fbpx

ଆଜିଠାରୁ ଶିମିଳିପାଳରେ ବ୍ୟାଘ୍ର ଗଣନା ଆରମ୍ଭ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିଠାରୁ ଶିମିଳିପାଳ ଅଭୟାରଣ୍ୟରେ ବ୍ୟାଘ୍ର ଗଣନା ଆରମ୍ଭ ହେଉଛି । ୭ ଦିନ ପର୍ଯ୍ୟନ୍ତ ୪ଟି ପର୍ଯ୍ୟାୟରେ ଏହି ଗଣନା କାର୍ଯ୍ୟ ସମାପ୍ତ ହେବ । ଏଥିପାଇଁ ୫ ଶହରୁ ଅଧିକ କ୍ୟାମେରାକୁ ବ୍ୟବହାର କରାଯାଇ ନୂତନ ଜ୍ଞାନ କୌଶଳ ଅବଲମ୍ବନ କରାଯାଉଛି । ସୂଚନାଯୋଗ୍ୟ ଯେ, ଏକଦା ମୟୂରଭଞ୍ଜ ଜିଲ୍ଲାର ମହାବଳବାଘକୁ ନେଇ ଶିମିଳିପାଳ ବିଶ୍ୱବିଖ୍ୟାତ ଥିବା ବେଳେ ବର୍ତ୍ତମାନ ବାଘ ଦେଖିବାକୁ ମିଳୁନାହାନ୍ତି ।

ଗତ ୨୦୧୮ରେ ହୋଇଥିବା ବାଘ ଗଣନା ଅନୁସାରେ ଜାତୀୟ ବ୍ୟାଘ ସଂରକ୍ଷଣ ପ୍ରାଧିକରଣ (ଏନଟିସିଏ)ର ରିପୋର୍ଟ ମୁତାବକ, ରାଜ୍ୟରେ ମୋଟ ୨୮ଟି ବାଘ ରହିଥିଲେ । ତନ୍ମଧ୍ୟରୁ ଶିମିଳିପାଳରେ ୭ଟି ବାଘୁଣୀ ଓ ଗୋଟିଏ ବାଘ ରହିଥିଲେ । କିଛିବର୍ଷ ଧରି ଶିମିଳିପାଳରେ ମହାବଳ ବାଘଙ୍କୁ ଦେଖିବା ଦୁର୍ଲ୍ଲଭ ହୋଇଯାଇଛି । ତେବେ ଦିନକୁ ଦିନ ଜଙ୍ଗଲର ଘନତ୍ୱ ହ୍ରାସ ପାଉଥିବାରୁ ବାଘ ସଂଖ୍ୟାରେ ଦ୍ରୁତ ଅବନତି ଘଟୁଥିବା କୁହାଯାଉଛି । ଏନଟିସିଏରୁ ଶିମିଳିପାଳକୁ ବାଘ ବଂଶର ସଂରକ୍ଷଣ ଓ ସଂଖ୍ୟା ବୃଦ୍ଧି ପାଇଁ ବର୍ଷକୁ କୋଟି କୋଟି ଟଙ୍କା ଆସୁଥିବା ବେଳେ ତାହାର ସଠିକ ବିନିଯୋଗ ହେଉନଥିବା ଅଭିଯୋଗ ହେଉଛି । ଗତବର୍ଷ ଶିକାରିଙ୍କ ଗୁଳିରେ ଏକାଧିକ ବାଘ ପ୍ରାଣ ହରାଇଥିଲେ, ଯାହାକି ବେଶ ଉଦବେଗଜନକ ।

Get real time updates directly on you device, subscribe now.