁ ବାରଣ କରାଯାଉଛି । ମହିଳାଙ୍କ ବିରୋଧରେ ଅପରାଧ ତଥା ବ୍ୟାଭିଚାର ବଢ଼ିଚାଲିଛି ।