fbpx

କିପରି ହୋଇଥିଲା ଶୁଭଶ୍ରୀଙ୍କ ମୃତ୍ୟୁ ? ସାମ୍ନାକୁ ଆସିଲା ପୋଷ୍ଟମର୍ଟମ ରିପୋର୍ଟ

ଭୁବନେଶ୍ୱର: ରାଜଧାନୀର ଶାସ୍ତ୍ରୀନଗରରେ ଶୁଭଶ୍ରୀ ହତ୍ୟା ମାମଲାରେ ସାମ୍ନାକୁ ଆସିଛି ପୋଷ୍ଟମର୍ଟମ ରିପୋର୍ଟ । ପୋଷ୍ଟମର୍ଟମ ରିପୋର୍ଟରେ ଶ୍ୱାସରୁଦ୍ଧ ଯୋଗୁଁ ଶୁଭଶ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଝୁଲନ୍ତା ଅବସ୍ଥାରେ ଶୁଭଶ୍ରୀଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି ।

ଉଲ୍ଲେଖଯୋଗ୍ୟ, ବୁଧବାର ସନ୍ଧ୍ୟାରେ ରାଜଧାନୀରେ ଘଟିଛି ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ । ଖାରବେଳନଗର ଥାନା ଶାସ୍ତ୍ରୀନଗରରେ ସନ୍ଧ୍ୟା ବେଳଟାରେ ଜଣେ ମହିଳାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି । ମୃତକ ହେଲେ ଅନନ୍ତ ନାରାୟଣ ନାଥଙ୍କ ସ୍ତ୍ରୀ ଶୁଭଶ୍ରୀ ମହାପାତ୍ର(୨୫) । ଶୁଭଶ୍ରୀ ଘରେ ଏକାକୀ ଥିବା ବେଳେ କେହି ଦୁର୍ବୃତ୍ତ ଘରେ ପଶି ରଶିରେ ବେକକୁ ଚାପି ତାଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି । ୩ ବର୍ଷର ପୁଅକୁ ଟ୍ୟୁସନରେ ଛାଡ଼ି ଘରକୁ ଫେରିଥିବା ଶୁଭଶ୍ରୀଙ୍କୁ କେହି ଦୁର୍ବୃତ୍ତ ହତ୍ୟା କରିଥିବା ପଛରେ ବଡ଼ଧରଣର ରହସ୍ୟ ଛପି ରହିଛି ବୋଲି ସ୍ପଷ୍ଟ ହୋଇଛି ।

ଘର ଭିତରେ ଲୁଟର କୌଣସି ଚିହ୍ନବର୍ଣ୍ଣ ନଥିବାରୁ ହତ୍ୟାକାରୀ ସୁଚିନ୍ତିତ ଉପାୟରେ ଶୁଭଶ୍ରୀଙ୍କୁ ହତ୍ୟା କରି ଫେରାର୍ ହୋଇଯାଇଛି । ଦୁର୍ବୃତ୍ତକୁ ଠାବ କରିବାକୁ ପୁଲିସ ସ୍ଥାନୀୟ ଅଞ୍ଚଳର ସିସିଟିଭି ଯାଞ୍ଚ କରୁଛି । ପୋଲିସ ଶୁଭଶ୍ରୀଙ୍କ ସ୍ୱାମୀ ଅନନ୍ତଙ୍କ ସହ ତାଙ୍କ ମା’ ସନ୍ଧ୍ୟାରାଣୀ ମହାପାତ୍ର, ବାପା ପ୍ରଫୁଲ୍ଲ ମହାପାତ୍ର, ମାମୁ ଧୀରେନ୍ ମହାପାତ୍ର ଓ ମାଇଁଙ୍କୁ ପଚରାଉଚରା କରିଛି । ଏଥିସହିତ ପୋଲିସ ପରିବାରର ୪ଟି ମୋବାଇଲ୍ ଫୋନ୍ ଜବତ କରି କଲ୍ ରେକର୍ଡ ଯାଞ୍ଚ ଚଳାଇଛି ଓ ସ୍ୱାମୀ ଅନନ୍ତଙ୍କ ଅଭିଯୋଗ ଆଧାରରେ ଏକ ହତ୍ୟା ମାମଲା ରୁଜୁକରିଛି ।

ସୂଚନାନୁସାରେ ପ୍ରାୟ ୫ ବର୍ଷ ତଳେ ନୟାଗଡ଼ ମାନପୁର ଅଞ୍ଚଳର ଶୁଭଶ୍ରୀ ଜଗତସିଂହପୁର ଅଞ୍ଚଳର ଅନନ୍ତଙ୍କୁ ପ୍ରେମ ବିବାହ କରିଥିଲେ । ଅନନ୍ତ ଇଣ୍ଡିଆନ୍ ଅଏଲରେ କାମ କରୁଥିଲେ ଓ ୩ବର୍ଷ ହେଲା ଶୁଭଶ୍ରୀଙ୍କ ସହ ଶାସ୍ତ୍ରୀନଗରରେ ଭଡ଼ା ଘରେ ରହୁଥିଲେ । ସୋମବାର ସନ୍ଧ୍ୟାରେ ଅନନ୍ତ ନିଜ ଘର ଜଗତସିଂହପୁର ଯାଇଥିଲେ ଏବଂ ମଙ୍ଗଳବାର ସନ୍ଧ୍ୟାରେ ଭୁବନେଶ୍ୱର ଫେରିଥିଲେ । କିନ୍ତୁ ସେ ଶାସ୍ତ୍ରୀନଗର ନଯାଇ ଫରେଷ୍ଟ ପାର୍କସ୍ଥିତ ଏକ ଗେଷ୍ଟ୍ ହାଉସରେ ଶୌଚ ହେବା ପରେ ବିମାନବନ୍ଦର ଯାଇଥିଲେ । ତାଙ୍କର ଜଣେ ସହକର୍ମୀଙ୍କୁ ରିସିଭ୍ କରିବାକୁ ସେ ବିମାନବନ୍ଦରରେ ଅପେକ୍ଷା କରିଥିଲେ ।

ସନ୍ଧ୍ୟା ପ୍ରାୟ ୭ଟା ବେଳେ ତାଙ୍କ ପୁଅ ଏକ ଭିଡିଓ କଲ୍ କରିଥିଲା । ‘ମା’ ଖଟରୁ ଉଠୁନି କି ଡାକିଲେ ଶୁଣୁନି’ ବୋଲି ପୁଅ ଭିଡିଓ କଲ୍ କରି ଅନନ୍ତଙ୍କୁ ସମସ୍ତ ଦୃଶ୍ୟ ଦେଖାଇଥିଲା । ବିମାନ ପହଞ୍ଚିବା ସମୟ ପାଖେଇ ଆସୁଥିବାରୁ ଅନନ୍ତ ତାଙ୍କ ପଡ଼ୋଶୀ ଓ ଜଣେ ବନ୍ଧୁଙ୍କୁ ଫୋନ୍ କରିଥିଲେ । ପଡ଼ୋଶୀ ଓ ଉକ୍ତ ବନ୍ଧୁ ଶାସ୍ତ୍ରୀନଗରରେ ପହଞ୍ଚି ଶୁଭଶ୍ରୀଙ୍କୁ ସଂଜ୍ଞାହୀନ ଅବସ୍ଥାରେ ଦେଖି ଅନନ୍ତଙ୍କୁ ଜଣାଇଥିଲେ । ପତ୍ନୀ ଗୁରୁତର ଥିବାରୁ ଅନନ୍ତ ଘରକୁ ଚାଲିଆସିଥିଲେ ଓ ଶୁଭଶ୍ରୀଙ୍କୁ କାରରେ କ୍ୟାପିଟାଲ ହସ୍ପିଟାଲ୍ ନେଇଯାଇଥିଲେ । କିନ୍ତୁ ସେତେବେଳକୁ ଶୁଭଶ୍ରୀଙ୍କ ପ୍ରାଣବାୟୁ ଉଡ଼ିସାରିଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ପରେ ଖାରବେଳନଗର ଥାନା ପୋଲିସ ହସ୍ପିଟାଲରେ ପହଞ୍ଚି ମୃତଦେହ ଜବତ କରିଥିଲା ।

Get real time updates directly on you device, subscribe now.