ଲଘୁଚାପ ପ୍ରଭାବରେ ଓଡ଼ିଶାରେ ବନ୍ୟା ସ୍ଥିତି ସୃଷ୍ଟି: ଆଜିପାଇଁ ୪ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି

ଭୁବନେଶ୍ୱର: ରାଜ୍ୟରେ ଏବେ ସକ୍ରିୟ ରହିଛି ମୌସୁମୀ। ଉପର ମୁଣ୍ଡରେ ଲଗାଣ ବର୍ଷା ଫଳରେ ଉତ୍ତର ଓଡ଼ିଶାରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏ ନେଇ ସୋମବାର ଜୁଲାଇ ୭ ତାରିଖରେ ୪ ଜିଲ୍ଲା ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଥିବା ବେଳେ ୧୩ ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଓ ୯ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।

ରେଡ୍ ଆଲର୍ଟ ଜାରି କରାଯାଇଥିବା ୪ ଜିଲ୍ଲା ହେଉଛି ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର। ସେହିପରି ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବା ୧୩ ଜିଲ୍ଲା ହେଉଛି ଦେବଗଡ଼, ଅନୁଗୁଳ, ବୌଦ୍ଧ ଝାରସୁଗୁଡ଼ା, ବରଗଡ଼, ସୋନପୁର, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗିର, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ୱର।

ୟେଲୋ ଆଲର୍ଟ ଜାରି କରାଯାଇଥିବା ୯ ଜିଲ୍ଲା ମାଲକାନାଗିରି,କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ନୁଆପଡ଼ା, ନୟାଗଡ଼, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର। ଆଲର୍ଟ ଜାରି ହୋଇଥିବା ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଓ ୩୦-୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି।

ସେପଟେ ସମୁଦ୍ର ଅଶାନ୍ତ ରହିବ, ଏ ନେଇ ମତ୍ସ୍ୟଜୀବିଙ୍କୁ ସମୁଦ୍ର ନଯିବା ପାଇଁ ପରାମର୍ଶ ଦିଆଯାଇଛି। ସେପଟେ ରାଜ୍ୟର ବିଭିନ୍ନ ସ୍ଥାନରେ ଭୟଙ୍କର ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଛି, ଏକାଧିକ ପରିବାର ପାଣି ଘେରରେ। ୧୨ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ବର୍ଷା ପ୍ରଭାବ ଲାଗିରହିବ। ଉତ୍ତର-ପଶ୍ଚିମ ଓଡ଼ିଶାର କେତେକ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି।