ନୂଆଦିଲ୍ଲୀ : ଆମ୍ ଆଦମୀ ପାର୍ଟି ରବିବାର କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶ ବିରୋଧରେ ରାମଲୀଲା ମଇଦାନରେ ଏକ ବଡ଼ ରାଲି ର ଆୟୋଜନ କରିଛି । ଦୀର୍ଘ ୧୨ ବର୍ଷ ପରେ ଆପ୍ ର ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରାମଲୀଲା ମଇଦାନକୁ ପୁଣି ଫେରିଛନ୍ତି । ରାମଲୀଲା ମଇଦାନରୁ ରାଜନୀତିରେ ପ୍ରବେଶ କରିଥିବା କେଜ୍ରିୱାଲ ଆଜି କେନ୍ଦ୍ରରେ ବିଜେପି ସରକାରଙ୍କ ଆଦେଶ ବିରୋଧରେ ଏକ ରାଲିରେ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତିି ।
ଏହି ରାଲିରେ ଏକ ଲକ୍ଷରୁ ଅଧିକ ଲୋକ ଅଂଶଗ୍ରହଣ କରିବେ ବୋଲି ଆମ୍ ଆଦମୀ ପାର୍ଟି ଦାବି କରିଛି । ଏଥି ସହ ପୂର୍ବତନ କଂଗ୍ରେସ ନେତା ତଥା ସମାଜବାଦୀ ପାର୍ଟି ସହାୟତାରେ ରାଜ୍ୟସଭା ସାଂସଦ ହୋଇଥିବା କପିଲ ସିବଲ ମଧ୍ୟ ଏହି ରାଲିରେ ଯୋଗଦେବାକୁ ଯାଉଛନ୍ତି । ଏହି ବିଷୟରେ ଟୁଇଟ୍ କରି ଦଳ ତାଙ୍କୁ ଧନ୍ୟବାଦ ଜଣାଇଛି । ୨୦୨୪ ନିର୍ବାଚନ ପାଇଁ କେଜ୍ରିୱାଲ ରଣନୀତି ପ୍ରସ୍ତୁତି ଆରମ୍ଭ କରୁଛନ୍ତି ବୋଲି ବିଶେଷଜ୍ଞ ମତ ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ, ସୁପ୍ରିମକୋର୍ଟ ୧୧ ମେ ରେ ଦେଇଥିବା ଆଦେଶ ମାଧ୍ୟମରେ ଦିଲ୍ଲୀ ନିର୍ବାଚିତ ସରକାରଙ୍କୁ ଅଧିକାରୀଙ୍କ ଟ୍ରାନ୍ସଫର-ପୋଷ୍ଟିଂ ତଥା ଭିଜିଲାନ୍ସ ନିୟନ୍ତ୍ରଣ ଦେଇଥିଲେ, କିନ୍ତୁ କେନ୍ଦ୍ର ସରକାର ଏକ ଆଦେଶ ଆଣି ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତିକୁ ସ୍ଥଗିତ କରିଦେଇଛନ୍ତି । ଏହାକୁ ବିରୋଧ କରି ଆମ୍ ଆଦମୀ ପାର୍ଟି ଆଜି ବିଶାଳ ରାଲିର ଆୟୋଜନ କରିଛି ।