ହେଲଥ ଇନସ୍ୟୁରାନ୍ସ ପ୍ରିମିୟମ ୧୫ ପ୍ରତିଶତ ବଢ଼ିବ! ପଲିସୀ ନେଇଥିବା ଲୋକଙ୍କୁ ଲାଗିବ ଝଟକା, ବୀମା କମ୍ପାନୀମାନେ ନେବାକୁ ଯାଉଛନ୍ତି ବଡ଼ ପଦକ୍ଷେପ

ନୂଆଦିଲ୍ଲୀ: ସ୍ୱାସ୍ଥ୍ୟ ବୀମା ନେଇଥିବା ସମସ୍ତ ବ୍ୟକ୍ତିଙ୍କ ପାଇଁ ଆସିଛି ଏକ ବଡ଼ ଖବର । ସ୍ୱାସ୍ଥ୍ୟ ବୀମା ପ୍ରିମିୟମ୍ ବୃଦ୍ଧି ହୋଇପାରେ । ଯଦି ଏପରି କିଛି ଘଟେ ତେବେ ସ୍ୱାସ୍ଥ୍ୟ ବୀମା ନେଇଥିବା ଗ୍ରାହକଙ୍କୁ ଲାଗିବ ଏକ ବଡ଼ ଝଟକା । ନିକଟରେ ଭାରତୀୟ ବୀମା ନିୟାମକ ଓ ବିକାଶ ପ୍ରାଧିକରଣ (ଆଇଅରଡିଏଆଇ) ପକ୍ଷରୁ କିଛି ନିୟମରେ ପରବର୍ତ୍ତନ କରାଯାଇଥିଲା । ତେବେ ଏହି ନିୟମ ବଦଳିବାର ପ୍ରଭାବ ବୀମା ପ୍ରିମିୟମ୍ ଉପରେ ଦେଖିବାକୁ ମିଳିପାରେ ।

ନିୟମ ମୁତାବକ, ଏବେ ବୀମା କ୍ଲେମ ପାଇଁ ଆପଣଙ୍କୁ ଅତିବେଶିରେ ୩ ବର୍ଷ ସମୟ ପର୍ୟ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ । ପୂର୍ବରୁ ଏହି ସମୟସୀମା ୪ ବର୍ଷ ଥିଲା । ଆଇଆରଡିଏଆଇ ପକ୍ଷରୁ ନିୟମରେ ପରିବର୍ତ୍ତନ କରାଯିବା ପରେ ବିଭିନ୍ନ ବୀମା କମ୍ପାନୀ ସେମାନଙ୍କର ପଲିସୀଗୁଡ଼ିକର ପ୍ରିମିୟମରେ ପରିବର୍ତ୍ତନ କରିବା ନେଇ ବିଚାର କରୁଛନ୍ତି । ଏଚଡିଏଫସି ଏର୍ଗୋ ପକ୍ଷରୁ ପୂର୍ବରୁ ପ୍ରିମିୟମ ବଦଳିବା ବିଷୟରେ ସୂଚନା ଦିଆଯାଇଥିଲା । କମ୍ପାନୀ ପ୍ରିମିୟରେ ୭.୫ରୁ ୧୨.୫ ପ୍ରତିଶତ ପର୍ୟ୍ୟନ୍ତ ବୃଦ୍ଧି କରିପାରେ । ବୀମା କମ୍ପାନୀ ତରଫରୁ ଏନେଇ ଗ୍ରାହକମାନଙ୍କୁ ଇ-ମେଲ ଜରିଆରେ ସୂଚନା ଦିଆଯାଇଛି । ତେବେ ଗ୍ରାହକଙ୍କୁ ଉତ୍ତମ ପ୍ଲାନ ଦେବା ଲକ୍ଷ୍ୟରେ ପ୍ରିମିୟମ ଦରରେ ସାମାନ୍ୟ ବୃଦ୍ଧି କରିବାକୁ ପଡ଼ୁଛି ବୋଲି ବୀମା କମ୍ପାନୀଙ୍କ ପକ୍ଷରୁ କୁହାଯାଇଛି ।

କମ୍ପାନୀମାନେ ଇନସ୍ୟୁରାନ୍ସ ସ୍କିମର ପ୍ରଦର୍ଶନକୁ ସମୀକ୍ଷା କରିବା ସହିତ ଖର୍ଚ୍ଚ ବୃଦ୍ଧି ଉପରେ ମଧ୍ୟ ଧ୍ୟାନ ଦେଉଛନ୍ତି । ତେଣୁ ଆପଣଙ୍କ ବୟସ ଓ ସହର ଆଧାରରେ ପ୍ରିମିୟମରେ ସାମାନ୍ୟ ହ୍ରାସ ଓ ବୃଦ୍ଧି ହୋଇପାରେ । ଆଇଆରଡିଏଆଇକୁ ସୂଚିତ କରାଯାଇ ଏହି ପଦକ୍ଷେପ ଗ୍ରହଣ କରାଯିବ ବୋଲି ଏଚଡିଏଫସି ଏର୍ଗୋ ପକ୍ଷରୁ କୁହାଯାଇଛି । ତେବେ ପ୍ରିମିୟମ ଦରରେ କରାଯିବାକୁ ଥିବା ଏହି ପରିବର୍ତ୍ତନ ରିନ୍ୟୁ ପ୍ରିମିୟମକୁ ପ୍ରଭାବିତ କରିପାରେ । ରିନ୍ୟୁ ଡେଟ ସମୟ ନିକଟତର ହେଲେ ଏ ବାବଦରେ ପଲିସୀଧାରୀଙ୍କୁ ସୂଚନା ଦିଆଯିବ ।

ସେହିପରି କିଛି ବୀମା କମ୍ପାନୀ ପ୍ରିମିୟମରେ ୧୦ରୁ ୧୫ ପ୍ରତିଶତ ବୃଦ୍ଧି କରିପାରନ୍ତି ବୋଲି ଅକୋ ଜେନେରାଲ ଇନସ୍ୟୁରାନ୍ସର ଉପାଧ୍ୟକ୍ଷ କହିଛନ୍ତି । ପୂର୍ବରୁ ସ୍ୱାସ୍ଥ୍ୟ ବୀମା ପଲିସୀ କ୍ରୟର ବୟସ ସୀମା ୬୫ ବର୍ଷ ରହିଥିବା ବେଳେ ନିକଟରେ ଆଇଆରଡିଏଆଇ ତାହାକୁ ହଟାଇ ଦେଇଥିଲା । ତେଣୁ ପଲିସୀ କ୍ରୟ ପାଇଁ କୌଣସି ବୟସ ସୀମା ରହି ନଥିବାରୁ ସେହି ହିସାବରେ ପ୍ରିମିୟମ ବୃଦ୍ଧି ହୋଇପାରେ ବୋଲି ସେ କହିଛନ୍ତି । ପ୍ରତି ପାଞ୍ଚ ବର୍ଷରେ ବୟସ ସହ ଜଡ଼ିତ ସ୍ଲାବ ପରିବର୍ତ୍ତନ ହେବା ଫଳରେ ପ୍ରିମିୟମ ୧୦ରୁ ୨୦ ପ୍ରତିଶତ ବଢ଼ିପାରେ । ବୀମା କମ୍ପାନୀଙ୍କୁ ଯେହେତୁ ନିଜର ଖର୍ଚ୍ଚ ଉପରେ ଧ୍ୟାନ ରଖିବାକୁ ପଡ଼ିଥାଏ, ସେଥିପାଇଁ ଏପରି ଘଟିଥାଏ । ଗତ କିଛି ବର୍ଷ ହେଲା ଦେଶରେ ସ୍ୱାସ୍ଥ୍ୟ ବୀମାଧାରୀଙ୍କ ପ୍ରିମିୟମରେ ଅତ୍ୟଧିକ ବୃଦ୍ଧି ଘଟିଛି । ୨୦୧୯ରୁ ୨୦୧୪ ମସିହା ଏହି ୬ ବର୍ଷ ଅବଧି ମଧ୍ୟରେ ଏହି ରାଶି ୪୮ ପ୍ରତିଶତ ବୃଦ୍ଧି ପାଇଁ ୨୬,୫୩୩ରେ ପହଞ୍ଚିଯାଇଛି ବୋଲି ଏକ ରିପୋର୍ଟରେ କୁହାଯାଇଛି ।