fbpx

ଶ୍ୱଶୁର ଘର ବାହାରେ ମାଆ ଲକ୍ଷ୍ମୀଙ୍କ ମାଣ ବସାଇଲେ ତପସ୍ୱିନୀ: ସ୍ୱାମୀ ଓ ଶ୍ୱଶୁର କେହି ଆସିଲେନି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ହେଉଛି ମା’ ଲକ୍ଷ୍ମୀଙ୍କ ମାଣବସା ଗୁରୁବାର । ଏକଥାକୁ ଭୁଲିନାହାନ୍ତି ନ୍ୟାୟ ପାଇଁ ଲଢ଼େଇ କରୁଥିବା ଓଡ଼ିଆ ଘରର ବୋହୂ ତପସ୍ୱିନୀ ଦାଶ । ଗତ ଚାରିଦିନ ହେଲା ସେ ବ୍ରହ୍ମପୁରର ବୈଦ୍ୟନାଥପୁର ଥାନା ଅଧୀନ ବ୍ରହ୍ମାନଗର ସ୍ଥିତ ଶ୍ୱଶୁର ଘର ସମ୍ମୁଖରେ ଧାରଣା ଦେଇ ଆସୁଛନ୍ତି । ତେବେ ଆଜି ଧାରଣାସ୍ଥଳରେ ତପସ୍ୱିନୀ ତାଙ୍କ ମାଆ ସହିତ ମିଶି ମାଆ ଲକ୍ଷ୍ମୀଙ୍କୁ ସମସ୍ତ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରି ଜଣେ ସଂସ୍କାରୀ ବୋହୂର ପରିଚୟ ଦେଇଛନ୍ତି । ଘର ବାହାରେ ବୋହୂ ପୂଜାର୍ଚ୍ଚନା ଜାରି ରଖିଥିବା ବେଳେ ଅନ୍ୟପଟେ ତାଙ୍କର ଶ୍ୱଶୁର ପ୍ରମୋଦ ସାହୁ ଓ ସ୍ୱାମୀ ଡା. ସୁମିତ ସାହୁ କେହି ବାହାରକୁ ଆସିନଥିଲେ ।

ଆଜି ତପସ୍ୱିନୀ ନୂଆ ଶାଢ଼ି ପିନ୍ଧି, ଝୋଟି ପକାଇ ଲକ୍ଷ୍ମୀ ପୁରାଣ ପଢ଼ିବା ସହ ପୁଷ୍ପ, ଫଳ, ନଡ଼ିଆ, ଆଖୁ, ଧାନ, ମୁରୁଜ ନେଇ ମାଆଙ୍କ ଆରାଧନା କରିଥିଲେ । ପୂଜା ସରିବା ପରେ ସମସ୍ତଙ୍କୁ ମିଠା ବଣ୍ଟନ କରିଥିଲେ । ତାଙ୍କୁ ଘରେ ନ ପୂରାଇଲେ ହେଁ ଏବେ ବି ସେ ସୁମିତଙ୍କର ପତ୍ନୀ, ତେଣୁ ଜଣେ ଓଡ଼ିଆ ଘରର ବୋହୂ ହିସାବରେ ମାଆ ଲକ୍ଷ୍ମୀଙ୍କ ମାଣ ବସାଇଥିବା କହିଛନ୍ତି ତପସ୍ୱିନୀ । ସୂଚନାଯୋଗ୍ୟ ଯେ, ପୂର୍ବରୁ ତପସ୍ୱିନୀ ଓ ସୁମିତ କୋର୍ଟରେ ମ୍ୟାରେଜ କରିବା ପରେ ପରବର୍ତ୍ତୀ ସମୟରେ ଆଉ ଧରାଛୁଆଁ ଦେଇନଥିବା ତପସ୍ୱିନୀ ଅଭିଯୋଗ କରିଥିଲେ । ତାଙ୍କୁ ପତ୍ନୀ ହିସାବରେ ଅଧିକାର ମିଳୁ ବୋଲି ସେ ଦାବି କରିଆସୁଛନ୍ତି । ଅନ୍ୟପକ୍ଷରେ ତପସ୍ୱିନୀଙ୍କ ସ୍ୱାମୀ ଓ ଶ୍ୱଶୁର ଉଭୟେ ତପସ୍ୱିନୀଙ୍କୁ ବୋହୂ ଭାବେ ଗ୍ରହଣ କରିଛନ୍ତି । ମାତ୍ର ଦମ୍ପତିଙ୍କର କେସ୍ ଏବେ କୋର୍ଟରେ ବିଚାରାଧୀନ ଥିବାରୁ ସେମାନେ ଏନେଇ କିଛି କରିପାରିବେ ନାହିଁ ବୋଲି କହିଥିଲେ ।

Get real time updates directly on you device, subscribe now.