ଭାରତ ମୁକାଳିପାରିବ ଚିହ୍ମୟଙ୍କୁ ! ହିନ୍ଦୁଙ୍କ ଉପରେ ହତ୍ୟାଚାରକୁ ବିରୋଧ କରି ବନ୍ଧାହେଲେ ସନ୍ଥ, ଲାଗିଲା ଦେଶଦ୍ରୋହ ଅଭିଯୋଗ
ଢାକା: ବାଂଲାଦେଶର ମାହୋଲ ଏବେ ପୁରା ସରଗରମ । ଦେଶରେ ହିନ୍ଦୁଙ୍କ ପ୍ରତି ହେଉଥିବା ଅତ୍ୟାଚାର ବିରୋଧରେ ସ୍ୱର ଉଠାଇବାରୁ ଚିନ୍ମୟ ପ୍ରଭୁଙ୍କୁ ବାନ୍ଧି ନେଇଛି ପୋଲିସ । ଯାହାପରେ ରାଜଧାନୀ ଢାକାରେ ଅଣାୟତ୍ତ ସ୍ଥିତି ଉପୁଜିଛି । ଚିନ୍ମୟ ପ୍ରଭୁ ବାଂଲାଦେଶରେ ହିନ୍ଦୁ ସମୁଦାୟ ପ୍ରତି ହେଉଥିବା ଭେଦଭାବ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ । ଇସ୍କନ ସହ ଜଡ଼ିତ ଚିନ୍ମୟ କୃଷ୍ଣ ଦାସ ବ୍ରହ୍ମଚାର୍ଯ୍ୟଙ୍କୁ ମୁକୁଳାଇବା ପାଇଁ ଇସ୍କନ ଭାରତ ସରକାରଙ୍କ ସାହାଯ୍ୟ ଲୋଡ଼ିଛି । ଚିନ୍ମୟଙ୍କ ବିରୋଧରେ ଦେଶଦ୍ରୋହ ଅଭିଯୋଗ କରାଯାଇଛି । ଏ ନେଇ ଇସ୍କନ ପକ୍ଷରୁ ଏକ୍ସରେ ଏକ ପୋଷ୍ଟ ମଧ୍ୟ ଜାରି କରାଯାଇଛି, ଯେଉଁଥିରେ ଚିନ୍ମୟଙ୍କ ଗିରଫଦାରୀ ଭିତ୍ତିହୀନ ବୋଲି ସେ କହିଛନ୍ତି ।
ଚିନ୍ମୟ ପ୍ରଭୁଙ୍କୁ ଗିରଫ କରିବା ପରେ ତାଙ୍କ ସମର୍ଥକ ରାସ୍ତାକୁ ଓହ୍ଲାଇଛନ୍ତି । ସେମାନଙ୍କ ଉପରେ ବିଏନପି ଏବଂ ଜମାତର ଲୋକେ ଆକ୍ରମଣ କରିଛନ୍ତି । ଏବେସୁଦ୍ଧା ପାଖାପାଖି ୫୦ ହିନ୍ଦୁ ଆହତ ହୋଇଥିବା କୁହାଯାଉଛି । ଏହାସତ୍ତ୍ୱେ ହିନ୍ଦୁଙ୍କ ପ୍ରତିବାଦ ଜାରି ରହିଛି । ଚିନ୍ମୟ କୃଷ୍ଣଦାସ ବ୍ରହ୍ମଚାରୀ ବାଂଲାଦେଶର ସନାତନ ଜାଗରଣ ମଞ୍ଚର ପ୍ରମୁଖ ଥିଲେ । ବାଂଲାଦେଶରେ ୭୭ରୁ ଅଧିକ ଇସ୍କନ ମନ୍ଦିର ରହିଛି । ଯେଉଁଠାରେ ୫୦ ହଜାରରୁ ଅଧିକ ଲୋକ ଯୋଡ଼ି ହୋଇଛନ୍ତି । ବାଂଲାଦେଶର ମୋଟ ଜନସଂଖ୍ୟାର ମାତ୍ର ୮ ପ୍ରତିଶତ ଲୋକ ହିନ୍ଦୁ । ଗତ କିଛି ମାସ ଧରି ହିନ୍ଦୁ ବ୍ୟବସାୟୀ, ଘର ଏବଂ ମନ୍ଦିର ଭାଙ୍ଗିବାରେ ଲାଗିଛନନ୍ତି ବାଂଲାଦେଶୀ ଅଣହିନ୍ଦୁ । ଯାହା ଦିନକୁ ଦିନ ତୀବ୍ର ରୂପ ନେବାରେ ଲାଗିଛି ।