fbpx

ହଜାର ହଜାର ଲୋକଙ୍କ ଭିଡରେ ମାତ୍ର ୨୩ ଜଣ ସାକ୍ଷୀ, ଲକ୍ଷ୍ମୀପୁର ଘଟଣାରେ ୟୁପି ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

ନୂଆଦିଲ୍ଲୀ : ଲକ୍ଷ୍ମୀପୁର ଖେରୀ ହିଂସା ମାମଲାରେ ସୁପ୍ରିମକୋର୍ଟ ମଙ୍ଗଳବାର ଉତ୍ତର ପ୍ରଦେଶ ସରକାରଙ୍କୁ ଭର୍ତ୍ସନା କରିଛନ୍ତି । ଅଦାଲତ ପ୍ରଶ୍ନ କରିଛନ୍ତି ଯେ, ଘଟଣାସ୍ଥଳରେ ହଜାର ସଂଖ୍ୟକ ଲୋକ ଥିଲେ କିନ୍ତୁ ଆପଣ ମାତ୍ର ୨୩ ଜଣ ସାକ୍ଷୀ ପାଇଛନ୍ତି । କେବଳ ଏତିକି ନୁହେଁ ଘଟଣାର ସାକ୍ଷୀମାନଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଉଚ୍ଚତମ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି । ଯଥା ଶୀଘ୍ର ସାକ୍ଷୀଙ୍କ ବୟାନ ରେକର୍ଡ କରିବାକୁ କୋର୍ଟ କହିଛନ୍ତି । ପ୍ରଧାନ ବିଚାରପତି ଏନଭି ରମନ୍ନା, ବିଚାରପତି ସୂର୍ଯ୍ୟକାନ୍ତ ଏବଂ ବିଚାରପତି ହିମା କୋହଲିଙ୍କ ଖଣ୍ଡପୀଠ ଅଦାଲତଙ୍କ ତତ୍ୱାବଧାନରେ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ମାମଲାର ଯାଞ୍ଚ କରାଯିବା ଆବେଦନର ଶୁଣାଣି କରିଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୮ ତାରିଖ ଧାର୍ଯ୍ୟ କରାଯାଇଛି ।

ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷରୁ ଉପସ୍ଥିତ ବରିଷ୍ଠ ଆଡଭୋକେଟ୍ ହରିଶ ସାଲଭେ ସୁପ୍ରିମକୋର୍ଟକୁ କହିଛନ୍ତି, ୬୮ ସାକ୍ଷୀଙ୍କ ମଧ୍ୟରୁ ୩୦ ଜଣଙ୍କ ବୟାନ ରେକର୍ଡ କରାଯାଇଛି । ୨୩ ଜଣ ନିଜେ ଘଟଣାସ୍ଥଳରେ ଥିଲେ ବୋଲି ଦାବି କରିଛନ୍ତି । ଏହା ଉପରେ ସିଜେଆଇ କହିଛନ୍ତି, ସେଠାରେ ବଡ ସଂଖ୍ୟାରେ କୃଷକଙ୍କ ରାଲି ଚାଲିଥିଲା, ଶତାଧିକ କୃଷକ ଉପସ୍ଥିତ ଥିଲେ । ତେବେ ଆପଣଙ୍କୁ ମାତ୍ର ୨୩ ଜଣ ସାକ୍ଷୀ ମିଳିଲେ ? ଏହା ଜବାବରେ ସାଲଭେ କହିଛନ୍ତି, ଉକ୍ତ ସାକ୍ଷୀମାନେ କାର ଏବଂ କାରରେ ଥିବା ଲୋକଙ୍କୁ ଦେଖିଛନ୍ତି ।

ଶୁଣାଣି ସମୟରେ ସର୍ବୋଚ୍ଚ ଅଦାଲତ ଏହା ମଧ୍ୟ କହିଛନ୍ତି, ଘଟଣାସ୍ଥଳରେ ୪୦୦୦-୫୦୦୦ ଲୋକଙ୍କ ଭିଡ ଥିଲା, ଯେଉଁମାନେ ସମସ୍ତେ ସ୍ଥାନୀୟ ଲୋକ ଥିଲେ । ଏପରିକି ଘଟଣା ପରେ ଅଧିକାଂଶ ଆନ୍ଦୋଳନ ମଧ୍ୟ କରୁଥିଲେ । ତେଣୁ ଅଭିଯୁକ୍ତଙ୍କ ଚିହ୍ନଟରେ କୌଣସି ସମସ୍ୟା ହେବା ଉଚିତ୍ ନୁହେଁ । ହରିଶ ସାଲଭେ କହିଛନ୍ତି, ଏ ପର୍ଯ୍ୟନ୍ତ ଯେତେ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଛି ତାହା ୟୁପି ସରକାର ଜଉମୁଦ ଲଫାପାରେ ଦେଇ ପାରିବେ ।

ସୂଚନାଯୋଗ୍ୟ, ଲକ୍ଷୀପୁର ଖେରୀର ତିକୁନିଆରେ ଅକ୍ଟୋବର ୩ ତାରିଖରେ ଚାଲିଥିବା କୃଷକ ରାଲି ଉପରେ ଏସୟୁଭି କାର ଚଢାଯାଇ କୃଷକଙ୍କ ହତ୍ୟା କରାଯାଇଥିଲା । ଏହି ଘଟଣାରେ ୪ ଜଣ କୃଷକଙ୍କ ମୃତ୍ୟୁ ଘଟିଥିବା ବେଳେ ଉତ୍ତେଜିତ ଲୋକ କାରରେ ଥିବା ଲୋକଙ୍କ ମଧ୍ୟରୁ ୩ ଜଣଙ୍କୁ ପିଟି ହତ୍ୟା କରିଥିଲେ । ଏହି ଆକ୍ରମଣରେ ଜଣେ ସ୍ଥାନୀୟ ସାମ୍ବାଦିକଙ୍କ ମୃତ୍ୟୁ ଘଟିଥିଲା ।

Get real time updates directly on you device, subscribe now.