ନୂଆଦିଲ୍ଲୀ: ବିଶ୍ୱ ଲିପଷ୍ଟିକ ଦିବସ (ଜୁଲାଇ ୨୯) ଉପଲକ୍ଷେ ମହିଳାମାନେ ନିଜର ପସନ୍ଦର ଲିପଷ୍ଟିକ ସେୟାର କରୁଛନ୍ତି ଏବଂ ଏହାର ଫ୍ୟାଶନ ଓ ସୌନ୍ଦର୍ଯ୍ୟ ବିଷୟରେ ଆଲୋଚନା କରୁଛନ୍ତି। ଲିପଷ୍ଟିକ ମେକଅପର ଏକ ଅତ୍ୟାବଶ୍ୟକୀୟ ଅଂଶ, ଯାହା ମହିଳାମାନଙ୍କର ଆତ୍ମବିଶ୍ୱାସ ବଢ଼ାଇବା ସହ ସୌନ୍ଦର୍ଯ୍ୟକୁ ନିଖାରିଥାଏ। କିନ୍ତୁ ପ୍ରତିଦିନ ଲିପଷ୍ଟିକ ଲଗାଇବା ସ୍ୱାସ୍ଥ୍ୟ ପାଇଁ କେତେ ସୁରକ୍ଷିତ? ଏହା ନେଇ ବିଶେଷଜ୍ଞମାନେ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।
ଲିପଷ୍ଟିକରେ ଥାଏ କେମିକାଲ
ବିଶେଷଜ୍ଞମାନଙ୍କ ଅନୁଯାୟୀ, ବଜାରରେ ଉପଲବ୍ଧ ଅନେକ ଲିପଷ୍ଟିକରେ କେମିକାଲ ଯେପରିକି ଲେଡ, କ୍ରୋମିୟମ, କ୍ୟାଡମିୟମ, ଏଲୁମିନିୟମ ଏବଂ ଅକ୍ସିକ୍ଲୋରାଇଡ ଆଦି ରହିଥାଏ, ଯାହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ। କାଲିଫୋର୍ନିଆ ବିଶ୍ୱବିଦ୍ୟାଳୟର ବର୍କଲେ ସ୍କୁଲ ଅଫ ପବ୍ଲିକ ହେଲଥର ଏକ ଅଧ୍ୟୟନ ଅନୁଯାୟୀ, ଏହି କେମିକାଲଗୁଡ଼ିକ ମୁଖ ଦେଇ ପେଟରେ ପହଞ୍ଚି ଡାଇଜେଷ୍ଟିଭ ସିଷ୍ଟମକୁ କ୍ଷତି ପହଞ୍ଚାଇପାରେ, ଯାହା ପେଟ ଯନ୍ତ୍ରଣା, ଆଲସର ଏବଂ ଏପରିକି କିଡନୀ ଓ ଲିଭର ସମସ୍ୟାର କାରଣ ହୋଇପାରେ। ଏହା ବ୍ୟତୀତ, କାର୍ସିନୋଜେନିକ କେମିକାଲ ଯୋଗୁଁ କ୍ୟାନସର ଭଳି ଗୁରୁତର ରୋଗର ଆଶଙ୍କା ମଧ୍ୟ ବଢ଼ିପାରେ।
ପ୍ରତିଦିନ ଲିପଷ୍ଟିକ ଲଗାଇବାର ଅସୁବିଧା
ଏଲର୍ଜି ଓ ଚର୍ମ ସମସ୍ୟା: ଲିପଷ୍ଟିକରେ ଥିବା କୃତ୍ରିମ ରଙ୍ଗ ଓ କେମିକାଲ ଯୋଗୁଁ ଓଠରେ ଖସୁଣି, ଲାଲ ଦାଗ ଓ ସ୍ୱେଲିଂ ଭଳି ଏଲର୍ଜି ହୋଇପାରେ।
ଓଠର ରଙ୍ଗ କଳା ହେବା: ନିୟମିତ ଲିପଷ୍ଟିକ ବ୍ୟବହାର ଯୋଗୁଁ ଓଠର ପ୍ରାକୃତିକ ରଙ୍ଗ ନଷ୍ଟ ହୋଇ କଳା ପଡ଼ିପାରେ। ଏହା ବିଶେଷକରି ଲେଡ ଯୁକ୍ତ ଲିପଷ୍ଟିକ ଯୋଗୁଁ ହୋଇଥାଏ।
ଓଠର ଶୁଷ୍କତା: ମ୍ୟାଟ ଓ ଲିକୁଇଡ ଲିପଷ୍ଟିକ ଓଠକୁ ଶୁଷ୍କ କରିପାରେ, ଯାହା ଓଠ ଫାଟିବା ଓ ପପଡ଼ି ହେବାର କାରଣ ହୋଇପାରେ।
ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା: ଲିପଷ୍ଟିକରେ ଥିବା କେମିକାଲ ଖାଦ୍ୟ ଓ ପାଣି ସହିତ ପେଟରେ ପହଞ୍ଚି ଟକ୍ସିନ ଉତ୍ପନ୍ନ କରିପାରେ, ଯାହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ।
ବିଶେଷଜ୍ଞଙ୍କ ପରାମର୍ଶ
ବିଶେଷଜ୍ଞମାନେ ପ୍ରତିଦିନ ଲିପଷ୍ଟିକ ବ୍ୟବହାର କମ କରିବାକୁ ପରାମର୍ଶ ଦେଇଛନ୍ତି। ଏହା ସହ ସେମାନେ ନିମ୍ନଲିଖିତ ପଦକ୍ଷେପ ଅନୁସରଣ କରିବାକୁ କହିଛନ୍ତି:ନେଚୁରାଲ ଓ ଅର୍ଗାନିକ ଲିପଷ୍ଟିକ ବାଛନ୍ତୁ: ହର୍ବାଲ ଓ କେମିକାଲ-ମୁକ୍ତ ଲିପଷ୍ଟିକ ବ୍ୟବହାର କରନ୍ତୁ, ଯେଉଁଥିରେ କ୍ଷତିକାରକ ରସାୟନ ନଥାଏ।
ଲିପ ବାମ ବ୍ୟବହାର: ଲିପଷ୍ଟିକ ଲଗାଇବା ପୂର୍ବରୁ ଓଠରେ ହାଇଡ୍ରେଟିଂ ଲିପ ବାମ କିମ୍ବା ପେଟ୍ରୋଲିୟମ ଜେଲି ଲଗାନ୍ତୁ, ଯାହା ଓଠକୁ ସୁରକ୍ଷା ଦେବ ଓ କେମିକାଲର ପ୍ରଭାବ ହ୍ରାସ କରିବ।
ଓଠର ଯତ୍ନ: ଓଠକୁ ଏକ୍ସଫୋଲିଏଟ କରି ଶୁଷ୍କ ଚର୍ମ ହଟାନ୍ତୁ ଏବଂ ନିୟମିତ ଲିପ ବାମ ବ୍ୟବହାର କରନ୍ତୁ ଯାହା ଓଠକୁ ମୃଦୁ ଓ ନମ୍ର ରଖିବ।
ସପ୍ତାହରେ ସୀମିତ ବ୍ୟବହାର: ସପ୍ତାହରେ ୨-୩ ଦିନରୁ ଅଧିକ ଲିପଷ୍ଟିକ ଲଗାଇବା ଏଡ଼ାନ୍ତୁ, ଯାହା ଓଠ ଓ ସ୍ୱାସ୍ଥ୍ୟକୁ ସୁରକ୍ଷିତ ରଖିବ।
ଗର୍ଭାବସ୍ଥାରେ ସତର୍କତା: ଗର୍ଭାବସ୍ଥା ସମୟରେ ଲିପଷ୍ଟିକ ବ୍ୟବହାର ଏଡ଼ାନ୍ତୁ, କାରଣ ଏହା ଗର୍ଭପାତର ଆଶଙ୍କା ବଢ଼ାଇପାରେ।
ଗୁଣାତ୍ମକ ଲିପଷ୍ଟିକ ବାଛନ୍ତୁ
ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ଯେ ଲିପଷ୍ଟିକ କିଣୁବା ସମୟରେ ଏହାର ଉପାଦାନ ଯାଞ୍ଚ କରନ୍ତୁ। ଲେଡ-ମୁକ୍ତ ଓ ମୋଇସଚରାଇଜିଂ ଲିପଷ୍ଟିକ ବାଛିବା ଉଚିତ। ଲକ୍ମେ, ମେବେଲିନ, ମ୍ୟାକ ଓ ସୁଇସ ବ୍ୟୁଟି ଭଳି ବ୍ରାଣ୍ଡଗୁଡ଼ିକରେ ଗୁଣାତ୍ମକ ଓ ସ୍ମଜ-ଫ୍ରି ଲିପଷ୍ଟିକ ଉପଲବ୍ଧ, ଯାହା ଓଠକୁ ହାଇଡ୍ରେଟେଡ ରଖେ ଓ କ୍ଷତି କମ କରେ।