ରାଜଧାନୀରେ ଆହୁରି କଡ଼ାକଡ଼ି ହେଲା କରୋନା ଗାଇଡ୍‌ଲାଇନ୍‌, ଏଣିକି ବିବାହ, ବ୍ରତଘର ଓ ଶୁଦ୍ଧିକ୍ରିୟାରେ ଯୋଗଦେଇପାରିବେନି ୫୦ରୁ ଊଦ୍ଧ୍ୱର୍ ଲୋକ

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ଏଣିକି ଭୁବନେଶ୍ୱରରେ ବିବାହ, ବ୍ରତଘର, ଶୁଦ୍ଧିକାର୍ଯ୍ୟ ଆଦି ସାମାଜିକ କାର୍ଯ୍ୟରେ ସର୍ବାଧିକ ୫୦ ଜଣଙ୍କୁ ଅନୁମତି ମିଳିବ । ଏହାଠାରୁ ଊଦ୍ଧ୍ୱର୍ ଲୋକ ଯୋଗ ଦେଇପାରିବେନି । ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ସୋମବାର ଏନେଇ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି । ଗାଇଡ୍‌ଲାଇନ୍‌ ଉଲ୍ଲଂଘନ ହେଲେ ଆୟୋଜକ ଓ ହଲ୍‌ ମାଲିକ ଦାୟୀ ହେବେ ବୋଲି ଦର୍ଶାଯାଇଛି । ଆଗକୁ ଶୀତ ଋତୁ ଆସୁଥିବାରୁ କୋଭିଡ଼ କଟକଣାକୁ କଡ଼ାକଡି କରିଛି ବିଏମ୍‌ସି ।

ଉଲ୍ଲେଖଯୋଗ୍ୟ ଯେ ଚଳିତ ମାସ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା କୋଭିଡ୍‌ ଗାଇଡ୍‌ ଲାଇନ୍‌ରେ ସାମାଜିକ ଉତ୍ସବରେ ୨୫୦ ଲୋକଙ୍କୁ ଅନୁମତି ଦିଆଯାଇଥିଲା । ସ୍ଥାନୀୟ ପ୍ରଶାସନ ଚାହିଁଲେ ସ୍ଥିତିକୁ ନଜରରେ ରଖି କଡ଼ା କଟକଣା ଲଗାଇପାରିବେ ବୋଲି ଦର୍ଶାଯାଇଥିଲା । ତେବେ ବିଏମ୍‌ସିର ନୂଆ ଗାଇଡ୍‌ ଲାଇନ୍‌ ଅନୁଯାୟୀ କଟକଣାକୁ ଆହୁରି କଠୋର କରାଯିବା ସହ ବିବାହ, ବ୍ରତ, ଶୁଦ୍ଧି କାର୍ଯ୍ୟରେ ୫୦ଜଣଙ୍କୁ ସାମିଲ ହେବାକୁ ଅନୁମତି ଦିଆଯାଇଛି । ଏହା ବିଏମ୍‌ସି ଅଧିନରେ ଆସୁଥିବା ଅଞ୍ଚଳ ଅର୍ଥାତ ଭୁବନେଶ୍ୱର ପାଇଁ ଲାଗୁ ହେବ । ସମସ୍ତ ସାମାଜିକ କାର୍ଯ୍ୟ ପାଇଁ ପ୍ରଶାସନଠାରୁ ଅନୁମତି ନେବାକୁ ପଡିବ । ଶାରୀରିକ ଭାବେ ଅସୁସ୍ଥ ବ୍ୟକ୍ତି କାର୍ଯ୍ୟକ୍ରମରେ ଭାଗ ନେବେ ନାହିଁ । ବୟସ୍କ, ଗର୍ଭବତୀ ମହିଳା, ୧୦ ବର୍ଷରୁ କମ୍‌ ଶିଶୁଙ୍କୁ ମଧ୍ୟ ଉତ୍ସବରେ ସାମିଲ ନହେବାକୁ କୁହାଯାଇଛି । ଉତ୍ସବ ସ୍ଥଳର ପ୍ରବେଶ ପଥରେ ସମସ୍ତଙ୍କର ଥର୍ମାଲ ସ୍କ୍ରିନିଂ ଓ ହାତଧୁଆର ବ୍ୟବସ୍ଥା ଆୟୋଜକ କରିବେ । ଖାଇବା ସମୟ ବ୍ୟତୀତ ସବୁ ସମୟରେ ମାସ୍କ ବ୍ୟବହାର ଓ ୬ ଫୁଟ୍‌ର ସାମାଜିକ ଦୂରତା ବାଧ୍ୟତାମୂଳକ କରାଯାଇଛି । ଉତ୍ସବ ହଲ୍‌ ମଧ୍ୟରେ ଛେପ ପକାଇବା ଏବଂ ପାନ ଗୁଟ୍‌ଖା ସେବନକୁ ବାରଣ କରାଯାଇଥିବା ବିଏମ୍‌ସିର ଗାଇଡ୍‌ଲାଇନ୍‌ରେ ଦର୍ଶାଯାଇଛି । ଏହିଭଳି କାର୍ଯ୍ୟକ୍ରମରେ କୋଭିଡ୍‌ ନିୟମ ପାଳନ ହେଉଛି କି ନାହିଁ ସେ ନେଇ କୋଭିଡ୍‌ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ଯାଞ୍ଚ କରିବ ।