ତୁରନ୍ତ ବନ୍ୟା କ୍ଷୟକ୍ଷତି ରିପୋର୍ଟ ଦେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩୦ା୭: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆକାଶମାର୍ଗରୁ ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାର ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହିତ ରାଜସୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏବଂ ସ୍ବତନ୍ତ୍ର ରିଲିଫ କମିଶନର ଦେଓ ରଞ୍ଜନ କୁମାର ସିଂ ଥିଲେ। ରାଜ୍ୟର ଯେଉଁ ସ୍ଥାନରେ ବନ୍ୟା ଯୋଗୁ କ୍ଷୟକ୍ଷତି ହୋଇଛି ସେମାନଙ୍କୁ ତୁରନ୍ତ ସହୟତା ମିଳିବ। କ୍ଷୟକ୍ଷତିର ତୁରନ୍ତ ଆକଳନ କରି ରିପୋର୍ଟ ଦେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରିପୋର୍ଟ ପାଇବା ପରେ କ୍ଷତିଗ୍ରସ୍ତ ଲୋକଙ୍କୁ ଉପଯୁକ୍ତ ସହାୟତା ଯୋଗାଇ ଦିଆଯିବ। ଘର ଭଙ୍ଗା ଏବଂ ଗୋ-ସମ୍ପଦର କ୍ଷୟକ୍ଷତି ରିପୋର୍ଟ ମଗାଯିବା ସହିତ ଯେଉଁ ଗାଁଗୁଡ଼ିକରେ ରାସ୍ତା ଖରାପ ହୋଇଯାଇଛି ସେଗୁଡିକ ତୁରନ୍ତ ମରାମତି କରି ଯୋଗାଯୋଗ ବ୍ୟବସ୍ଥା ପୁନସ୍ଥାପିତ କରାଯିବ। ପ୍ରଭାବିତ ଅଞ୍ଚଳରେ ପର୍ଯ୍ୟାପ୍ତ ପରିମାଣରେ ପଶୁଖାଦ୍ୟ ଯୋଗାଯିବ ବୋଲି ମୁଖ୍ୟମନ୍ତ୍ରୀ  କହିଛନ୍ତି।

ବନ୍ୟା ପରିସ୍ଥିତି ଅନୁଧ୍ୟାନ ପରେ ଲୋକସେବା ଭବନଠାରେ ଗଣମାଧ୍ୟମକୁ ବିବୃତ୍ତି ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି, ୩ ଜିଲ୍ଲାର ୮ଟି ବ୍ଲକର ୮୧ଟି ଗାଁ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି। ବାଲେଶ୍ୱରର ୪ଟି ବ୍ଲକ ଯଥା ବସ୍ତା, ବାଲିଆପାଳ, ଭୋଗରାଇ ଓ ଜଳେଶ୍ୱର ଏବଂ ଭଦ୍ରକର ଧାମନଗର ଓ ଭଣ୍ଡାରୀପୋଖରୀ ଏବଂ ଯାଜପୁରର ଯାଜପୁର ଓ ଦଶରଥପୁର ବ୍ଲକ ପ୍ରଭାବିତ। ବନ୍ୟାଦ୍ୱାରା ପ୍ରାୟ ୩୦ ହଜାର ଲୋକ ପ୍ରଭାବିତ ହୋଇଥିବା ବେଳେ ୫୮୬୯ ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଜିରୋ କାଜୁଆଲିଟି ଉପରେ ଗୁରୁତ୍ୱଦେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବାଲେଶ୍ବର ଜିଲ୍ଲାରେ ୧୭ଟି ଓଡ୍ରାଫ ଓ ୧୩ଟି ଅଗ୍ନିଶମ ସେବା ଟିମ, ଭଦ୍ରକ ଜିଲ୍ଲାରେ ଗୋଟିଏ ଏନ୍‌ଡିଆର୍‌ଏଫ୍‌, ଗୋଟିଏ ଓଡ୍ରାଫ ଓ ୧୩ଟି ଅଗ୍ନିଶମ ସେବା ଟିମ୍‌, ଯାଜପୁର ଜିଲ୍ଲାରେ ଗୋଟିଏ ଓଡ୍ରାଫ୍‌ ଓ ୧୪ଟି ଅଗ୍ନିଶମ ସେବା ଟିମ୍‌ ମୁତୟନ କରାଯାଇଛି।

ବର୍ତ୍ତମାନ ବିଭିନ୍ନ ନଦୀରେ ଜଳସ୍ତର କମୁଛି। ବାଲେଶ୍ୱର ଜିଲ୍ଲାର ସୁବର୍ଣ୍ଣରେଖା ଓ ଜଳକା ଆଦି ନଦୀରେ ପାଣି କମିବାରେ ଲାଗିଛି। ବନ୍ୟାପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ଅଛି। କେନ୍ଦୁଝର ଏବଂ ଅନ୍ୟ କିଛି ଜିଲ୍ଲାରେ ବନ୍ୟା ହୋଇଥିଲେ ମଧ୍ୟ ଏହାର ବିଶେଷ ପ୍ରଭାବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ବନ୍ୟା ପ୍ରଭାବିତ ଅଞ୍ଚଳର ଲୋକମାନଙ୍କୁ ଶୁଖିଲା ଖାଦ୍ୟ ଏବଂ ଆବଶ୍ୟକସ୍ଥଳେ ଗରମ ରନ୍ଧାଖାଦ୍ୟ ପ୍ରଦାନ କରାଯାଉଛି। ଏଥିପାଇଁ ବାଲେଶ୍ୱରରେ ୧୬ଟି, ଭଦ୍ରକରେ ୧୦ଟି ଓ ଯାଜପୁରରେ ୩ଟି ଫ୍ରି କିଚିନର ବ୍ୟବସ୍ଥା କରାଯାଇଛି। ସମୁଦାୟ ପ୍ରାୟ ୧୦ ହଜାର ପ୍ରଭାବିତ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି ଏବଂ ଆଗାମୀ ୭ ଦିନ ପର୍ଯ୍ୟନ୍ତ ରନ୍ଧାଖାଦ୍ୟ ଯୋଗାଇ ଦିଆଯିବ।

ବନ୍ୟା ପରବର୍ତ୍ତୀ ସମୟରେ ଅନେକ ସମସ୍ୟା ଦେଖାଦିଏ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଶେଷ କରି ଡାଇରିଆ ଓ ଅନ୍ୟାନ୍ୟ ଜଳ ବାହିତ ରୋଗର ନିୟନ୍ତ୍ରଣ ପାଇ ଜଳ ଉତ୍ସଗୁଡିକର ବିଶୁଦ୍ଧକରଣ ଉପରେ ଗୁରୁତ୍ୱ ଦିଆଯାଇଛି। ଏହାକୁ ଜାରି ରଖିବା ପାଇଁ ସ୍ଥାନୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କୌଣସି ପରିସ୍ଥିତିରେ ଯେପରି ଡାଇରିଆ ରୋଗର ପ୍ରଭାବ ଦେଖା ନ ଯିବ, ସେଥିପ୍ରତି ସତର୍କ ରହିବାକୁ ପରାମର୍ଶ ଦିଆଯାଇଥିବା ସେ କହିଛନ୍ତି।
ଅନେକ ସ୍ଥାନରେ ସାପ କାମୁଡା ପରି ଘଟଣା ଘଟେ।  ଏଥିପାଇଁ ବ୍ୟାପକ ପରିମାଣରେ ଆଣ୍ଟିଭେନମ ଓ ଅନ୍ୟାନ୍ୟ ଆବଶ୍ୟକ ଔଷଧ ମହଜୁଦ ରଖିବା ପାଇଁ ସ୍ବାସ୍ଥ୍ୟ ବିଭାଗ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।