CHARIDHAM

ଇସ୍ରାଏଲ୍ ଆକ୍ରମଣରେ ଏପର୍ଯ୍ୟନ୍ତ ୧୦,୦୦୦ ପାଲେଷ୍ଟାଇନ ନାଗରିକ ମୃତ, ଏଥିରେ ପିଲାଙ୍କ ସଂଖ୍ୟା ୪୧୦୦ ରୁ ଅଧିକ

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଏକ ମାସ ହେବାକୁ ଯାଉଛି। ଏହି ସମୟରେ, ଅଲ ଜଜିରାର ଏକ ରିପୋର୍ଟରେ ପାଲେଷ୍ଟାଇନର ସ୍ୱାସ୍ଥ୍ୟ ଅଧିକାରୀଙ୍କ ଉଦ୍ଧେଶ୍ୟରେ କୁହାଯାଇଛି ଯେ, ଏହି ଯୁଦ୍ଧରେ ଏପର୍ଯ୍ୟନ୍ତ ୧୦ ହଜାରରୁ ଅଧିକ ପାଲେଷ୍ଟାଇନ ନାଗରିକ ପ୍ରାଣ ହରାଇଛନ୍ତି। ରିପୋର୍ଟ ଅନୁଯାୟୀ, ଗାଜାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୋମବାର ଦିନ ସୂଚନା ଦେଇଛି ଯେ, ମୃତ୍ୟୁ ସଂଖ୍ୟା ୧୦୦୨୨ ରେ ପହଞ୍ଚିଛି। ଇସ୍ରାଏଲର ଆକ୍ରମଣରେ ଏପର୍ଯ୍ୟନ୍ତ ୪୧୦୪ ପିଲାଙ୍କର ମୃତ୍ୟୁ ହୋଇଛି।

ରିପୋର୍ଟରେ କୁହାଯାଇଛି ଯେ, ଅତି କମରେ ୨,୦୦୦ ଲୋକେ ଭଗ୍ନାବଶେଷ ତଳେ ପୋତି ହୋଇଯାଇଛନ୍ତି, ଭାରୀ ଯନ୍ତ୍ରପାତି ଅଭାବରୁ ସେମାନଙ୍କୁ ବାହାରକୁ ବାହାର କରାଯାଇପାରୁନି। ଅଲ ଜଜିରାଙ୍କ ରିପୋର୍ଟ ଅନୁଯାୟୀ, ଇସ୍ରାଏଲର ଅବରୋଧ ଯୋଗୁଁ ଲୋକମାନେ ଇନ୍ଧନ, ଖାଦ୍ୟ ଏବଂ ବିଦ୍ୟୁତ୍ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ପାଇପାରିବେ ନାହିଁ।

ଇସ୍ରାଏଲ-ହାମାସ ଯୁଦ୍ଧର ପ୍ରଭାବ ଏବେ ଲେବାନନରେ ମଧ୍ୟ ଅନୁଭୂତ ହେଉଛି। ହିଜବୁଲ ଉଗ୍ରବାଦୀମାନେ କ୍ରମାଗତ ଭାବରେ ଇସ୍ରାଏଲ ଉପରେ ଆକ୍ରମଣ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ବ୍ରିଟେନ ବ୍ରିଟେନର କିଛି ଦୂତାବାସର କର୍ମଚାରୀଙ୍କୁ ଲେବାନନରୁ ସାମୟିକ ଭାବେ ଡାକିବାକୁ ନିଷ୍ପତ୍ତି ନେଇଛି।