fbpx

ଏକ ସପ୍ତାହ ପରେ ପୁଣି ଉଜୁଡ଼ିଗଲା ଆଉ ଏକ ପରିବାର: ୨ ବର୍ଷର ଶିଶୁ ସହ ଗୋଟିଏ ପରିବାରର ୫ ଜଣଙ୍କୁ ହତ୍ୟା କଲେ ଦୁର୍ବୃତ୍ତ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଲଗାତର ହତ୍ୟା ମାମଲା ବଢ଼ିବାରେ ଲାଗିଛି । ଗତ ୧୬ ତାରିଖରେ ପ୍ରୟାଗରାଜର ନୱାବଗଞ୍ଜରେ ଗୋଟିଏ ପରିବାରର ୫ ଜଣଙ୍କୁ ହତ୍ୟା କରାଯାଇଥିଲା । ତେବେ ଆଜି ପୁଣି ଥରେ ପ୍ରୟାଗରାଜରେ ରକ୍ତର ହୋଲି ଖେଳ ଦେଖିବାକୁ ମିଳିଛି । ଥରୱଇ ଅଞ୍ଚଳର କ୍ଷେବରାଜପୁର ଗ୍ରାମରେ ଦୁର୍ବୃତ୍ତମାନେ ଗୋଟିଏ ପରିବାରର ୫ ଜଣଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କରିଛନ୍ତି । ହତ୍ୟାକାରୀମାନେ ୨ ବର୍ଷର ଛୋଟ ଛୁଆକୁ ମଧ୍ୟ ଛାଡ଼ି ନାହାନ୍ତି ।

ତେବେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଛି । ଘଟଣାର ଯାଞ୍ଚ ପାଇଁ ସ୍ନିଫର ଡକ୍ ଓ ଫରେନସିକ୍ ଏକ୍ସପର୍ଟ ଟିମ୍ ମଧ୍ୟ ସାମିଲ୍ ହୋଇଛନ୍ତି । ମୃତକମାନେ ଘରର ବାରଣ୍ଡାରେ ଶୋଇଥିବା ଅବସ୍ଥାରେ ମିଳିଥିଲେ । ଉକ୍ତ ଘର ଭିତରୁ ଧୂଆଁ ବାହାରୁଥିବା ମଧ୍ୟ ଦେଖାଯାଇଥିଲା । ତେବେ ଏହି ଘଟଣା ପଛରେ କାହାର ହାତ ଆଛି ତାହା ସ୍ପଷ୍ଟ ହୋଇନାହିଁ ।

ସୂଚନାଯୋଗ୍ୟ ଯେ, ଗତ ୧୨ ତାରିଖରେ ଓଡ଼ିଶାର ମାହାଙ୍ଗା ଅଞ୍ଚଳରେ ଗୋଟିଏ ପରିବାରର ୫ ଜଣ ସଦସ୍ୟଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଅନୁରୂପ ଭାବେ ଗତ ୧୬ ତାରିଖରେ ପ୍ରୟାଗରାଜରେ ଏହି ଘଟଣାର ପୁନରାବୃତ୍ତି ଘଟିଥିବା ବେଳେ ଏକ ସପ୍ତାହ ମଧ୍ୟରେ ଆଉ ଏକ ବୀଭତ୍ସ ହତ୍ୟାକାଣ୍ଡ ଦେଖିବାକୁ ମିଳିଛି । ୟୁପିରେ ଏପରି ବଡ଼ଧରଣର ହତ୍ୟା ମାମଲା ବଢ଼ିଚାଲିଥିବା ବେଳେ ତାହା ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି ।

Get real time updates directly on you device, subscribe now.