ଭୁବନେଶ୍ୱର(ଓଡ଼ିଶା ଭାସ୍କର): କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ ଆସିଛି ଖୁସିଖବର । ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ ବଡ଼ ଘୋଷଣା କରାଯାଇଛି । କେନ୍ଦୁପତ୍ର ସଂଗ୍ରହ ମୂଲ୍ୟ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁଁ ରାଜ୍ୟର ପ୍ରାୟ ଆଠ ଲକ୍ଷ କେନ୍ଦୁପତ୍ର ତୋଳାଳୀ ଉପକୃତ ହେବେ ।
ଆଠ ଲକ୍ଷ କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ ୧୧୧କୋଟି ଟଙ୍କା ମଞ୍ଜୁର କରାଯାଇଛି । ଆଗରୁ କେନ୍ଦୁପତ୍ର ତୋଳାଳୀଙ୍କୁ ବୋନସ ଓ ଅନ୍ୟାନ୍ୟ ଭତ୍ତା ବାବଦରେ ୧୨୦ କୋଟି ଟଙ୍କା ମଞ୍ଜୁର ହୋଇଥିଲା । ତେବେ ଏହା ଦ୍ୱିତୀୟ ପର୍ଯ୍ୟାୟ ଅଟେ । ଏହି ନିଷ୍ପତ୍ତି ଯୋଗୁଁ ୮ ଲକ୍ଷ କେନ୍ଦୁପତ୍ର ତୋଳାଳୀ ଓ ଅନ୍ୟ କର୍ମଚାରୀମାନେ ଲାଭବାନ୍ ହେବେ ।
ପ୍ରତ୍ୟେକ ତୋଳାଳୀଙ୍କୁ ଏକ ହଜାର ଟଙ୍କାର ଆର୍ଥିକ ସହାୟତା ସହିତ ପାଣିବୋତଲ ଓ ଚପଲ ପାଇଁ ଯଥାକ୍ରମେ ୨୦୦ ଓ ୧୬୦ ଟଙ୍କା ମିଳିବ। ସେହିପରି ପ୍ରତ୍ୟେକ ବନ୍ଧାଳୀ ଓ ସିଜିନାଲ ଷ୍ଟାଫଙ୍କୁ ଆର୍ଥିକ ସହାୟତା ଭାବରେ ୧୫୦୦ ଟଙ୍କା ଦିଆଯିବ।