ଆସିଲା ସୂଚନା: କେଉଁଠି ଲ୍ୟାଣ୍ଡଫଲ୍ କରିବ ବାତ୍ୟା ବିପର୍ଯ୍ୟୟ ଏବଂ ଭାରତର କେଉଁ ଅଞ୍ଚଳ ଉପରେ ରହିବ ପ୍ରଭାବ

ନୂଆଦିଲ୍ଲୀ: ଆରବ ସାଗରରେ ସୃଷ୍ଟ ବାତ୍ୟା ବିପର୍ଯ୍ୟୟ ଏବେ ଦ୍ରୁତ ଗତିରେ ଦେଶର ଉପକୂଳବର୍ତ୍ତୀ ଅଞ୍ଚଳ ଆଡକୁ ମାଡି ଆସୁଛି । ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ରାତି ପ୍ରାୟ ସାଢେ ୧୧ଟାରେ ଗୋଆ ଉପକୂଳଠାରୁ ପ୍ରାୟ ୯୦୦ କିଲୋମିଟର ଦୂରରେ ଆରବ ସାଗରରେ ଏହି ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିଲା। ପୂର୍ବ-କେନ୍ଦ୍ରୀୟ ଏବଂ ଦକ୍ଷିଣ-ପୂର୍ବ ଆରବ ସାଗରରେ କେନ୍ଦ୍ରୀତ ଏହି ଘୂର୍ଣ୍ଣିବଳୟ ଝଡ଼ ଦ୍ରୁତ ବେଗରେ ଗତି କରୁଛି। ପାଣିପାଗ ବିଭାଗ ଅନୁଯାୟୀ ଏହା ପ୍ରାୟ ଉତ୍ତର ଦିଗକୁ ଗତି କରିବ ଏବଂ ଏକ ଭୟଙ୍କର ଘୂର୍ଣ୍ଣିବଳୟରେ ପରିଣତ ହେବାର ସମ୍ଭାବନା ରହିଛି। ବର୍ତ୍ତମାନ ସମୁଦ୍ର ମଧ୍ୟରେ ବା ଉପକୂଳବର୍ତ୍ତୀ ଅଞ୍ଚଳରେ ଘଣ୍ଟାପ୍ରତି ୮୦-୯୦ କିଲୋମିଟରରୁ ବା ୧୦୦ କିଲୋମିଟର ବେଗରେ ପବନର ଗତି ରହିଛି । ବୁଧବାର ସନ୍ଧ୍ୟା ଠାରୁ ପବନର ବେଗ ବଢିବ । ଘଣ୍ଟା ପ୍ରତି ୧୦୫-୧୧୫ କିଲୋମିଟର କିମ୍ବା କେତେକ ସ୍ଥାନରେ ୧୨୫ କିଲୋମିଟରକୁ ବୃଦ୍ଧି ହେବାର ସମ୍ଭାବନା ରହିଛି ବୋଲି ଆଇଏମଡି ପକ୍ଷରୁ କୁହାଯାଇଛି ।

ତେବେ ଆଜି ସକାଳ ସୁଦ୍ଧା ଏହି ଘୂର୍ଣ୍ଣିଝଡ ବିପର୍ଯ୍ୟୟ ପୂର୍ବ ମଧ୍ୟ ଆରବ ସାଗର ଉପରେ ପ୍ରାୟ ୧୩.୯ ଏନ୍ ଓ ୬୬.୦ଇ ରେ କେନ୍ଦ୍ରିତ ଥିଲା । ଏହା ଏବେ ଗୋଆର ପ୍ରାୟ ୮୬୦ କିମି ପଶ୍ଚିମ ଦକ୍ଷିଣ ଓ ମୁମ୍ବାଇ ଠାରୁ ୯୧୦ କିମି ଦକ୍ଷିଣ ପଶ୍ଚିମ ଦିଗରେ ରହିଛି । ମୌସୁମୀ ବିଭାଗ ଅନୁସାରେ ଏହା ଉତ୍ତର ପଶ୍ଚିମ ଦିଗକୁ ଗତି କରିବା ସମୟରେ ଏହାର ଗତି ଦ୍ରୁତତର ହେବ । ଏହି ବିପର୍ଯ୍ୟୟ ଆଗାମି ୩ ଦିନ ମଧ୍ୟରେ ଗମ୍ଭୀର ରୂପ ଧାରଣ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂତ୍ରରୁ ଜଣାପଡିଛି । ଜୁନ୍ ୮ରୁ ୧୨ ପର୍ଯ୍ୟନ୍ତ ସମୁଦ୍ରରେ ବହୁତ ବଡ ବଡ ଲହରୀ ଆସିବାର ସମ୍ବାବନା ରହିଛି । ତେବେ ଏହାର ସବୁଠାରୁ ଅଧିକ ପ୍ରଭାବ ଗୁଜୁରାଟର ସମୁଦ୍ର କୂଳରେ ଥିବା ସହର ଉପରେ ପଡିବ । ଏହା ବ୍ୟତିତ ଆଇଏମଡି ପକ୍ଷରୁ କୁହାଯାଇଛି ବିପର୍ଯ୍ୟୟ କର୍ଣ୍ଣାଟକ, ଗୋଆ,ମହାରାଷ୍ଟ୍ର, ଓ ଗୁଜୁରାଟର ଉପକୂଳ କ୍ଷେତ୍ର ଠାରୁ ବହୁତ ଦୂର ଦେଇ ଗତି କରିବ । କିନ୍ତୁ ଉପକୂଳ ଅଞ୍ଚଳରେ ଦ୍ରୁତ ଗତିରେ ପବନ ବୋହିବା ସହ କେତେକ ଅଞ୍ଚଳରେ ଭୀଷଣ ବର୍ଷା ହେବ । ଏହି ବାତ୍ୟା ପାକିସ୍ଥାନରେ ଲ୍ୟାଣ୍ଡଫଲ୍୍ କରିବ ବୋଲି ସୂଚନା ମିଳିଛି । ଏହି ବାତ୍ୟାର ପ୍ରଭାବ ଭାରତ, ଓମାନ, ଇରାନ ଓ ପାକିସ୍ତାନ ସହିତ ଆରବ ସାଗର ନିକଟବର୍ତ୍ତୀ ଦେଶ ଉପରେ ପଡିବ ବୋଲି କହିଛି ଆଇଏମଡି ।