(Video) ଅଲୌକିକ ରହସ୍ୟ: ଆଷାଢ଼ ମାସରେ ହେଉଛି ଆମ୍ବ ବଉଳ, କାହିଁକି ଏପରି ଘଟିଲା, ଲୋକମାନେ ତାଜୁବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆମର ଆଖାପାଖରେ ଅନେକ ସମୟରେ କିଛି ଅଦ୍ଭୂତ ଘଟଣା ଦେଖିବାକୁ ମିଳିଥାଏ । କୌଣସି ଜୀବଜନ୍ତୁ, ଫୁଲ, ଫଳକୁ ନେଇ ଦେଖିବାକୁ ମିଳିଥାଏ କିଛି ନୂଆ ଘଟଣା । ବର୍ତ୍ତମାନ ଆଷାଢ଼ ମାସ ଚାଲିଥିବା ବେଳେ ବଜାରରେ ଖାଲି ପାଚିଲା ଆମ୍ବର ପସରା ମେଲିଛି । ମାତ୍ର ଏହି ସମୟରେ ଗଛରେ ଦେଖିବାକୁ ମିଳିଛି ଆମ୍ବ ବଉଳ ।

ସୂଚନା ମୁତାବକ, ପୁରୀ ଜିଲ୍ଲା କାକଟପୁର ଅଞ୍ଚଳରେ ଦେଖିବାକୁ ମିଳିଛି ଏପରି ଏକ ଅଲୌକିକ ଘଟଣା । ଏହି ଘଟଣା ପଛରେ କ’ଣ ରହସ୍ୟ ରହିଛି ସେନେଇ ସ୍ଥାନୀୟ ଅଞ୍ଚଳବାସୀ ତାଜୁବ୍ ହୋଇ ପଡ଼ିଛନ୍ତି । ସାଧାରଣ ଭାବେ ଫାଲଗୁନ ମାସରେ ଆମ୍ବ ଗଛରେ ବଉଳ ଆସିଥାଏ । ମାତ୍ର କାକଟପୁରରେ ଦେଖିବାକୁ ମିଳିଛି ଏହାର ବ୍ୟତିକ୍ରମ । ଆଷାଢ଼ ମାସରେ ଗଛରେ ଏବେ ବଉଳ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ତେବେ ଏହି ଘଟଣାଟି ନୂଆ ଲାଗୁଥିଲେ ବି ତାହା ସମ୍ପୂର୍ଣ୍ଣ ସତ୍ୟ । କାକଟପୁରର ଅଶ୍ରୁଖୋଳା ଗ୍ରାମର କେଦାର ମହାନ୍ତିଙ୍କ ବାଡ଼ିରେ ବର୍ଷା ଋତୁରେ ଦେଖିବାକୁ ମିଳିଛି ଆମ୍ବ ବଉଳ । କେଦାରଙ୍କ ବାଡ଼ିରେ ୩୦ରୁ ଅଧିକ ଆମ୍ବ ଗଛ ଦୀର୍ଘ ୨୦ ବର୍ଷ ହେଲା ରହି ଆସିଛି । ଆମ୍ବ ଗଛରୁ ଫଳ ତୋଳାଯିବା ପରେ କେବଳ ଗୋଟିଏ ଗଛରେ ଚଳିତ ବର୍ଷ ଆଷାଢ଼ ମାସରେ ଆମ୍ବ ଧରିଛି । ଏହି ଆମ୍ବକୁ ଦେଖିବାକୁ ପାଇଁ ଲୋକଙ୍କ ଭିଡ଼ ଜମୁଥିବା ଦେଖାଯାଉଛି ।