ଓଡ଼ିଶା ଭାସ୍କର: କ୍ଷୀରରେ କ୍ୟାଲସିୟମ, ପ୍ରୋଟିନ୍, ଭିଟାମିନ୍, ମିନେରାଲ୍ସ ଭଳି ଅନେକ ପୋଷକ ତତ୍ୱ ଥିବାରୁ ଏହାକୁ କମ୍ପ୍ଲୀଟ୍ ଫୁଡ୍ ଭାବେ ବିବେଚିତ କରାଯାଇଛି । କ୍ଷୀର ପିଇବା ଦ୍ୱାରା ଦାନ୍ତ ଓ ହାଡ଼ ମଜବୁତ ରହିବା ସହ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ । ବିଶେଷ କରି ଛୋଟ ପିଲା ଏବଂ ଟିନଏଜ୍ ପିଲାଙ୍କ ପାଇଁ ଏହା ଅତ୍ୟନ୍ତ ଜରୁରୀ ଅଟେ ।
ଅଧିକାଂଶ ବ୍ୟକ୍ତି କ୍ଷୀର ପିଇଲେ ସେମାନଙ୍କ ଠାରେ ଆଲର୍ଜୀ ସମସ୍ୟା ଦେଖାଦେଇଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ କ୍ଷୀରରେ ଥିବା ପ୍ରୋଟିନ୍ ଶରୀରରେ ବିପରିତ ପ୍ରତିକ୍ରିୟା ସୃଷ୍ଟି କଲେ ତାହା ଆଲର୍ଜୀର କାରଣ ପାଲଟିଥାଏ । ଅନ୍ୟ ଭାଷାରେ ଏହାକୁ ‘ଲାକ୍ଟୋଜ୍ ଇନଟୋଲେରାନ୍ସ’ ମଧ୍ୟ କୁହାଯାଏ । ପିଲାଙ୍କ ଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଠାରେ ଭିନ୍ନ ଭିନ୍ନ ପ୍ରକାରର ଆଲର୍ଜୀ ସମସ୍ୟା ଦେଖାଦେଇଥାଏ । ତେବେ ଆସନ୍ତୁ ଜାଣିବା ଏହାର କିଛି ଲକ୍ଷଣ ବିଷୟରେ
– ବାନ୍ତି ହେବା
– ଚର୍ମ ଲାଲ ପଡ଼ିବା, କୁଣ୍ଡିଆ ହେବା / ଫୁଲା/ ଦାନା ବାହାରିବା
– ଗଳା ଯନ୍ତ୍ରଣା
– ଓଠ ଏବଂ ଜୀଭରେ ଯନ୍ତ୍ରଣା ଓ ଫୁଲିବା
– ପେଟ ଯନ୍ତ୍ରଣା, ମୋଡ଼ି ହେବା କିମ୍ବା ଡାଇରିଆ
– ମୁଣ୍ଡ ବିନ୍ଧା ସହ ଆଖିରୁ ପାଣି ବାହାରିବା
କ୍ଷୀର କିମ୍ବା କ୍ଷୀର ଜାତୀୟ ପଦାର୍ଥରୁ ଆଲର୍ଜୀ ଠାରୁ କିପରି ଦୂରେଇ ରହିପାରିବେ ?
୧. ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଡାଏଟ୍ ପ୍ଲାନ୍ କରନ୍ତୁ । ସବୁଜ ପନପରିବା, ଫଳ, ସୋୟା ମିଲ୍କ, ବାଦାମ, ଟୋଫୁ ଇତ୍ୟାଦି ସେବନ କରନ୍ତୁ ।
୨. ଯେତେଦୂର ସମ୍ଭବ ପ୍ୟାକେଜ ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ । ଏଥିରେ ଡାଏରୀ ପ୍ରୋଟିନ୍ କିମ୍ବା ଲାକ୍ଟୋଜ୍ ଥାଇପାରେ । ପ୍ୟାକେଜ ଖାଦ୍ୟ ବ୍ୟବହାର କରିବା ପୂର୍ବରୁ ଏଥିରେ ଥିବା ଇନଗ୍ରିଡିଏଣ୍ଟ୍ସ ବିଷୟରେ ଯାଞ୍ଚ୍ କରନ୍ତୁ ।
୩. ଶରୀରରେ ପୋଷକ ତତ୍ୱର ଆପୂର୍ତ୍ତି ପାଇଁ ଡାକ୍ତରଙ୍କ ବିନା ପରାମର୍ଶରେ ସପ୍ଲିମେଣ୍ଟ ସେବନ କରନ୍ତୁ ନାହିଁ । ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ ।