fbpx

ଆକାଶ ପାଠକଙ୍କ ଜାମିନ ମାମଲାର ଶୁଣାଣି ଶେଷ, ରାୟ ସଂରକ୍ଷିତ

କଟକ (ଓଡ଼ିଶା ଭାସ୍କର): ଟାଟା କମ୍ପାନୀରେ ଲୋକଙ୍କୁ ଚାକିରି କରାଇବା ନାମରେ ଲୋକଙ୍କ ନିକଟରୁ ଟଙ୍କା ଆଦାୟ କରିବା ଅଭିଯୋଗରେ ଗିରଫ ଆକାଶ ପାଠକଙ୍କ ଜାମିନ ଆବେଦନ ମାମଲାର ହାଇକୋର୍ଟରେ ଶୁଣାଣି ଶେଷ ହୋଇଛି । ଅଦାଲତ ମାମଲାର ରାୟକୁ ସଂରକ୍ଷିତ ରଖିଛନ୍ତି । ବୈଦେଶ୍ୱରପୁର ଥାନାରେ ଆକାଶ ପାଠକଙ୍କ ବିରୋଧରେ ୬ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ମାମଲାରେ ହାଇକୋର୍ଟର ବିଚାରପତି ଡି. ଦାସଙ୍କ ଇଜିଲାସରେ ଏହାର ଶୁଣାଣି ହୋଇଥିଲା । ଅଦାଲତ ମାମଲାର ଶୁଣାଣି ଶେଷ କରି ମାମଲାର ରାୟକୁ ସଂରକ୍ଷିତ ରଖିଛନ୍ତି । ଏହି ମାମଲାରେ ଅଭୟକାନ୍ତ ପାଠକ ଓ ଡ. ପ୍ରଦୀପ୍‌ ପାଣିଗ୍ରାହୀ ଅଭିଯୁକ୍ତ ଥିଲେ । ତେବେ ଉକ୍ତ ମାମଲାରେ ଶ୍ରୀ ପାଣିଗ୍ରାହୀଙ୍କୁ ଜୁନ୍‌ ୧୦ ତାରିଖରେ ଜାମିନ ମିଳିସାରିଥିବା ବେଳେ ଅଭୟକାନ୍ତ ପାଠକଙ୍କୁ ଜୁନ୍‌ ୧୭ ତାରିଖରେ ଜାମିନ ମିଳିସାରିଛି ।

ଆକାଶ ପାଠକଙ୍କ ବିରୋଧରେ ଲୋକମାନଙ୍କୁ ଠକି ଥିବାର ସଙ୍ଗୀନ୍‌ ଅଭିଯୋଗ ରହିଥିବାରୁ ଏହାର ଆହୁରି ତଦନ୍ତର ଆବଶ୍ୟକତା ରହିଛି ବୋଲି ପୂର୍ବରୁ ହାଇକୋର୍ଟ କହିଥିଲେ । ନିଜର ବ୍ୟକ୍ତିଗତ ସ୍ୱାର୍ଥ ନିମନ୍ତେ ସେ ସାଧାରଣ ଲୋକଙ୍କ ଅର୍ଥକୁ ଲୁଟ୍‌ କରିଥିବାର ଖଣ୍ଡପୀଠ ଦର୍ଶାଇଥିଲେ । ଆକାଶ ପାଠକଙ୍କ ବିରୋଧରେ ଆଇପିସିର ୪୧୯/୪୨୦/୪୬୭/ ୪୬୮/୪୭୧ ଓ ୬୬-ସି/୬୬ଡି ଆଇଟି ଆକ୍ଟ୍‌ରେ କୋର୍ଟରେ ଅଭିଯୋଗଫର୍ଦ୍ଦ ଦାଖଲ ହୋଇଥିଲା। ଏହି ମାମଲା ଭୁଭବେନଶ୍ୱର ଏସ୍‌ଡିଜେଏମ୍‌ ଅଦାଲତରେ ବିଚାରଧିନ ରହିଛି । ସେଠାରେ ତାଙ୍କ ଜାମିନ ଆବେଦନ ଖାରଜ ହେବା ପରେ ସେ ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ ।

ଗତ ୨୦୨୦ ମଇ ୨୦ ତାରିଖରେ ଟାଟା ମୋଟରର୍ସ ଲିମିଟେଡ୍‌ର ଡେପୁଟି ଜେନେରାଲ୍‌ ମ୍ୟାନେଜର୍‌ ଆଇଜି, ସିଆଇଡି, ସିବି କଟକରେ ଉପରୋକ୍ତ ଘଟଣା ସମ୍ପର୍କରେ ଏକ ଲିଖିତ ମେଲ୍‌ ଜରିଆରେ ଅଭିଯୋଗ କରିଥିଲେ। ଆକାଶ ପାଠକ ମୁଖ୍ୟତଃ ଟାଟା ମୋଟର୍ସର ଲୋଗୋ ବ୍ୟବହାର, ନକଲି ଆଇ କାର୍ଡ ଓ ଭିଜିଟିଂ କାର୍ଡ ଦେଖାଇ ଆକାଶ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରୁଥିବାର ସ୍ପଷ୍ଟ ହୋଇଥିଲା। ଏପରିକି ସେ ଦୁଇ ଜଣ ପ୍ରାଥୀଙ୍କଠାରୁ ଅର୍ଥ ନେଇ ନକଲି ନିଯୁକ୍ତି ପତ୍ର ମଧ୍ୟ ଦେଇଥିବା ଜଣାପଡିଥିଲା ।

Get real time updates directly on you device, subscribe now.