fbpx

କମିଲା କାଳବୈଶାଖୀ ପ୍ରଭାବ: ଟ୍ୱିନସିଟିରେ ପୁଣି କଲବଲ କଲା ତାତି

ଭୁବନେଶ୍ୱର/କଟକ : ତାତିରୁ ଆଶ୍ୱସ୍ତି ଆଣିଦେଇଥିଲା କାଳବୈଶାଖୀ ବର୍ଷା । ଗତ କିଛିଦିନ ହେବ କାଳବୈଶାଖୀ ପ୍ରଭାବରେ ବର୍ଷା ଓ ପବନ ଲାଗିରହିବା ହେତୁ ଟ୍ୱିନସିଟି କଟକ ଓ ଭୁବନେଶ୍ୱର ସହରବାସୀ ଆଶ୍ୱସ୍ତିଲାଭ କରିଥିଲେ । ତେବେ କାଳବୈଶାଖୀ ପ୍ରଭାବର ହ୍ରାସ ପରେ ପୁଣିଥରେ ତାତିର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି । ରବିବାର ପ୍ରଚଣ୍ଡ ତାତି ଓ ଗୁଳୁଗୁଳି ଯୋଗୁଁ ଦୁଇ ସହରରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା ।

ଯଦିଓ ତାପମାତ୍ରା ୪୦ ଡିଗ୍ରୀ ତଳକୁ ରହିଥିଲା ତଥାପି ଦେହରୁ ଗମ୍ ଗମ୍ ହୋଇ ଝାଳ ବୋହି ଯାଉଥିଲା । ଏପରିକି ସୂର୍ଯ୍ୟଙ୍କ ତେଜ ସ୍ପଷ୍ଟ ବାରି ହୋଇପଡ଼ୁଥିଲା । ଏପରିକି ଦିନ ୧୧ଟା ପରେ ଦୋକାନ ବଜାର ବନ୍ଦ ହେବା ସହ ରାସ୍ତାଘାଟ ଶୂନଶାନ୍ ହୋଇପଡ଼ିଥିଲା । ଆଗକୁ ତାପମାତ୍ରା ଆହୁରି ୩ରୁ ୫ ଡିଗ୍ରୀ ବୃଦ୍ଧି ପାଇବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯିବା ପରେ ଦୁଇ ସହର ବାସିନ୍ଦାଙ୍କ ମନରେ ଛନକା ପଶିଯାଇଛି ।

କାରଣ କାଳବୈଶାଖୀ ପୂର୍ବରୁ ଭୁବନେଶ୍ୱରର ତାପମାତ୍ରା ୪୪ ଡିଗ୍ରୀ ପାଖାପାଖି ପହଞ୍ଚିଥିବା ବେଳେ କଟକର ତାପମାତ୍ରା ମଧ୍ୟ ୪୩ ଡିଗ୍ରୀ ପାଖାପାଖି ଛୁଇଁଯାଇଥିଲା । ଉଭୟ ସହରରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଲାଗିରହିବା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା । ଆଗକୁ ଯଦି ତାପମାତ୍ରାରେ ବୃଦ୍ଧି ଘଟେ ତେବେ ଲୋକମାନେ କ’ଣ କରିବେ ତାକୁ ନେଇ ଚିନ୍ତାରେ ପଡ଼ିଛନ୍ତି । ତେବେ ନିକଟରେ ବାତ୍ୟା ‘ମୋଚା’ ଆସୁଥିବାରୁ ଏହାର ପ୍ରଭାବରେ କିଛିଟା ଆଶ୍ୱସ୍ତି ମିଳିବ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.