fbpx

ବର୍ଷା ଧୋଇଦେଲା ମାଆର ଲୁହ, ବଢ଼ାଇଦେଲା କୋହ: ବର୍ଷା କାରଣରୁ ପୁଅ ପାଖରୁ ଗାଁକୁ ଫେରିଗଲା ମାଉସୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ଷା ହେଲେ ରାଜଧାନୀ ଭୁବନେଶ୍ୱରର ଅବସ୍ଥା ନ କହିବା ଭଲ । ବର୍ଷ ବର୍ଷ ଧରି ରାଜଧାନୀରେ ଏହି ସମସ୍ୟା ରହିଥିଲେ ହେଁ ବର୍ତ୍ତମାନ ପର୍ଯ୍ୟନ୍ତ ଏହାର ସ୍ଥାୟୀ ସମାଧାନ କରାଯାଇ ପାରିନାହିଁ । ରାଜଧାନୀର ଇସ୍କନ ମନ୍ଦିର, ଆଚାର୍ଯ୍ୟ ବିହାର, ରସୁଲଗଡ଼, ନୂଆପଲ୍ଲୀ, ବମିଖାଲର ଅବସ୍ଥା ନ କହିବା ଭଲ । ଅନେକ ଜାଗାମାନଙ୍କରେ ଲୋକଙ୍କ ଘରେ ପାଣି ପଶିଯାଉଥିବାରୁ ସେମାନେ ରୋଷେଇ ମଧ୍ୟ କରିପାରୁ ନାହାନ୍ତି ।

ଅନେକ ସମୟରେ ସକାଳୁ ପାଗ ଭଲ ରହିଥିବା ବେଳେ ଅପରାହ୍ଣରେ ପ୍ରବଳ ବର୍ଷା ହୋଇ ରାସ୍ତାଘାଟ ବୁଡ଼ି ଯାଇଥାଏ । ତେବେ କିଛି ଦମ୍ପତ୍ତି ସକାଳୁ ଅଫିସକୁ ଯାଇଥିବା ବେଳେ ସନ୍ଧ୍ୟାରେ ଘରକୁ ଫେରି ଦେଖନ୍ତି ତ ଘର ପାଣି ଘେରରେ ରହିଛି । ଏପରିକି ଲୋକମାନେ ନିଜ ଘରକୁ ମଧ୍ୟ ପାଣି ଯୋଗୁଁ ଯାଇ ପାରିନଥାନ୍ତି । ବର୍ଷା କାରଣରୁ ରାଜଧାନୀରେ ସମୁଦ୍ର ପରି ଜଳର ଲହରୀ ଦେଖିବାକୁ ମିଳିଥାଏ । ଏହି ପାଣିର ସୁଅରେ ରାଜଧାନୀରେ ଅନେକ ଲୋକ ଭାସି ଯାଇ ମୃତ୍ୟୁବରଣ କରିଥିବାର ଉଦାହରଣ ମଧ୍ୟ ରହିଛି ।

ସାଧାରଣ ଭାବେ ରାଜଧାନୀର ଚାକଚକ୍ୟ ରାସ୍ତା, କୋଠା, ପାର୍କ, ଆକର୍ଷଣୀୟ ସ୍ଥାନ ବିଷୟରେ ଗାଁରେ ରହୁଥିବା ଲୋକମାନେ ଚର୍ଚ୍ଚା କରିଥାନ୍ତି । ମାତ୍ର ଏବେ ବୋଧହୁଏ ସ୍ଥିତି ବଦଳି ଯାଇଛି । ରାଜଧାନୀର ଏଭଳି ଅବସ୍ଥା ଦେଖିବା ପରେ କିଛି ଲୋକ ଘରେ ଚାବି ପକାଇ ଗାଁ ଅଭିମୂଖେ ଯାତ୍ରା କରୁଥିବା ଦେଖାଯାଉଛି । ଏପରିକି ଜଣେ ବୁଢ଼ୀ ମାଉସୀ ନିଜ ପୁଅ ପାଖକୁ ଆସିଥିବା ବେଳେ ବର୍ଷାକୁ ଦେଖି ସେ ଡରରେ ନିଜ ଜନ୍ମମାଟିକୁ ଫେରି ଯାଇଥିବା ଖବର ମଧ୍ୟ ଶୁଣାଯାଇଛି । ନିଜର ପରିଣତ ବୟସରେ ପୁଅ ପାଖକୁ ସୁଖର ସନ୍ଧାନରେ ଆସିଥିବା ମାଉସୀର କୋହକୁ ବର୍ଷାର ପ୍ରକୋପ ଆଜି ବଢ଼ାଇ ଦେଇଛି । ବାସ୍ତବରେ ରାଜଧାନୀର ଏଭଳି ଦୟନୀୟ ପରିସ୍ଥିତି କଥା ଭାବିଲା ବେଳକୁ ନିଜକୁ ଧିକାର କରିବାକୁ ମନେହେଉଛି । ନେତା, ମନ୍ତ୍ରୀ, ସଚିବମାନେ ଖାଲି ନାମକୁ ମାତ୍ର, କେହି ଜନସାଧାରଣଙ୍କ ଦୁଃଖ ବୁଝିବାକୁ ଏଠି ନାହାନ୍ତି ।

Get real time updates directly on you device, subscribe now.