ଲଖିମପୁର ଖେରୀ ମାମଲାରେ ସୁପ୍ରିମକୋର୍ଟ ବଡ ନିଷ୍ପତ୍ତି, ଆଶିଷ ମିଶ୍ରଙ୍କ ଜାମିନ ରଦ୍ଦ

ନୂଆଦିଲ୍ଲୀ: ଲଖିମପୁର ଖେରୀ ମାମଲାରେ ସୁପ୍ରିମକୋର୍ଟ ବଡ ନିଷ୍ପତ୍ତି ଦେଇଛନ୍ତି । କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ବଡ ପୁଅ ଆଶିଷ ମିଶ୍ରଙ୍କ ଜାମିନ ନାମଞ୍ଜୁର ହୋଇଛି । ସର୍ବୋଚ୍ଚ ନ୍ୟାୟାଳୟ ଆହ୍ଲାବାଦ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ମଧ୍ୟ ରଦ୍ଦ କରିଛନ୍ତି । ଏଥିସହ ଅଦାଲତ କହିଛନ୍ତି, ପ୍ରତିଟି ଶୁଣାଣି ଦିନରେ ପୀଡିତ ପରିବାରଙ୍କୁ ନିଜ ପକ୍ଷ ରଖିବାର ଅଧିକାର ରହିଛି । ଏହି ମାମଲାରେ ପୀଡିତଙ୍କୁ ଶୁଣାଣିର ଅଧିକାରରୁ ବଞ୍ଚିତ କରାଯାଇଛି । ଉଚ୍ଚ ନ୍ୟାୟାଳୟ ଅନେକ ଅପ୍ରାସଙ୍ଗିକ ଏବଂ ଅଣଦେଖା ଉଦାହରଣକୁ ଧ୍ୟାନ ରଖିଥିଲେ । ଗୋଟିଏ ସପ୍ତାହ ଭିତରେ ଆଶିଷ ମିଶ୍ର ଆତ୍ମ ସମର୍ପଣ କରନ୍ତୁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି।

ଆଶିଷ ମିଶ୍ରଙ୍କ ଜାମିନ ଆବେଦନ ଉପରେ ହାଇକୋର୍ଟ ନୂତନ ଭାବେ ବିଚାର କରନ୍ତୁ । ଏହି ମାମଲାର ଶୁଣାଣି ହାଇକୋର୍ଟର ଅନ୍ୟ ପୀଠ କରନ୍ତୁ । ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ସୁପ୍ରିମକୋର୍ଟ ଏହି ଆଦେଶ ଦିଅନ୍ତୁ ବୋଲି ପୀଡିତ ପକ୍ଷଙ୍କ ଓକିଲ ଦୁଷ୍ୟନ୍ତ ଦବେ ଅନୁରୋଧ କରିଛ ନ୍ତି। ତେବେ ଉଚ୍ଚତମ ନ୍ୟାୟାଳୟର ପ୍ରଧାନ ବିଚାରପତି କହିଛନ୍ତି, ଏମିତି ଆଦେଶ ପାରିତ କରିବା ଉଚିତ୍ ହେବ ନାହିଁ । ଆମେ ବିଶ୍ଵାସ କରୁଛୁ ଯେ, ସେହି ସମାନ ଜଜ ଏହି ମାମଲାର ଶୁଣାଣି କରିବାକୁ ଚାହିଁବେ ନାହିଁ ।

ସୂଚନାଯୋଗ୍ୟ, ମାର୍ଚ୍ଚ ୧୬ରେ ସୁପ୍ରିମକୋର୍ଟ ୟୁପି ସରକାର ଏବଂ ଆଶିଷ ମିଶ୍ରଙ୍କୁ ନୋଟିସ୍ ଜାରି କରି ଜବାବ ମାଗିଥିଲେ ଯେ, ଆଶିଷ ମିଶ୍ରଙ୍କ ଜାମିନ କାହିଁକି ରଦ୍ଦ କରାଯିବ ନାହିଁ । ସୁପ୍ରିମକୋର୍ଟ ସାକ୍ଷୀଙ୍କ ଉପରେ ଆକ୍ରମଣ ପ୍ରସଙ୍ଗ ନେଇ ଚିନ୍ତା ପ୍ରକାଶ କରିଥିଲେ ।