ଏବେ ୨୧ ବର୍ଷରେ ଲଢ଼ିପାରିବେ ବିଧାନସଭା ଓ ଲୋକସଭା ନିର୍ବାଚନ: ବିରୋଧୀ ମଧ୍ୟ ରାଜି, ଜାଣନ୍ତି କ’ଣ ରହିଛି ଯୋଜନା

ନୂଆଦିଲ୍ଲୀ: ଲୋକସଭା ଏବଂ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ବୟସ ସୀମା ହ୍ରାସ କରିବାକୁ କେନ୍ଦ୍ର ସରକାର ବିଚାର କରୁଛନ୍ତି । ବର୍ତ୍ତମାନ ଭାରତୀୟ ସମ୍ବିଧାନର ଧାରା ୮୪ (ବି) ଅନୁଯାୟୀ ଲୋକସଭା ନିର୍ବାଚନରେ ପ୍ରାର୍ଥୀ ହେବାର ସର୍ବନିମ୍ନ ବୟସ ୨୫ ବର୍ଷ ହେବା ଉଚିତ ବୋଲି ନିୟମ ରହିଛି ।

ଏହା ସହିତ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ହେବା ପାଇଁ ସମ୍ବିଧାନର ଧାରା ୧୭୩ (ବି) ରେ ମଧ୍ୟ ସମାନ ବ୍ୟବସ୍ଥା କରାଯାଇଛି । ତେବେ ଦେଶର ୬୫ ପ୍ରତିଶତ ଯୁବ ଜନସଂଖ୍ୟାକୁ ଧ୍ୟାନରେ ରଖି କେନ୍ଦ୍ର ସରକାର ଏହି ବୟସ ସୀମାକୁ ୧୮ ବର୍ଷ କରିବାକୁ ଚିନ୍ତା କରୁଛନ୍ତି ।

ଏହାପୂର୍ବରୁ ରାଷ୍ଟ୍ରୀୟ ଲୋକ ଦଳ (ଆରଏଲଡି) ର ରାଷ୍ଟ୍ରୀୟ ସଭାପତି ତଥା ରାଜ୍ୟସଭା ସାଂସଦ ଜୟନ୍ତ ସିଂ ଶୁକ୍ରବାର ଦିନ ସଂସଦରେ ଏକ ପ୍ରାଇଭେଟ ମେମ୍ବର ବିଲ୍ ଉପସ୍ଥାପନ କରିଛନ୍ତି । ତାଙ୍କର ଏହି ବିଲ୍ ଲୋକସଭା ଏବଂ ବିଧାନସଭା ନିର୍ବାଚନରେ ପ୍ରାର୍ଥୀଙ୍କ ବୟସ ସୀମା ସହିତ ମଧ୍ୟ ଜଡିତ । ଜୟନ୍ତ ଟ୍ୱିଟ୍ କରି କହିଛନ୍ତି ଯେ, ସଂସଦ ଏବଂ ରାଜ୍ୟ ବିଧାନସଭାରେ ପ୍ରାର୍ଥୀଙ୍କ ବୟସକୁ ୨୧ ବର୍ଷକୁ ହ୍ରାସ କରିବାକୁ ଭାରତର ସମ୍ବିଧାନ (ଧାରା ୮୪ ଏବଂ ୧୭୩) ରେ ସଂଶୋଧନ କରିବା ପାଇଁ ଏକ ପ୍ରାଇଭେଟ ମେମ୍ବର ବିଲ୍ ଉପସ୍ଥାପନ କରାଯାଇଛି! ସେ ଲେଖିଛନ୍ତି ଯେ, “ଯୁବା ଭାରତକୁ ରାଜନୈତିକ ମୁଖ୍ୟ ସ୍ରୋତକୁ ଆଣିବା ପାଇଁ ମୋର ପଦକ୍ଷେପ! କେବଳ ଭୋଟ୍ ନୁହେଁ, ବିଧାନସଭାର ସଦସ୍ୟ ଭାବରେ ଦେଶକୁ ଦକ୍ଷ ନେତୃତ୍ୱ ପ୍ରଦାନ କରିବାର ସେମାନଙ୍କ ପାଖରେ ଅଧିକାର ରହିବା ଉଚିତ୍!’

ଜୟନ୍ତଙ୍କ କହିବା ମୁତାବକ, ଲୋକସଭା ଏବଂ ବିଧାନସଭା ସଦସ୍ୟ ହେବା ପାଇଁ ସର୍ବନିମ୍ନ ବୟସ ସୀମା ୨୧ ବର୍ଷ ହେବା ଉଚିତ୍ । ତେବେ କେତେକ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ, କେନ୍ଦ୍ର ସରକାର ନିଜେ ଏହାକୁ ୧୮ ବର୍ଷ କରିବାକୁ ଚିନ୍ତା କରୁଛନ୍ତି । ଭାରତୀୟ ସମ୍ବିଧାନ ୧୮ ବର୍ଷ ବୟସରେ ଭାରତର ନାଗରିକମାନଙ୍କୁ ଭୋଟ୍ ଦେବାର ଅଧିକାର ପ୍ରଦାନ କରାଯାଏ । ତେବେ, ବର୍ତ୍ତମାନ ଲୋକସଭା ଓ ବିଦ୍ୟା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଜଣେ ଅତି କମରେ ୨୫ ବର୍ଷ ବୟସ ହୋଇଥିବା ଆବଶ୍ୟକ ।