fbpx

ଆଜିଠୁ ଭାରତ-ଇଂଲଣ୍ଡ ଫାଇନାଲ୍‌ ଟେଷ୍ଟ ମ୍ୟାଚ୍‌: ବିରାଟ କୋହଲିଙ୍କ ଉପରେ ଫ୍ୟାନ ନଜର, ଦଳର ମଙ୍ଗ ସମ୍ଭାଳିବେ ବୁମରା

ଲଣ୍ଡନ: ଏଜବାଷ୍ଟନ ଠାରେ ଅନୁଷ୍ଠିତ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ଫାଇନାଲ ଟେଷ୍ଟ କ୍ରିକେଟ ମ୍ୟାଚ ଭାରତ ପାଇଁ ବିଶେଷ ଗୁରୁତ୍ୱପୂର୍ଣ୍ଣ । କାରଣ ଗତ ବର୍ଷ ଅନୁଷ୍ଠିତ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ୪ ମ୍ୟାଚରେ ଭାରତ ୨-୧ରେ ଆଗୁଆ ରହିଛି । ତେଣୁ ପଞ୍ଚମ ମ୍ୟାଚରେ ବିଜୟୀ କିମ୍ବା ଡ୍ର ରଖି ପାରିଲେ ଭାରତ ସିରିଜ କବଜା କରି ପାରିବ । ମାତ୍ର ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା କରୋନାରେ ଆକ୍ରାନ୍ତ ହେବା ଫଳରେ ଏହି ମ୍ୟାଚ ଖେଳି ପାରିବେ ନାହିଁ । ତେଣୁ ତାଙ୍କ ସ୍ଥାନରେ ପେସ୍‌ ବୋଲର ଯଶପ୍ରୀତ ବୁମରା ଏହି ଟେଷ୍ଟରେ ଭାରତୀୟ ଦଳର ନେତୃତ୍ୱ ନେବେ ।

ସେହିପରି ଗତ ବର୍ଷ ଏହି ସିରିଜରେ ସମସ୍ତଙ୍କ ଠାରୁ ଭଲ ଖେଳି ଥିବା ଅନ୍ୟତମ ଓପନର କେଏଲ ରାହୁଲ ମଧ୍ୟ ଆହତ ସମସ୍ୟାରେ ଅଛନ୍ତି । ତେଣୁ ପୁରୁଖା ଖେଳାଳି ଭାବେ ବିରାଟ କୋହଲିଙ୍କ ଉପରେ ଯଥେଷ୍ଟ ଭରସା ରଖା ଯାଇଛି । ସେ ବର୍ତ୍ତମାନ ଅଧିନାୟକ ନ ଥିଲେ ମଧ୍ୟ ଦଳର ବ୍ୟାଟିଂ ତାଙ୍କ ଉପରେ ନିର୍ଭର କରେ । ଅବଶ୍ୟ ସେ ଗତ ତିନି ବର୍ଷ ଧରି ଭଲ ଫର୍ମରେ ନାହାନ୍ତି । ମାତ୍ର ନିକଟରେ ଅନୁଷ୍ଠିତ ଲିସେଷ୍ଟାଶାୟାର ବିକ୍ଷ ୪ ଦିନିଆ ଅଭ୍ୟାସ ମ୍ୟାଚରେ ଭଲ ପ୍ରଦର୍ଶନ କରି ଥିବାରୁ ଇଂଲଣ୍ଡ ବିପକ୍ଷ ଏହି ଟେଷ୍ଟରେ ଭଲ ରନ ସଂଗ୍ରହ ପାଇଁ ଚେଷ୍ଟା କରିବେ ବୋଲି ଦଳ ଆଶା ରଖିଛି । ସେହିପରି କୋହଲିଙ୍କର ଫ୍ୟାନ ମାନେ ମଧ୍ୟ ତାଙ୍କ ବ୍ୟାଟରୁ ଭଲ ରନ ଦେଖିବା ପାଇଁ ଅପେକ୍ଷା କରି ରହିଛନ୍ତି । ତେଣୁ ରୋହିତଙ୍କ ଅନୁସ୍ଥିତିରେ ସେ ଦଳର ଗୁରୁ ଭାର ବହନ କରିବା ସହିତ କାମଚଳା ଅଧିନାୟକ ବୁମରାଙ୍କୁ ସବୁ ପ୍ରକାର ସହଯୋଗ କରିବେ ବୋଲି ଅନୁମାନ ।

Get real time updates directly on you device, subscribe now.