fbpx

IIM Amendment Bill କ’ଣ? ଏହା ଉଭୟ ଲୋକସଭା ଓ ରାଜ୍ୟସଭାରେ ପାସ ହେବା ପରେ କ’ଣ ଆଇନ ବଦଳିବ

ନୂଆଦିଲ୍ଲୀ: ନିକଟରେ ଉଭୟ ରାଜ୍ୟସଭା ଓ ଲୋକସଭାରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ (ଆଇଆଇଏମ) ସଂଶୋଧନ ବିଲ୍ ପାସ ହୋଇଛି । ଆଇଆଇଏମ ପରିଚାଳନାର ଉତ୍ତରଦାୟିତ୍ୱ ରାଷ୍ଟ୍ରପତିଙ୍କ ନିକଟରେ ରହିବା କଥା, ମାତ୍ର ଏବେ ସେ ଏହାର କୁଳାଧ୍ୟକ୍ଷ ଦାୟିତ୍ୱରେ ରହିବେ । ଏହାର ଅର୍ଥ ହେଉଛି ଭାରତର ରାଷ୍ଟ୍ରପତିଙ୍କ ନିକଟରେ ଏବେ ଆଇଆଇଏମର କାର୍ଯ୍ୟର ଅଡିଟ କରିବା, ଯାଞ୍ଚ ନିର୍ଦ୍ଦେଶ ଦେବା, ନିର୍ଦ୍ଦେଶକଙ୍କୁ ନିଯୁକ୍ତି ଦେବା ସହିତ ହଟାଇବାର କ୍ଷମତା ରହିବ ।

ରାଷ୍ଟ୍ରପତି ପୂର୍ବରୁ ଆଇଆଇଟି ଓ ଏନଆଇଟିର କୁଳାଧ୍ୟକ୍ଷ ରହିଛନ୍ତି । ମାତ୍ର ଏହି ବିଧେୟକ ଆଇନରେ ପରିଣତ ହେବା ପୂର୍ବରୁ ଦେଶର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟରେ ଆଗତ କରାଯିବ । ଲୋକସଭାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଏହି ବିଧେୟକ ମାଧ୍ୟମରେ ୨୦୧୭ର ଆଇଆଇଏମ ଅଧିନିୟମର ସଂଶୋଧନ କରାଯିବ । ବିଲର ଉଦ୍ଦେଶ୍ୟ ଏକାଡେମିକ ଉତ୍ତରଦାୟିତ୍ୱ ଛଡ଼ାଇନେବା ନୁହେଁ, ଏହାର ପରିଚାଳନାକୁ ସୁନିଶ୍ଚିତ କରାଇବା । ଆଇଆଇଏମର ସ୍ଥାପନା ନେଇ କେନ୍ଦ୍ର ସରକାର ୬ ହଜାର କୋଟିରୁ ଅଧିକ ଅର୍ଥ ଖର୍ଚ୍ଚ କରିଛନ୍ତି ।

ବର୍ତ୍ତମାନର ବ୍ୟବସ୍ଥା ଅନୁସାରେ ରାଷ୍ଟ୍ରପତି ଆଇଆଇଟି ଓ ଏନଆଇଟିର କୁଳାଧ୍ୟକ୍ଷ ରହିଛନ୍ତି । ମାତ୍ର ଏହି ସଂସ୍ଥାଗୁଡ଼ିକର ଶୈକ୍ଷିକ ସ୍ୱାୟତ୍ତତା ଉପରେ କୌଣସି ପ୍ରଶ୍ନ ଉଠୁନାହିଁ । କୁଳାଧ୍ୟକ୍ଷ ଯେ କୌଣସି ସଂସ୍ଥାର କାର୍ଯ୍ୟ ଓ ପ୍ରଗତିର ସମୀକ୍ଷା କରିବେ । ଏଥିସହିତ କୁଳାଧ୍ୟକ୍ଷଙ୍କ ନିର୍ଦ୍ଦେଶ ମୁତାବକ ରିପୋର୍ଟ କରାଯିବା ସହିତ ଏକାଧିକ ବ୍ୟକ୍ତିଙ୍କୁ ନିଯୁକ୍ତି ଦିଆଯିବ । ଯେଉଁ ସଂସ୍ଥାଗୁଡ଼ିକ ନିୟମ ଅନୁସାରେ କାର୍ଯ୍ୟ କରୁନଥିବେ ସେହି ସଂସ୍ଥା ବିରୋଧରେ ଉଚିତ ଯାଞ୍ଚ ପାଇଁ କୁଳାଧ୍ୟକ୍ଷ ସୁପାରିଶ କରିପାରିବେ ।

ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ସମୟରେ ଆଇଆଇଏମର ନିର୍ଦ୍ଦେଶକଙ୍କ ନିଯୁକ୍ତି ‘ସର୍ଚ୍ଚ କର୍ମ ଚୟନ ସମିତି’ର ସୁପାରିଶ ଆଧାରରେ ବୋର୍ଡ ଅଫ୍ ଗଭର୍ଣ୍ଣାନ୍ସ ଦ୍ୱାରା ହେଉଛି । ରାଜ୍ୟସଭାରେ ଏହି ବିଲ୍ ପାରିତ ହେବା ପରେ ବୋର୍ଡର ନିର୍ଦ୍ଦେଶକଙ୍କୁ ନିଯୁକ୍ତି ଦେବା ପୂର୍ବରୁ କୁଳାଧ୍ୟକ୍ଷଙ୍କ ମଞ୍ଜୁରୀ ନେବାକୁ ପଡ଼ିବ । ନିର୍ଦ୍ଦେଶକଙ୍କ ଚୟନ ପ୍ରକ୍ରିୟା କେନ୍ଦ୍ର ସରକାରଙ୍କ ଦ୍ୱାରା ସ୍ଥିର କରାଯିବ । ତେବେ ପାଠ୍ୟକ୍ରମ ଓ ଫାକଲଟିଙ୍କ ବିଷୟର ନିଷ୍ପତ୍ତି କ୍ଷେତ୍ରରେ ଆଇଆଇଏମର ସ୍ୱତନ୍ତ୍ରତା ରହିବ । ଭାରତୀୟ ପ୍ରବନ୍ଧନ ସଂସ୍ଥାନ ଅଧିନିୟମ, ୨୦୧୭ ଅନୁସାରେ, ପ୍ରତ୍ୟେକ ଆଇଆଇଏମର ବୋର୍ଡ ଅଫ୍ ଗଭର୍ଣ୍ଣାନ୍ସରେ ୧୯ ଜଣ ସଦସ୍ୟ ରହିଥାନ୍ତି । ସେଥିରେ ଦୁଇଟି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପ୍ରତିନିଧି ରହିବା ସହିତ ଅଧ୍ୟାପକ ଓ ପୂର୍ବ ଛାତ୍ରଙ୍କ ଦ୍ୱାରା ଅନ୍ୟ ୧୭ ଜଣ ପ୍ରତିଷ୍ଠିତ ବ୍ୟକ୍ତି ମନୋନୀତ ହୋଇଥାନ୍ତି ।

Get real time updates directly on you device, subscribe now.