ଚୀନରେ ଡରାଉଛି ଏଚଏମପିଭି ଭାଇରସ୍: ଜାଣନ୍ତୁ ବର୍ତ୍ତିବାର ନିୟମ
ଡରାଇଲାଣି ନୂଆ ଭାଇରସ୍ ଏଚଏମପିଭି । କରୋନା ମହାମାରୀର ୫ ବର୍ଷ ପରେ ଦେଶରେ ଦ୍ରୁତ ଗତିରେ ବ୍ୟାପୁଛି ‘ହ୍ୟୁମାନ ମେଟାନ୍ୟୁମୋଭାଇରସ୍’
ଦୁନିଆରୁ ସମ୍ପୂର୍ଣ୍ଣ ଭାବରେ ଦୂରେଇ ଯାଇନି କରୋନା ଭାଇରସ୍ । ଏହାରି ମଧ୍ୟରେ ଏଣ୍ଟ୍ରି ମାରିଛି ଆଉ ଏକ ନୂଆ ଭାଇରସ୍ । ଚୀନରେ ପୁଣି ଏକ ରହସ୍ୟମୟ ଭାଇରସର ଆତଙ୍କ । ଡରାଇଲାଣି ନୂଆ ଭାଇରସ୍ ଏଚଏମପିଭି । କରୋନା ମହାମାରୀର ୫ ବର୍ଷ ପରେ ଦେଶରେ ଦ୍ରୁତ ଗତିରେ ବ୍ୟାପୁଛି ‘ହ୍ୟୁମାନ ମେଟାନ୍ୟୁମୋଭାଇରସ୍’ ।
କୋଭିଡ୍ ଭଳି ସଂକ୍ରମିତ ହେଉଛନ୍ତି ଛୋଟ ପିଲା ଓ ବୟସ୍କ ବ୍ୟକ୍ତି । ଏହାର ଲକ୍ଷଣ ଠିକ୍ ଫ୍ଲୁ ଏବଂ କୋଭିଡ-୧୯ ପରି । ଦ୍ରୁତ ଗତିରେ ବଢୁଛି ଏହି ସଂକ୍ରମିତଙ୍କ ସଂଖ୍ୟା। ନିମୋନିଆ ସମେତ ଫୁସଫୁସକୁ ଆକ୍ରାନ୍ତ କରୁଛି । ତେବେ କେଉଁ ଭୂତାଣୁରୁ ସଂକ୍ରମଣ ବ୍ୟାପୁଛି ତାହା ଏପର୍ଯ୍ୟନ୍ତ ଅସ୍ପଷ୍ଟ। ବର୍ତ୍ତମାନ ସୁଦ୍ଧା ଚୀନରେ ୭,୮୩୪ଟି ସଂକ୍ରମଣ ମାମଲା ସାମ୍ନାକୁ ଆସିଥିବା ବେଳେ ସେଥିମଧ୍ୟରୁ ୧୭୦ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ତେବେ ଆସନ୍ତ ଜାଣିବା ଏହି ରୋଗର ଲକ୍ଷଣ ଓ ପ୍ରତିକାର ।
ଲକ୍ଷଣ:
ଏହି ଭୂତାଣୁ ସଂକ୍ରମଣରେ ଥଣ୍ଡା ବା ସର୍ଦ୍ଦି ଭଳି ଲକ୍ଷଣ ପ୍ରକାଶ ପାଇଥାଏ। ଏହା ପ୍ରଥମେ ଶ୍ବାସକ୍ରିୟାକୁ ପ୍ରଭାବିତ କରିଥାଏ। ଧିରେ ଧିରେ ନିଶ୍ଵାସ ପ୍ରଶ୍ଵାସରେ କଷ୍ଟ ଅନୁଭବ ହୁଏ । ଏହି ଭୂତାଣୁ ଦ୍ଵାରା ସଂକ୍ରମିତ ହେଲେ ଜ୍ବର ହେବା ସହିତ କାଶ, ନାକ ରୁନ୍ଧି ହେବା, ଗଳା ଦରଜ, ଶ୍ବାସକ୍ରିୟାରେ କଷ୍ଟ ଭଳି ଲକ୍ଷଣମାନ ପ୍ରକାଶ ପାଇଥାଏ। ୩ରୁ ୬ଦିନ ପର୍ଯ୍ୟନ୍ତ ଏପରି ଲକ୍ଷଣ ଲାଗି ରହିଥାଏ।
ପ୍ରତିକାର:
ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିବା ଦ୍ଵାରା ଏହି ଭୂତାଣୁ ଅନ୍ୟ ଜଣଙ୍କୁ ସଂକ୍ରମଣ ହୋଇଥାଏ। ତେଣୁ ସଂକ୍ରମଣରୁ ଦୂରେଇ ରହିବାକୁ ହେଲେ ସାମାଜିକ ଦୂରତା ରକ୍ଷା କରିବା ନିହାତି ଦରକାର। ସଂକ୍ରମଣରୁ ରକ୍ଷା ପାଇଁ ହାତକୁ ନିୟମିତ ଭାବେ ଭଲଭାବରେ ଧୁଅନ୍ତୁ । କାଶିବା ଓ ଛିଙ୍କିବା ସମୟରେ ମୁହଁ ଓ ନାକକୁ କପଡାରେ ଘୋଡେଇ ରଖନ୍ତୁ। ଆବଶ୍ୟକ ସମୟରେ ମାସ୍କ ପିନ୍ଧନ୍ତୁ। ହାତ ନ ଧୋଇ ନାକ, ପାଟି ଆଖିକୁ ସ୍ପର୍ଶ କରନ୍ତୁ ନାହିଁ। ନିୟମିତ ସାନିଟାଇଜର ବ୍ୟବହାର କରନ୍ତୁ । ଅସୁସ୍ଥ ଅନୁଭବ କଲେ ସେଲ୍ଫ ଆଇସୋଲେସନରେ ରୁହନ୍ତୁ।