ମେଟ୍ରୋ ବାତିଲ ପଛରେ ରହିଛି ସରକାରଙ୍କ ଏହି ଉଦ୍ଦେଶ୍ୟ, ଟାର୍ଗେଟ୍‌ କରି ଏମିତି କହିଲେ ପ୍ରତାପ ଦେବ

ଭୁବନେଶ୍ୱର,୨୭ା୭: ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ କଣ୍ଟ୍ରାକ୍ଟ ବାତିଲ ନେଇ ବିଜେଡି ଅସନ୍ତୋଷ ବ୍ୟକ୍ତ କରିବା ସହ ସରକାରଙ୍କୁ କଡ଼ା ସମାଲୋଚନା କରିଛି। ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ବିଜେଡିର ବରିଷ୍ଠ ବିଧାୟକ ପ୍ରତାପ ଦେବ କହିଛନ୍ତି, ଭୁବନେଶ୍ବରକୁ ପ୍ରଗତିଶୀଳ କରିବାକୁ ସେତେବେଳେ ମେଟ୍ରୋ ବ୍ୟବସ୍ଥା କରିଥିଲେ ନବୀନ। ନିଜସ୍ବ ବଜେଟ୍‌ରେ ନବୀନ ଏହା କରିଥିଲେ। ତେବେ ଅଢ଼େଇ ବର୍ଷରେ ଡିପିଆର ସହ ଅନ୍ୟାନ୍ୟ କାମ ବି କରିଥିଲେ। ତେବେ ବିଜେପି ସରକାର ଏହାକୁ ବାତିଲ କରିଦେଲେ। ଏହାର କାରଣ ହେଉଛି ପୂର୍ବ ସରକାର ଯେହେତୁ ଏହାକୁ କରିଥିଲେ ବିଜେପି ବାତିଲ କଲା। ପୁଣି ଡିପିଆର କରିବେ, ଟେଣ୍ଡର କରିବେ, ଏମିତିରେ ୫ ବର୍ଷ ଲାଗିଯିବ।
ଅନ୍ୟପକ୍ଷରେ ମେଟ୍ରୋ ବାବଦରେ ବିଜେଡିର ଅଭିଯୋଗକୁ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ଯେଉଁପରି ଭାବେ ମେଟ୍ରୋ ହେଉଥିଲା, ତାହା ସଫଳ ହୋଇ ନ ଥାନ୍ତା। ମୋହନ ସରକାର ତର୍ଜମା କରି ଲୋକାଭିମୁଖୀ ବ୍ୟବସ୍ଥା କରୁଛନ୍ତି। ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ହୋଇଛି, ଉପମୁଖ୍ୟମନ୍ତ୍ରୀ ଏହାର ନେତୃତ୍ୱ ନେଉଛନ୍ତି। ବିଭିନ୍ନ ରାଜ୍ୟ ଗସ୍ତ କରି କମିଟି ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ କରିବେ। କାମ ବିଳମ୍ବ ହେଉଥିବାରୁ ଟେଣ୍ଡର ବାତିଲ କରାଯାଇଛି। କେନ୍ଦ୍ର ସହାୟତାରେ ପ୍ରକଳ୍ପ ହେବ, କେନ୍ଦ୍ରୀୟ ଟେକ୍ନୋଲୋଜି ନିଆଯିବ। ପ୍ରଥମେ କଳ୍ପନାରୁ ନନ୍ଦନକାନନ ପର୍ଯ୍ୟନ୍ତ ଓଭରବ୍ରିଜ ନିର୍ମାଣ କରାଯିବ ବୋଲି ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି।