ଗାନ୍ଧିନଗର: ପାଟିଦାର ନେତା ହାର୍ଦ୍ଦିକ ପଟେଲ୍ ଗୁରୁବାର ବିଜେପିରେ ଯୋଗ ଦେଇଛନ୍ତି। ଗାନ୍ଧିନଗରରେ ବିଜେପି ମୁଖ୍ୟାଳୟରେ ରାଜ୍ୟ ବିଜେପି ସଭାପତି ସିଆର ପାଟିଲଙ୍କ ଉପସ୍ଥିତିରେ ସଦସ୍ୟତା ଗ୍ରହଣ କରିଛନ୍ତି ହାର୍ଦ୍ଦିକ। ଏହି ସମୟରେ ପାଟିଦାର ଆନ୍ଦୋଳନରେ ତାଙ୍କ ସାଥୀରେ ରହିଥିବା ଅନେକ ନେତା ମଧ୍ୟ ବିଜେପିରେ ମିଶିଛନ୍ତି।
ବିଜେପିରେ ସାମିଲ୍ ହେବା ପୂର୍ବରୁ ହାର୍ଦ୍ଦିକ ପଟେଲ୍ ଘରେ ପୂଜା ପାଠ କରିଥିଲ। ସେ କହିଛନ୍ତି ଏହା ମୋ ପାଇଁ ଏକ ନୂତନ ଆରମ୍ଭ ହେବାକୁ ଯାଉଛି। ସେ ଗୁରୁବାର ଟୁଇଟ୍ କରି କହିଛନ୍ତି ଯେ, ରାଷ୍ଟ୍ରହିତ, ରାଜ୍ୟହିତ, ଜନହିତ ଏବଂ ସମାଜ ହିତର ଭାବନା ସହିତ ଆଜିଠୁ ନୂତନ ଆରମ୍ଭ କରିବାକୁ ଯାଉଛି। ଭାରତର ଯଶସ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ନେତୃତ୍ଵରେ ଚାଲିଥିବା ରାଷ୍ଟ୍ର ସେବାରେ ଛୋଟ ସିପାହୀ ଭାବେ ମୁଁ କାମ କରିବି।
ଗୁଜରାଟରେ ପାଟିଦାର ସମାଜର ୫୦ ରୁ ୫୫ ସିଟ୍ ଉପରେ ପ୍ରଭାବ ରହିଛି। ମୋଟ୍ ୧୮୨ ଆସନ ବିଶିଷ୍ଟ ଗୁଜରାଟ ବିଧାନସଭାରେ ଏହି ସଂଖ୍ୟା ବହୁତ ବଡ। ହାର୍ଦ୍ଦିକ ପଟେଲ୍ ଏହି ସବୁ ସିଟ୍ ଗୁଡିକରେ ବିଜେପି ପାଇଁ ବେଶ ସହାୟକ ହୋଇ ପାରନ୍ତି। କେବଳ ଏତିକି ନୁହେଁ ବିଜେପିରେ ସାମିଲ୍ ହେବା ପୂର୍ବରୁ ସେ ଘୋଷାଣା କରିଥିଲେ ଯେ, ପୂରା ଗୁଜରାଟରେ ଏକ ଅଭିଯାନ ଚଳାଯିବ ଏବଂ ପ୍ରତି ୧୦ ଦିନରେ ଅସନ୍ତୁଷ୍ଟ ନେତାଙ୍କୁ କଂଗ୍ରେସ ଛାଡି ବିଜେପିରେ ମିଶିବାକୁ ଅପିଲ୍ କରିବେ। ୨୦୧୫ରେ ପାଟିଦାର ସଂରକ୍ଷଣ ଆନ୍ଦୋଳନର ଚର୍ଚ୍ଚିତ ଚେହେରା ହାର୍ଦ୍ଦିକ ପଟେଲଙ୍କ ଯୁବ ବର୍ଗଙ୍କ ମଧ୍ୟରେ ବେଶ ପତିଆରା ରହିଛି। ଏହି କାରଣରୁ କଂଗ୍ରେସ ପାର୍ଟିରେ ସାମିଲ୍ ହେବା ମାତ୍ରେ ହାର୍ଦ୍ଦିକଙ୍କୁ ରାଜ୍ୟ କଂଗ୍ରେସର କାର୍ୟ୍ୟକାରୀ ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଥିଲା।
ପାଟିଦାର ନେତା କଂଗ୍ରେସ ନେତୃତ୍ଵଙ୍କଠୁ ନେଇ ଗୁଜରାଟ କଂଗ୍ରେସର କାମ କରିବା ଶୈଳୀରେ ଅସନ୍ତୁଷ୍ଟ ଥିଲେ। ସେ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଉପରେ ଅଣଦେଖା କରିବାର ଆରୋପ ଲଗାଇଥିଲେ। ସେ କହିଥିଲେ, ରାଜ୍ୟର ନେତା ଏସି ରୁମରେ ବସି ତାଙ୍କ କାମରେ ବାଧା ଦେଉଛନ୍ତି। ୨୦୨୯ରେ କଂଗ୍ରେସରେ ଯୋଗ ଦେବା ପରେ ୨୦୨୦ରୁ ସେ ଗୁଜରାଟ ରାଜ୍ୟ କଂଗ୍ରେସର କାର୍ୟ୍ୟକାରୀ ସଭାପତି ଦାୟିତ୍ଵ ତୁଲାଉଥିଲେ।