fbpx

କଂଗ୍ରେସ ଛାଡିବେ ଅସନ୍ତୁଷ୍ଟ ହାର୍ଦ୍ଦିକ ପଟେଲ ? ଏମିତି ଜବାବ ଦେଲେ ପାଟିଦାର ନେତା, କହିଲେ…

ନୂଆଦିଲ୍ଲୀ: କଣ ନିଜ ଦଳ ପ୍ରତି ଅସନ୍ତୁଷ୍ଟ ଅଛନ୍ତି ଗୁଜରାଟ କଂଗ୍ରେସର କାର‌୍ୟ୍ୟକାରୀ ଅଧ୍ୟକ୍ଷ ହାର୍ଦ୍ଦିକ ପଟେଲ। ସେ ଦଳ ଛାଡୁଥିବା ନେଇ ମଧ୍ୟ ଚର୍ଚ୍ଚା ଚାଲିଛି। ତେବେ ଏହାକୁ ଖଣ୍ଡନ କରିଛନ୍ତି ହାର୍ଦ୍ଦିକ ପଟେଲ। ମୋର କଂଗ୍ରେସ ଛାଡିବା ଏକ ଗୁଜବ। ମୋତେ ଜଣା ନାହିଁ ଏମିତି ଖବର କିଏ ପ୍ରଚାର କଲା। ଲାଗୁଛି ଯେମିତି ବରକୁ ବଳପୂର୍ବକ ନସବନ୍ଦୀ ପାଇଁ ବାଧ୍ୟ କରାଯାଉଛି।

ସେ କହିଛନ୍ତି, ମୁଁ ଏ ପର‌୍ୟ୍ୟନ୍ତ କଂଗ୍ରେସକୁ ନିଜର ୧୦୦ ପ୍ରତିଶତ ଦେଇଛି ଏବଂ ଆଗାମୀ ସମୟରେ ମଧ୍ୟ ଏହା ଜାରି ରହିବ। ପାର୍ଟି ଭିତରେ ଛୋଟ ମୋଟ ଝଗଡା ଏବଂ ଦୋଷାରୋପ ଲାଗି ରହିଥାଏ। ମାତ୍ର ଆମକୁ ଏକାଠି ମିଶି କାମ କରିବାକୁ ପଡିବ। ଗୁଜରାଟ ଏକ ଉନ୍ନତ ସ୍ଥାନ ଏବଂ ଏହାକୁ ଆମେ ଅଧିକ ବିକଶିତ କରି ପାରିବା ବୋଲି ପାଟିଦାର ନେତା କହିଛନ୍ତି।

ହାର୍ଦ୍ଦିକ କହିଛନ୍ତି, ଯଦି ସତ କହିବା ଅପରାଧ ତେବେ ମୋତେ ଦୋଷୀ ବୋଲି ବିବେଚନା କରାଯାଉ। ଗୁଜରାଟ ଲୋକେ ଆମଠୁ ବହୁତ ଆଶା ରଖିଛନ୍ତି। ହାର୍ଦ୍ଦିକ ଏହା ମଧ୍ୟ କହିଛନ୍ତି, ସେ ଅନେକ ଥର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନିକଟରେ ଉତ୍ପୀଡନର ଅଭିଯୋଗ କରିଥିଲେ। ହେଲେ କୌଣସି କାର‌୍ୟ୍ୟାନୁଷ୍ଠାନ କରାଗଲା ନାହିଁ।

ଗୁଜରାଟରେ କ୍ଷମତାଧାରୀ ବିଜେପି ସହିତ ମୁହାଁମୁହିଁ ଲଢେଇ ପାଇଁ କଂଗ୍ରେସର ପ୍ରସ୍ତୁତି ମଧ୍ୟରେ ହାର୍ଦ୍ଦିକ ପଟେଲ୍ ତାଙ୍କ ପାର୍ଟି ନେତୃତ୍ଵଙ୍କ ଉପରେ ଅଣଦେଖା କରିବା ଏବଂ କଣଠେସା କରାଯାଉଥିବା ଅଭିଯୋଗ କରିଛନ୍ତି। ସେ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ, ଗୁଜରାଟର କଂଗ୍ରେସ ନେତା ତାଙ୍କୁ ହଇରାଣ କରୁଛନ୍ତି। ସେମାନେ ଚାହୁଁଛନ୍ତି ମୁଁ କେମିତି ଦଳ ଛାଡିଦିଏ। ମୋତେ ଏସବୁ ଖୁବ୍ ବାଧୁଛି ବୋଲି ହାର୍ଦ୍ଦିକ ପଟେଲ କହିଛନ୍ତି।

ସୂଚନାଯୋଗ୍ୟ, ହାର୍ଦ୍ଦିକ ପଟେଲ ୨୦୧୫ରେ ଗୁଜରାଟରେ ପାଟିଦାରଙ୍କ ସଂରକ୍ଷଣ ପାଇଁ ଶକ୍ତିଶାଳୀ ପାଟିଦାର ଆନ୍ଦୋଳନର ନେତୃତ୍ଵ ନେଇଥିଲେ। ସେ ୨୦୧୯ ଲୋକସଭା ନିର୍ବାଚନ ଠିକ୍ ପୂର୍ବରୁ କଂଗ୍ରେସରେ ଯୋଗ ଦେଇଥିଲେ। ତାଙ୍କର ଲୋକପ୍ରିୟତା ମଧ୍ୟ ଧିରେ ଧିରେ କମ ହେବାରେ ଲାଗିଥିଲା। ସେ ନିଜକୁ ରାଜନୀତିରୁ ଦୂରେଇ ନେଇଥିଲେ। ହେଲେ ପରବର୍ତ୍ତୀ ସମୟରେ ସେ କଂଗ୍ରେସ ତାଙ୍କୁ ଗୁଜରାଟର କାର‌୍ୟ୍ୟକାରୀ ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛି।

Get real time updates directly on you device, subscribe now.