ଘରଭଡ଼ା ଭତ୍ତା ସଂଶୋଧନ କଲେ ରାଜ୍ୟ ସରକାର: ମୂଳ ବେତନର ୧୬ ପ୍ରତିଶତ ଘରଭଡ଼ା ଭତ୍ତା ପାଇବେ କର୍ମଚାରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସରକାରୀ କର୍ମଚାରୀଙ୍କ ଘରଭଡ଼ା ଭତ୍ତାରେ ସଂଶୋଧନ କରିଛନ୍ତି ରାଜ୍ୟ ସରକାର । ଏଣିକି ସପ୍ତମ ବେତନ କମିଶନ ଆଧାରରେ କର୍ମଚାରୀମାନେ ସଂଶୋଧିତ ବେତନ ପାଇବେ । ରାଜ୍ୟର ଭୁବନେଶ୍ୱର, କଟକ, ବ୍ରହ୍ମପୁର, ରାଉରକେଲା ଓ ସମ୍ବଲପୁର ଆଦି ୫ଟି ମହାନଗର ନିଗମର କର୍ମଚାରୀମାନେ ସେମାନଙ୍କର ମୂଳ ବେତନର ୧୬ ପ୍ରତିଶତ ଘରଭଡ଼ା ଭତ୍ତା ପାଇବେ ।

ସେହିପରି ବାଲେଶ୍ୱର, ବରଗଡ଼, ଭଦ୍ରକ, ଭବାନିପାଟଣା, ବଡ଼ବିଲ, ପୁରୀ, ରାୟଗଡ଼ା, ରାଜଗାଙ୍ଗପୁର, ବ୍ରଜରାଜନଗର, ପାରାଦୀପ, ଜୟପୁର, ଜଟଣୀ, ସୁନାବେଡ଼ା, ବଲାଙ୍ଗିର, ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟାଳୟ ବା ମ୍ୟୁନିସିପାଲିଟିର ସରକାରୀ କର୍ମଚାରୀମାନେ ସେମାନଙ୍କର ମୂଳ ବେତନର ୧୨ ପ୍ରତିଶତ ଘରଭଡ଼ା ଭତ୍ତା ପାଇବେ । ଜଗତସିଂହପୁର, ଯାଜପୁର, ଦେବଗଡ଼, ଜଳେଶ୍ୱର, ଟିଟିଲାଗଡ଼, ଅନୁଗୁଳ, ତାଳଚେର, ସୋର, ବାସୁଦେବପୁର, ଚୌଦ୍ୱାର, ବେଲପାହାଡ଼, କେନ୍ଦ୍ରାପଡ଼ା, ପଟ୍ଟାମୁଣ୍ଡାଇ, ଖୋର୍ଦ୍ଧା, କୋରାପୁଟ, ଉମରକୋଟ, ସୋନପୁର, ବୀରମିତ୍ରପୁର, ସୁନ୍ଦରଗଡ଼, ନୂଆପଡ଼ା, ଗଞ୍ଜାମ ଜିଲ୍ଲା ମୁଖ୍ୟାଳୟର ଛତ୍ରପୁର ଓ ବୌଦ୍ଧ ଜିଲ୍ଲା ମୁଖ୍ୟାଳୟ ବା ମ୍ୟୁନିସିପାଲିଟିର କର୍ମଚାରୀମାନେ ୮ ପ୍ରତିଶତ ଘରଭଡ଼ା ପାଇବେ । ରାଜ୍ୟର ଅନ୍ୟ ସମସ୍ତ ସ୍ଥାନରେ ସରକାରୀ କର୍ମଚାରୀମାନେ ୪ ପ୍ରତିଶତ ଘରଭଡ଼ା ଭତ୍ତା ପାଇବେ ବୋଲି ସ୍ଥିର କରାଯାଇଛି ।