‘ୟୁକ୍ରେନ ଯୁଦ୍ଧ ଯେତେ ଶୀଘ୍ର ଶେଷ ହେବ, ଭଲ’: ଭ୍ଲାଦିମିର ପୁଟିନ

ମସ୍କୋ: ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି ଯେ ତାଙ୍କ ଦେଶ ୟୁକ୍ରେନରେ ହୋଇଥିବା ବିବାଦକୁ ଯଥାଶୀଘ୍ର ଶେଷ କରିବାକୁ ଲକ୍ଷ୍ୟ ରଖିଛି ଏବଂ ଏହି ସଂଗ୍ରାମ ଯଥାଶୀଘ୍ର ଶେଷ ହେବା ଉଚିତ । ଗୁରୁବାର ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ପୁଟିନ କହିଛନ୍ତି, ‘ଆମର ଲକ୍ଷ୍ୟ ହେଉଛି ଏହି ବିବାଦର ଅନ୍ତ ଘଟାଇବା । ଆମେ ଏଥିପାଇଁ ଚେଷ୍ଟା କରୁଛୁ ଏବଂ ଏହି ଚେଷ୍ଟା ଜାରି ରଖିବୁ । ଆମେ ନିଶ୍ଚିତ କରିବାକୁ ଚେଷ୍ଟା କରିବୁ ଯେ, ଏହି ସବୁ ସମାପ୍ତ ହେବ ଏବଂ ଯଥାଶୀଘ୍ର ଏହା ସମ୍ଭବ ହେବ ତାହା ଭଲ ।’

ତେବେ ପୁଟିନ୍‌ଙ୍କ ଏହି ବୟାନ ଉପରେ ୟୁକ୍ରେନ୍ ଏବଂ ଏହାର ସହଯୋଗି ସନ୍ଦେହ ପ୍ରକଟ କରିଛନ୍ତି । ହ୍ୱାଇଟ ହାଉସର ମୁଖପାତ୍ର ଜନ୍ କିର୍ବି କହିଛନ୍ତି ଯେ, ‘ପୁଟିନ ଆଲୋଚନା ପାଇଁ ପ୍ରସ୍ତୁତ ବୋଲି କହିଛନ୍ତି । କିନ୍ତୁ ଋଷର ୟୁକ୍ରେନ ଉପରେ ଆକ୍ରମଣରୁ ଆରମ୍ଭ ହୋଇଥିବା ଯୁଦ୍ଧର ସମାପ୍ତି ଶେଷ ହୋଇ ନ ଥିବା ପରି ମନେହୁଏ । କାରଣ ସେ (ପୁଟିନ) ଭୂମିରେ ଏବଂ ଆକାଶରେ ଯାହା କରୁଛନ୍ତି ତାହା ଜଣେ ବ୍ୟକ୍ତିଙ୍କ ଭାବମୂର୍ତ୍ତିକୁ ଦର୍ଶାଏ ଯିଏ ୟୁକ୍ରେନ ଲୋକଙ୍କ ଉପରେ ହିଂସା ଜାରି ରଖିବାକୁ ଏବଂ ଯୁଦ୍ଧକୁ ବଢାଇବାକୁ ଚାହୁଁଛି’ ବୋଲି କିର୍ବି ଗଣମାଧ୍ୟମକୁ କହିଛନ୍ତି।

ସେହିପରି ଆମେରିକା ଗସ୍ତରେ ଯାଇ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି କି ଋଷ ସହିତ ଯୁଦ୍ଧ ଶେଷ କରିବା ପାଇଁ କୌଣସି ବୁଝାମଣା କରିବେ ନାହିଁ । ଋଷର ଆକ୍ରମଣକୁ ପ୍ରତିହତ କରିବା ପାଇଁ ଆମେରିକାର ସମର୍ଥନକୁ ଦୃଷ୍ଟିରେ ରଖି ଆମେ ନଇଁବୁ ନାହିଁ ବୋଲି ସେ କହିଛନ୍ତି ।