ବିପଦରେ ଭୁବନେଶ୍ୱରବାସୀ! ପ୍ରଶ୍ୱାସରେ ନେଉଛନ୍ତି ବିଷାକ୍ତ ଗ୍ୟାସ, ପ୍ରଦୂଷଣରେ ଦିଲ୍ଲୀକୁ ପଛରେ ପକାଇଛି ସ୍ମାର୍ଟସିଟି

(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱର, ଓଡ଼ିଶାବାସୀଙ୍କ ରୋଜଗାରର ପେଣ୍ଠସ୍ଥଳ । ଭୁବନେଶ୍ୱରର ରୂପରେଖ ବଦଳିଯାଇଛି କିନ୍ତୁ ସହରର ସ୍ଥିତି ବିଗିଡ଼ିଯାଇଛି । ପ୍ରଦୂଷଣରେ ଦିଲ୍ଲୀଠାରୁ ଟପିଗଲା ଭୁବନେଶ୍ୱର । ଦେଶର ୨୫ଟି ସହରର ବାୟୁ ପ୍ରଦୂଷଣ ସ୍ଥିତି ବିପଦରେ ରହିଛି । ଯେଉଁଥିରେ ଓଡ଼ିଶାର ୫ ସହର ସାମିଲ ଅଛି । ସେଗୁଡ଼ିକ ହେଲା, ଭୁବନେଶ୍ୱର, ବାଲେଶ୍ୱର, ଅନୁଗୁଳ, ବ୍ୟାସନଗର ଓ ତାଳଚେର । ଏ ସହରଗୁଡ଼ିକର ବାୟୁ ଅତ୍ୟନ୍ତ ଅସ୍ୱାସ୍ଥ୍ୟକର । ଏଠାରେ ରହୁଥିବା ଲୋକ ଅମ୍ଳଜାନ ବଦଳରେ ସଲଫର ଡାଇଅକ୍ସାଇଡ୍, ନାଟ୍ରୋଜେନ ଡାଇଅକ୍ସାଇଡ୍, କାର୍ବନ ମନୋକ୍ସାଇଡ୍ କାର୍ବନ ଡାଇଅକ୍ସାଇଡ୍ ଓ ବିଷାକ୍ତ ଧୂଳିକଣା ଶ୍ୱାସକ୍ରିୟାରେ ଗ୍ରହଣ କରୁଛନ୍ତି ।

ଏହାଦ୍ୱାରା ଲୋକମାନେ ପୁସଫୁସ, ଯକ୍ଷ୍ମା, ଶ୍ୱାସକ୍ରିୟା, ହୃଦଘାତ ଏବଂ ଆସ୍ଥମା ଭଳି ରୋଗର ଶିକାର ହେଉଛନ୍ତି । ମାତ୍ର ରାଜଧାନୀ ଭୁବନେଶ୍ୱରର ବାୟୁ ମାନସୂଚାକାଙ୍କ (ଏକ୍ୟୁଆଇ) ଦିଲ୍ଲୀ ସ୍ଥିତିଠାରୁ ଟପିଯାଇଛି । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଭୁବନେଶ୍ୱର ଏକ୍ୟୁଆଇ ପିଏମ୍-୨.୫ ଓ ଧୂଳିକଣା ମାତ୍ରା ୨୬୬ ଥିବାବେଳେ ଦିଲ୍ଲୀର ପିଏମ୍-୨.୫ ଏବଂ ଧୂଳିକଣା ମାତ୍ରା ୧୭୮ ରହିଛି । ସେହିପରି ବାଲେଶ୍ୱରରେ ଧୂଳିକଣା ୨୮୫ଥିବାବେଳେ ଅନୁଗୁଳରେ ୨୫୫, ବ୍ୟାସନଗରରେ ୨୪୯ ରହିଛି । ବୁଧବାର ରାତିରେ କଟକରେ ଏକ୍ୟୁଆଇ୧୭୩ ଥିବାବେଳେ ଭୁବନେଶ୍ୱରରେ ୨୬୭, ରାଉରକେଲାରେ ୧୮୧ ଏବଂ ତାଳଚେରରେ ୨୫୩ ରହିଛି ।