fbpx

ପତ୍ନୀ ହତ୍ୟା ମାମଲା: ପୂର୍ବତନ ଗୁଣପୁର ବିଧାୟକ ରାମମୂର୍ତ୍ତି ଗମାଙ୍ଗ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର: ପୂର୍ବତନ ଗୁଣପୁର ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କୁ ପତ୍ନୀ ହତ୍ୟା ମାମଲାରେ ଭୁବନେଶ୍ୱର ସ୍ୱତନ୍ତ୍ର ଅଦାଲତ ଦୋଷୀ ସାବ୍ୟସ୍ତ କରିଛନ୍ତି । ସୂଚନାଯୋଗ୍ୟ, ୧୯୯୫ ଅଗଷ୍ଟ ୨୯ ତାରିଖ ଦିନ ପୂର୍ବତନ ବିଧାୟକଙ୍କ ଖାରବେଳ ନଗରସ୍ଥିତ ବାସଭବନରେ ତାଙ୍କ ପତ୍ନୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଆସନ୍ତା ମଙ୍ଗଳବାର ଅଦାଲତ ଏହି ମାମଲାର ଦଣ୍ଡବିଧାନର ଶୁଣାଣି କରିବେ ।

ତେବେ ୧୯୯୫ ମସିହାରେ ରାମମୂର୍ତ୍ତି ତାଙ୍କ ପତ୍ନୀ ଶଶୀରେଖା ଗମାଙ୍ଗ ଏମଏଲଏ କଲୋନୀ କ୍ୱାର୍ଟର ଗାଧୁଆ ଘରେ ପୋଡ଼ି ହୋଇ ମୃତ୍ୟୁବରଣ କରିଥିବା ଦର୍ଶାଇଥିଲେ। ପରେ ପୋଲିସ ତଦନ୍ତରେ ରାମମୂର୍ତ୍ତି ପତ୍ନୀଙ୍କୁ ହତ୍ୟା କରିଥିବା ଜଣାପଡ଼ିଥିଲା। ଘଟଣା ଦିନ ୧୦ଟା ୪୫ ମିନିଟରେ ରାମମୂର୍ତ୍ତି ଗମାଙ୍ଗ ପୁଲିସକୁ ଖବର ଦେଇଥିଲେ ଯେ ତାଙ୍କ ପତ୍ନୀ ଆତ୍ମହତ୍ୟା କରିଛନ୍ତି। ସେହିଦିନ ସକାଳ ୯ଟାରେ ତାଙ୍କ ପତ୍ନୀ ବାଥରୁମ୍‌ ଭିତରେ ଆତ୍ମହତ୍ୟା କରିଥିବା ସେ ପୁଲିସକୁ ସୂଚନା ଦେଇଥିଲେ।

ଘଟଣାର ତଦନ୍ତ ବେଳେ ଏହା ଆତ୍ମହତ୍ୟା ନୁହେଁ, ବରଂ ସୁଚିନ୍ତିତ ହତ୍ୟା ବୋଲି ପୁଲିସ ସନ୍ଦେହ କରିବା ପରେ ସେନେଇ ତଦନ୍ତ ଆଗକୁ ବଢ଼ାଇଥିଲା। ରାମମୂର୍ତ୍ତି ଗମାଙ୍ଗଙ୍କର ଏହି ଘଟଣାରେ ସଂପୃକ୍ତି ଥିବା କଥା ସାମ୍ନାକୁ ଆସିଥିଲା। ହତ୍ୟାକୁ ଆତ୍ମହତ୍ୟାର ରୂପ ଦେବା ପାଇଁ ପ୍ରୟାସ କରାଯାଇଥିଲା ବୋଲି ପୁଲିସ ଜାଣିବାକୁ ପାଇଥିଲା। ସେହି ଆଧାରରେ ପୁଲିସ ଏହି ଘଟଣାରେ ପ୍ରଥମେ ୟୁଡି ଓ ପରେ ହତ୍ୟା ମାମଲା ରୁଜୁ କରିଥିଲା।

ପୂର୍ବରୁ ସେ ବିଜେଡିରେ ଥିବାବେଳେ ପରେ ସେ ବିଜେପିରେ ଯୋଗ ଦେଇଥିଲେ । ରାୟଗଡ଼ାରୁ ୨ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ରାମମୂର୍ତ୍ତି ଗମାଙ୍ଗ।

Get real time updates directly on you device, subscribe now.