ଏହି ୩ ଜିଲ୍ଲାରେ ଘନ କୁହୁଡ଼ି ହେବାର ସମ୍ଭାବନା: ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ
କଳାହାଣ୍ଡି-କନ୍ଧମାଳ-କୋରାପୁଟରେ ଘନ କୁହୁଡ଼ି: ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି
ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ କଳାହାଣ୍ଡି, କନ୍ଧମାଳ, ଏବଂ କୋରାପୁଟ ଜିଲ୍ଲାର କେତେକ ଅଞ୍ଚଳରେ ଘନ କୁହୁଡ଼ି ଦୃଶ୍ୟମାନ ହେବ ବୋଲି ଭୁବନେଶ୍ବର ଅଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହା ସହିତ ଏସବୁ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି।
ସେହିଭଳି ଝାରସୁଗୁଡା, କେନ୍ଦୁଝର, ସମ୍ବଲପୁର, ସୁନ୍ଦରଗଡ, କଟକ ଏବଂ ଖୋର୍ଦ୍ଧା ଜିଲ୍ଲାରେ କେତେକ ଅଞ୍ଚଳରେ ମଧ୍ୟମ କୁହୁଡ଼ି ହେବାର ସମ୍ଭାବନା ଅଧିକ ରହିଥିବା ପାଣିପାଗ କହିଛି।
କାଲି ପାଇଁ ଏହି ଜିଲ୍ଲା ସାବଧାନ: ସେହିପରି ଜାନୁଆରୀ ୧୫ରେ, କଳାହାଣ୍ଡି, କନ୍ଧମାଳ, ଏବଂ କୋରାପୁଟ ଜିଲ୍ଲାରେ କେତେକ ସ୍ଥାନରେ ଘନ କୁହୁଡ଼ି ଦୃଶ୍ୟମାନ ହେବାର ସମ୍ଭାବନା ଅଧିକ ରହିଛି। ଓଡ଼ିଶାର ବିଭିନ୍ନ ଜିଲ୍ଲାଗୁଡ଼ିକରେ ଶୁଖିଲା ପାଗ ରହିବାର ସମ୍ଭାବନା ରହିଛି।
ଆସନ୍ତା ଚାରି ଦିନ ପାଇଁ ରାତିର ସର୍ବନିମ୍ନ ତାପମାତ୍ରାରେ କୌଣସି ବିଶେଷ ପରିବର୍ତ୍ତନ ହେବ ନାହିଁ। ପରବର୍ତ୍ତୀ ଦିନଗୁଡ଼ିକରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ରାତିର ତାପମାତ୍ରା ୨ରୁ ୪ ଡିଗ୍ରି ହ୍ରାସ ପାଇବାର ସମ୍ଭାବନା ରହିଛି ବୋଲି ପାଣିପାଗ ପୂର୍ବାନୁମାନ କରିଛି।