fbpx

ଏହି ଲୋକଙ୍କଠାରୁ ଯାଇପାରେ ଫ୍ୟାମିଲି ପେନସନ୍ ପାଇବାର ଅଧିକାର, ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ: ଦେଶର ଅନେକ ପରିବାରକୁ ଫ୍ୟାମିଲି ପେନସନ୍ ମାଧ୍ୟମରେ ସହାୟତା କରୁଛନ୍ତି କେନ୍ଦ୍ର ସରକାର । ଚାକିରିରୁ ଅବସର ନେବା ପରେ ପେନସନ୍ ପାଇଁ ସରକାର କିଛି ନିୟମ ପ୍ରସ୍ତୁତ କରିଛନ୍ତି । ଏହି ନିୟମ ଅନୁସାରେ, ଯଦି କୌଣସି ପେନସନଧାରୀଙ୍କ ମୃତ୍ୟୁ ହୁଏ, ତେବେ ତାଙ୍କ ପରିବାରଙ୍କୁ ଫ୍ୟାମିଲି ପେନସନ୍ ମିଳିଥାଏ । କିନ୍ତୁ କେନ୍ଦ୍ର ସରକାରଙ୍କ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଫ୍ୟାମିଲି ପେନସନରେ କିଛି ପରିବର୍ତ୍ତନ କରାଯାଇଛି । ପେନସନ୍ ଓ ପେନସନ୍ କଲ୍ୟାଣ ବିଭାଗର ସର୍କୁଲାରକୁ ଲାଗୁ କରିବାକୁ ଆଦେଶ ଦେଇଛି ରକ୍ଷା ମନ୍ତ୍ରଣାଳୟ ।

କେଉଁମାନଙ୍କୁ ମିଳିବନି ପେନସନ୍?

୨୦୨୧ ଜୁନ୍ ୧୬ରେ ପେନସନ୍ ଓ ପେନସନ୍ କଲ୍ୟାଣ ବିଭାଗ ଏକ ଗୁରୁତ୍ୱପୂର୍ଣ୍ଣ ସର୍ତ୍ତ ଉଲ୍ଲେଖ କରି କହିଥିଲା ଯେ, ଫ୍ୟାମିଲି ପେନସନ୍ ପାଉଥିବା ସଦସ୍ୟଙ୍କଠାରୁ ଏହି ଅଧିକାର ଛଡ଼ାଯାଇପାରିବ । ଏହା ଅନୁସାରେ, ଯଦି ଫ୍ୟାମିଲି ପେନସନ୍ ପାଉଥିବା ସଦସ୍ୟଙ୍କ ଉପରେ ସରକାରୀ କର୍ମଚାରୀଙ୍କ ହତ୍ୟାର ଅଭିଯୋଗ ଆସେ ବା ଏପରି କୌଣସି ଅପରାଧ ପାଇଁ ପ୍ରୋତ୍ସାହନ କରୁଥିବାର ଅଭିଯୋଗ ହୁଏ, ତେବେ ଏପରି ପରିସ୍ଥିତିରେ ପରିବାରର କୌଣସି ଅନ୍ୟ ସଦସ୍ୟଙ୍କୁ ପେନସନ୍ ଦିଆଯାଇ ପାରିବ ।

ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ୨୦୨୨ ଜାନୁଆରୀ ୫ରେ ସଶସ୍ତ୍ର ବାହିନୀର ପେନସନଭୋଗୀଙ୍କ ପାଇଁ ଡିଓପି ଆଣ୍ଡ ପିଡବ୍ଲୁର ସ୍ମାରକପତ୍ରରେ ଥିବା ନିର୍ଦ୍ଦେଶାବଳୀକୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଜାରି ହୋଇଛି । ଏହା ୨୦୨୧ ଜୁନ୍ ୧୬ରୁ ଲାଗୁ ହେବ ।

ନୂଆ ନିୟମ ଅନୁସାରେ, ଫ୍ୟାମିଲି ପେନସନ୍ ପାଉଥିବା ବ୍ୟକ୍ତି ଉପରେ ସରକାରୀ କର୍ମଚାରୀଙ୍କ ହତ୍ୟା ବା ଏଥିପାଇଁ ଉତ୍ସକାଉଥିବାର ଅଭିଯୋଗ ଆସିଲେ ପରିବାରର ଅନ୍ୟ ସଦସ୍ୟଙ୍କୁ ପେନସନ୍ ମିଳିବ । ଯେତେଦିନ ପର୍ଯ୍ୟନ୍ତ ଅଭିଯୁକ୍ତଙ୍କ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନଆସିଛି, ସେତେଦିନ ପର୍ଯ୍ୟନ୍ତ ପରିବାରର ଅନ୍ୟ ସଦସ୍ୟଙ୍କୁ ଫ୍ୟାମିଲି ପେନସନ୍ ମିଳିବ ।

Get real time updates directly on you device, subscribe now.