fbpx

ଗଞ୍ଜାମରେ ପୁଣି ଷ୍ଟୋନ୍‌ମ୍ୟାନ୍‌ ଆତଙ୍କ: ପଥରରେ ଛେଚି ଜଣଙ୍କୁ ନିର୍ମମ ହତ୍ୟା, ଲୋକ ଭୟଭୀତ

ବ୍ରହ୍ମପୁର, (ଭାସ୍କର ନ୍ୟୁଜ୍‌): ଗଞ୍ଜାମ ଜିଲ୍ଲାରେ କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ଷ୍ଟୋନମ୍ୟାନ୍‌ ଆତଙ୍କ ଦେଖାଦେଇଛି । ଏହାକୁ ନେଇ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇବା ସହ ଲୋକମାନେ ଭୟଭୀତ ହୋଇପଡିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଜିଲ୍ଲାର ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଚିଙ୍ଗୁଡିଘାଇ ଗାଁ ଠାକୁରାଣୀ ନିକଟରେ ଜଣେ ବ୍ୟକ୍ତିଙ୍କୁ କେହି ପଥରରେ ଛେଚି ହତ୍ୟା କରିଥିବା ଥାନାରେ ଅଭିଯୋଗ ହୋଇଛି । ମୃତ ବ୍ୟକ୍ତି ଜଣକ ହେଲେ ଚିଙ୍ଗୁଡିଘାଇର ବିନାୟକ ପ୍ରଧାନ । ସେ ରବିବାର ରାତିରେ ଚିଙ୍ଗୁଡିଘାଇ ଗାଁ ଠାକୁରାଣୀ ମନ୍ଦିର ନିକଟରେ ଶୋଇଥିବାବେଳେ ଏଭଳି ଅଭାବନୀୟ କାଣ୍ଡ ଘଟିଛି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବିନାୟକଙ୍କ ମୃତଦେହ ନିକଟରେ କାଗଜରେ ଏକ ପୋଷ୍ଟର ମଧ୍ୟ ରହିଛି । ଏଥିରେ ପରବର୍ତ୍ତୀ ପର୍ଯ୍ୟାୟରେ ଆଉ ଜଣଙ୍କୁ ଟାର୍ଗେଟ କରାଯିବ ବୋଲି ସ୍ପଷ୍ଟ ଭାବେ ଲେଖା ଯାଇଛି ।

ସୂଚନାଯୋଗ୍ୟ ଯେ, ବିନାୟକଙ୍କ ଘର ଠାକୁରାଣୀ ନିକଟରେ । ସେ ସବୁଦିନ ମନ୍ଦିର ପାଖରେ ଶୋଇଥାନ୍ତି । ତେବେ ସୋମବାର ସକାଳେ ତାଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଥିବା ନେଇ ଗ୍ରାମବାସୀମାନେ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପରେ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ମଧ୍ୟ ତନାଘନା ଚଳାଇଛି । ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇ ୩ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି ।

Get real time updates directly on you device, subscribe now.