ଅଫଜଲ ଅନସାରୀଙ୍କର ଯାଇପାରେ ଲୋକସଭା ସାଂସଦ ପଦ: ଗ୍ୟାଙ୍ଗଷ୍ଟର ଆକ୍ଟ ମାମଲାରେ ୪ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ
ନୂଆଦିଲ୍ଲୀ: ଗାଜିପୁରର ସାଂସଦ-ବିଧାୟକ କୋର୍ଟ ବିଏସପି ସାଂସଦ ଫଜାଲ ଅନସାରୀଙ୍କୁ ଗ୍ୟାଙ୍ଗଷ୍ଟର ଆକ୍ଟରେ ଦୋଷୀ ସାବ୍ୟସ୍ତ କରିଛନ୍ତି । ଅଫଜଲ ଅନସାରୀଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ସହ ୪ ବର୍ଷ ଜେଲ୍ ସହ ଲକ୍ଷେ ଟଙ୍କା ଜରିମାନା କରିଛନ୍ତି । ଏହା ସହ ତାଙ୍କୁ ଗିରଫ କରାଯାଇଛି । ଗ୍ୟାଙ୍ଗଷ୍ଟର ଆକ୍ଟ ଅନୁଯାୟୀ ବିଏସପି ସାଂସଦ ଅଫଜଲ ଅନସାରୀଙ୍କ ବିରୋଧରେ ଚାଲିଥିବା ମାମଲାରେ କୋର୍ଟ ଏହି ରାୟ ଦେଇଛନ୍ତି । ଯୁକ୍ତି ସମାପ୍ତ ହେବା ପରେ ଏପ୍ରିଲ୍ ୧ ରେ କୋର୍ଟ ଏହି ରାୟ ସଂରକ୍ଷଣ କରିଥିଲେ । ୨୦୦୭ ମସିହାରେ ପଞ୍ଜୀକୃତ ହୋଇଥିବା ଏହି ମାମଲାରେ ମୁଖତାର ଅନସାରୀ ବାନ୍ଦ୍ରା ଜେଲରେ ରହିଥିଲେ ଏବଂ ତାଙ୍କ ସାଂସଦ ଭାଇ ଅଫଜାଲ ଅନସାରୀ ଅଭିଯୁକ୍ତ ଥିଲେ । ଏହାପୂର୍ବରୁ କୋର୍ଟ ମୁଖତାର ଅନସାରୀଙ୍କୁ ୧୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଏବଂ ତାଙ୍କ ଉପରେ ୫ ଲକ୍ଷ ଜୋରିମାନା ମଧ୍ୟ ଲଗାଇଛନ୍ତି ।
ବିଜେପି ବିଧାୟକ କ୍ରିଷ୍ଣାନନ୍ଦ ରାୟଙ୍କୁ ଅପହରଣ ଓ ହତ୍ୟା ମାମଲାରେ ମୁଖତାର ଅନସାରୀ ଓ ଅଫଜଲ ଅନସାରୀଙ୍କ ସମ୍ପୃକ୍ତି ନେଇ ଅଭିଯୋଗ ହୋଇଥିବା ବେଳେ ଏବେ ଉଭୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । କୋର୍ଟଙ୍କ ଦଣ୍ଡାଦେଶ ପରେ ଅଫଜଲ ଅନସାରୀ ଲୋକସଭା ସାଂସଦ ପଦ ହରାଇବା ଏକପ୍ରକାର ନିଶ୍ଚିତ ।
ସଂସଦର ନିୟମ ଅନୁସାରେ, କୌଣସି ସଦସ୍ୟଙ୍କୁ ୨ ବର୍ଷ କିମ୍ବା ତାଠୁ ଅଧିକ ଜେଲ୍ ଦଣ୍ଡାଦେଶ ହେଲେ ସେ ସ୍ୱୟଂ ଅଯୋଗ୍ୟ ହୋଇଯିବେ । ୨୦୧୯ ମାନହାନି ମାମଲାରେ ରାହୁଲ ଗାନ୍ଧୀଙ୍କୁ ୨ ବର୍ଷ ଜେଲ୍ ଦଣ୍ଡାଦେଶ ହେବା ପରେ ତାଙ୍କ ସାଂସଦ ପଦ ଚାଲି ଯାଇଥିଲା ।